ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ମାମଲା : ଷ୍ଟାଟସ୍ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର, ୩ ଜଣିଆ ଖଣ୍ଡପୀଠର ଗୁରୁତ୍ବପୂର୍ଣ୍ଣ ଶୁଣାଣି ଆଜି

ନୂଆଦିଲ୍ଲୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ଅଭିଯାନ ମାମଲାରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ପୁରୀ ଜିଲ୍ଲାପାଳଙ୍କ ଠାରୁ ସଂଗୃହୀତ ନଥିପତ୍ର ଓ ସୂଚନା ଆଧାରରେ ରାଜ୍ୟ ସରକାର ଉଚ୍ଛେଦ ମାମଲା ନେଇ ଷ୍ଟାଟସ୍ ରିପୋର୍ଟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଆଖପାଖରେ ଥିବା ମଠମାନଙ୍କ ସମ୍ପର୍କରେ ମଧ୍ୟ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ଏହି ରିପୋର୍ଟ ଉପରେ ଆସନ୍ତାକାଲି ଖଣ୍ଡପୀଠ ଶୁଣାଣି କରିବେ ବୋଲି ଧାର୍ଯ୍ୟ ହୋଇଛି।

ଷ୍ଟାଟସ୍‌ ରିପୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ମଠର ମହନ୍ତ ଓ ପ୍ରଶାସକଙ୍କ ସହିତ ବିଚାର ବିମର୍ଶ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମଠମାନଙ୍କର ସୁରକ୍ଷା ସୁନିଶ୍ଚିତ କରାଯିବା, ପବିତ୍ରତାର ସଂରକ୍ଷଣ, ଧାର୍ମିକ ଭାବନା, ଆଧ୍ୟାତ୍ମିକତା, ଦେବାଦେବୀ, ପବିତ୍ରତମ ସ୍ଥଳ, ଗାଦି, ମଠର ସମାଧି, ମଠର ଅବଶେଷରେ ବାଧା ସୃଷ୍ଟି କରାଯିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଷ୍ଟାଟସ୍ ରିପୋର୍ଟରେ କୁହାଯାଇଛି। ଏଥିସହିତ, ଉଲ୍ଲେଖ କରାଯାଇଛି ଯେ ମନ୍ଦିରର ବାହ୍ୟ କାରୁକାର୍ଯ୍ୟ ଗୁଡ଼ିକର ସୌନ୍ଦର୍ଯ୍ୟକରଣ ସମୟରେ ଏହାର ମଧ୍ୟ ସଂରକ୍ଷଣ କରାଯିବ। ଏହା ପ୍ରତ୍ୟେକ ମଠର ମହନ୍ତମାନଙ୍କ ସହମତି ଓ ବିଚାର ବିମର୍ଶରେ ସମ୍ପନ୍ନ କରାଯିବ।

ଷ୍ଟାଟସ୍‌ ରିପୋର୍ଟରେ ଆହୁରି ମଧ୍ୟ କୁହଯାଇଛି ଯେ, ଦେବାଦେବୀଙ୍କ ପ୍ରତ୍ୟେକ ମଠର ପବିତ୍ରତମ ସ୍ଥଳ, ଗାଦି, ମଠର ସମାଧି, ମଠର ଅବଶେଷ ଛଡ଼ା ଅନ୍ୟାନ୍ୟ ବ୍ୟ‌ାବସାୟିକ ପ୍ରତିଷ୍ଠାନ, ଦୋକାନ, ଲଜିଂ ଇଦ୍ୟାଦି ମଧ୍ୟ ଭଡ଼ାରେ ଦିଆ ହୋଇଛି। ମଠ ଅଧୀନସ୍ଥ ବ୍ୟାବସାୟିକ ଉଦ୍ଦେଶ୍ୟରେ ବର୍ଦ୍ଧିତ ନିର୍ମାଣ- ଦୋକାନ ଓ ବ୍ୟାବସାୟିକ ବିଲ୍ଡିଂ ଆଦି ପାଇଁ ମଠମାନଙ୍କ ସହମତିରେ ପୁନଃବାସ ଓ ଥଇଥାନ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯାଇ ଅଧିଗ୍ରହଣ ଜରିଆରେ ମୂଳ ମଠ ଏବଂ ଅନ୍ୟାନ୍ୟ ବିଲ୍ଡିଂର ଆଖପାଖରେ ଆବଣ୍ଟନ କରାଯାଉଛି ।

