ଓଡ଼ିଶା ହାଇକୋର୍ଟ ଆଇନଜୀବୀ ଆନ୍ଦୋଳନ ମାମଲା : ସୁପ୍ରିମକୋର୍ଟରେ ଶୁଣାଣି ଆଜି

ଉପସ୍ଥିତ ରହିପାରନ୍ତି ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନେଇ ଗତକାଲି ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟ ଆସନ୍ତାକାଲି ଏହି ମାମଲାରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିବେ। ବିଚାରପତି ସଞ୍ଜୟ କିଶନ କୌଲ ଓ ବିଚାରପତି କେ. ଏମ. ଯୋଶେଫ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି କରାଯିବ। ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ ଉପସ୍ଥିତ ରହିବାର ସମ୍ଭାବନା ରହିଛି।

ଗତକାଲି ଶୁଣାଣି ସମୟ‌ରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥି‌େଲ। ବିଚାର ବ୍ୟବସ୍ଥାକୁ ଅକାମୀ କରିବା ଉଦ୍ୟମକୁ କୌଣସି ମତେ ଗ୍ରହଣ କରାଯାଇପାରିବନି ବୋଲି ସ୍ପଷ୍ଟ ଭାବେ କହିଥିଲେ। ସୁରକ୍ଷା ସଂକ୍ରାନ୍ତରେ କି ପଦକ୍ଷେପ ଗ୍ରହଣ ହୋଇଛି ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ପୁଲିସ ସକ୍ଷମ କି ନା’ ଜାଣିବାକୁ ଚାହିଁଥିଲେ। ଆହୁରି ମଧ୍ୟ ସ୍ପଷ୍ଟ କରିଥି‌େଲ ଯେ, ଯଦି ସ୍ଥାନୀୟ ପୁଲିସ ବିଫଳ‌ ‌ହେଉଛନ୍ତି, ତେବେ ଆବଶ୍ୟକତା‌ ଅନୁଯାୟୀ ଅର୍ଦ୍ଧ ସାମରିକ ବାହିନୀଙ୍କୁ ମୁତୟନ କରାଯିବ। ଆସନ୍ତାକାଲି ବି ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବେ। ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ ଉପସ୍ଥିତ ରହି ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି କୋର୍ଟଙ୍କ ନିକଟରେ ମନ୍ତବ୍ୟ ରଖିପାରନ୍ତି ତଥା ଲିଖିତ ରିପୋର୍ଟ ମଧ୍ୟ ଦାଖଲ କରିପାରନ୍ତି ବୋଲି କୁହାଯାଉଛି। ଏହି ମାମଲାରେ ଆଟର୍ଣ୍ଣି ଜେନେରାଲଙ୍କ ମତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ।

ଅନ୍ୟ ଏକ ଘଟଣାରେ ଆଜି ସୁପ୍ରିମକୋର୍ଟର ବିଚାରପତି ସଞ୍ଜୟ କିଶନ କୌଲ ଓ ବିଚାରପତି କେ ଏମ ଯୋଶେଫ୍‌ଙ୍କ ଖଣ୍ଡପୀଠରେ ହାଇକୋର୍ଟଙ୍କ ଦ୍ବାରା ମାମଲା ପରିଚାଳନା କରୁଥିବା ଓକିଲଙ୍କ ଦ୍ବାରା ମେନସନିଂ କରାଯାଇଥିବା ଜଣାପଡ଼ିଛି। ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ସାମାନ୍ୟ ପରିବର୍ତ୍ତନ କରିବା ଓକିଲଙ୍କ ଦ୍ବାରା ଅନୁରୋଧ କରାଯାଇଥିବା କୁହାଯାଉଛି। ହେଲେ, ଆସନ୍ତାକାଲି ମାମଲାର ଶୁଣାଣି ଥିବାରୁ କୌଣସି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ବୋଲି ଖଣ୍ଡପୀଠ ଓକିଲଙ୍କୁ କହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଆସନ୍ତାକାଲି ସୁରକ୍ଷା ପାଇଁ ହାଇକୋର୍ଟ କ’ଣ ପଦକ୍ଷେପ ନେଇପାରିବ ସେ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ହାଇକୋର୍ଟ ରିପୋର୍ଟ ଜରିଆରେ ଅବଗତ କରାଇ‌େବ। ଆଟର୍ଣ୍ଣି ଜେନେରାଲଙ୍କ ରିପୋର୍ଟ ତଥା ହାଇକୋର୍ଟଙ୍କ ରିପୋର୍ଟ ଭିତ୍ତିରେ ସୁପ୍ରିମକୋର୍ଟ ଓକିଲଙ୍କ ଆନ୍ଦୋଳନଜନିତ ଅଚଳାବସ୍ଥା ଦୂର କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର