ଜନାର୍ଦ୍ଦନ ରେଡ୍ଡିଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ଝଟ୍‌କା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ଉଷ୍ଣତା ଚରମରେ ପହଞ୍ଚିଥିବା ବେଳେ ବେଲାରୀରେ ପ୍ରଚାର ପାଇଁ ଯିବାକୁ ବିଜେପି ନେତା ତଥା ଖଣି ଦୁର୍ନୀତି ଅଭିଯୁକ୍ତ ଜି ଜନାର୍ଦ୍ଦନ ରେଡ୍ଡିଙ୍କ ଆବେଦନକୁ ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ବେଲାରୀ ବିଧାନସଭା ଆସନରୁ ଜନାର୍ଦ୍ଦନଙ୍କ ଭାଇ ନିର୍ବାଚନ ଲଢ଼ୁଥିବାରୁ ସେଠାରେ ପ୍ରଚାର ପାଇଁ ଅନୁମତି ଦେବାକୁ ସେ ସୁପ୍ରିମ୍‌ କୋର୍ଟରେ ନିବେଦନ କରିଥିଲେ। ତେବେ ସୁପ୍ରିମ୍‌ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ବେଲାରୀରେ ଜନାର୍ଦ୍ଦନ ରେଡ୍ଡିଙ୍କ ପ୍ରବେଶ ଉପରେ ପୂର୍ବରୁ ଲାଗୁ ହୋଇଥିବା କଟକଣା ବଳବତ୍ତର ରହିବ ବୋଲି କହିଛନ୍ତି। ଜନାର୍ଦ୍ଦନ ତାଙ୍କ ଭାଇ ଜି. ସୋମଶେଖର ରେଡ୍ଡିଙ୍କ ପାଇଁ ସେଠାରେ ପ୍ରଚାର କରିବାକୁ ଏବଂ ନିଜ ଭୋଟ୍‌ ଦେବା ପାଇଁ ଅନୁମତି ମାଗିଥିଲେ। ଜଷ୍ଟିସ୍‌ ଏ.କେ. ସିକ୍ରି ଏବଂ ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଏହି ଆବଦନକୁ ଖାରଜ କରିଛନ୍ତି। ବେଲାରୀରେ ବେଆଇନ ଖଣି ଖନନ ମାମଲାରେ ୨୦୦୯ରେ ଜନାର୍ଦ୍ଦନ ରେଡ୍ଡିଙ୍କୁ ଜେଲ୍‌ ଦଣ୍ଡ ହୋଇଥିଲା ଏବଂ ବେଲାରୀରେ ସେ ପ୍ରବେଶ କରିପାରିବେ ନାହିଁ ବୋଲି କୋର୍ଟ ରାୟ ଦେଇଥିଲେ। ଜନାର୍ଦ୍ଦନଙ୍କ ଦୁଇ ଭାଇଙ୍କୁ ବିଜେପି ଟିକଟ ଦେଇଥିବାରୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନାର ଶିକାର ହୋଇଛି ଏବଂ କଂଗ୍ରେସ ଏହାକୁ ବିଜେପି ବିରୋଧରେ ପ୍ରଚାରର ମୁଖ୍ୟ ଅସ୍ତ୍ର କରିଛି।

ସମ୍ବନ୍ଧିତ ଖବର