ପ୍ରତ୍ୟେକ ମଠ ପାଇଁ ବୈକଳ୍ପିକ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତ୍ୟେକ ମଠକୁ ମାସିକ କ୍ଷତିପୂରଣ/ ଭଡ଼ାର ପରିମାଣ ମଠର ମହନ୍ତ ଓ ରାଜ୍ୟ ପ୍ରଶାସନଙ୍କ ଦ୍ବାରା ଆପୋସ ବୁଝାମଣା ତଥା ପୁନଃବାସ ଥଇଥାନ ନିୟମ ଅନୁସାରେ ନିର୍ଦ୍ଧାରଣ କରାଯିବ। ଏସବୁ ପଦକ୍ଷେପ ଦ୍ବାରା ଶ୍ରୀ ଜଗନ୍ନାଥ ମନ୍ଦିର ଆଖପାଖରେ ଅଞ୍ଚଳରେ ଦଳାଚକଟା, ଅଗ୍ନିକାଣ୍ଡ ଦୁର୍ଘଟଣା, ଫାୟାର ବ୍ରିଗେଡ୍ ଓ ଆମ୍ବୁଲାନ୍ସ ଯାତାୟତ ପାଇଁ ବାଧା ନଉପୁଜିବା, ମନ୍ଦିର ସୁରକ୍ଷା, ଭକ୍ତ ମାନଙ୍କର ସୁରକ୍ଷା ଆଦି ସୁନିଶ୍ଚିତ କରା ଯାଇପାରିବ ବୋଲି ଷ୍ଟାଟସ ରିପୋର୍ଟରେ କୁହାଯାଇଛି।

ଦେବାଦେବୀ, ପବିତ୍ରତମ ସ୍ଥଳ, ଗାଦୀ, ମଠର ସମାଧି, ମଠର ଅବଶେଷକୁ ବାଧା ଦିଆଯିବନାହିଁ। ସେଗୁଡ଼ିକ ମୂଳ ସ୍ଥାନରେ ରହିବା ସହିତ କଳିଙ୍ଗ ଷ୍ଟାଇଲ୍ କାରୁକାର୍ଯ୍ୟ ଅନ୍ତର୍ଗତ ସୌନ୍ଦର୍ଯ୍ୟକରଣ କରାଯିବ ଷ୍ଟାଟସ୍ ରିପୋର୍ଟରେ ରାଜ୍ୟ ସରକାର ଦର୍ଶାଇଛନ୍ତି। ପ୍ରତ୍ୟେକ ସପିଂ ୟୁନିଟ୍ ବିକଶିତ ହେବାକୁ ଥିବା ମାର୍କେଟ୍ କମ୍ପ୍ଲେକ୍ସରେ ଦୋକାନ ଆବଣ୍ଟନ ପାଇଁ ଯୋଗ୍ୟ ହେବେ ବୋଲି ଷ୍ଟାଟସ୍ ରିପୋର୍ଟରେ କୁହାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା କିଛି ମଠ ମାନଙ୍କ ସହିତ ବିଚାର ବିମର୍ଶ କରାଯାଇଛି ଏବଂ ଏଥିପାଇଁ ପ୍ରକ୍ରିୟା ଜାରି ରହିଥିବା ରିପୋର୍ଟରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଚଳିତ ମାସ ୩ ରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୭୫ ମିଟର ପରିଧିରେ ଥିବା ଐତିହ୍ୟ ସମ୍ପନ୍ନ ମଠ, ମନ୍ଦିର ଗୁଡ଼ିକର ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ସହମତି ଭିତ୍ତିରେ ଶ୍ରୀ ଜଗନ୍ନାଥ ମନ୍ଦିର ଚାରିପଟୁ ଉ‌େଚ୍ଛଦ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏତଦ୍‌ବ୍ୟତୀତ ପୁରୀରେ ହୋଇଥିବା ଉଚ୍ଛେଦର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ଷ୍ଟାଟସ୍ ରିପୋର୍ଟ ଉପରେ ଆସନ୍ତା କାଲି ସୁପ୍ରିମକୋର୍ଟଙ୍କ ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିବେ।

ସମ୍ବନ୍ଧିତ ଖବର