ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ: କଶ୍ମୀର ସ୍ଥିତି ସ୍ବାଭାବିକ କର

ଦୁଇ ସପ୍ତାହରେ ଚିତ୍ର ସାମ୍ନାକୁ ଆଣ, ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ରାଷ୍ଟ୍ରପତି ଶାସନର ବୈଧତା ସମେତ ୮ଟି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ଆଜି ସୁପ୍ରିମ କୋର୍ଟରେ ହୋଇଛି। ପ୍ରଧାନ ବିଚାରପତି ରଂଜନ ଗୋଗଇ, ବିଚାରପତି ଏ ଏସ ବୋବଡ଼େ ଏବଂ ବିଚାରପତି ଅବଦୁଲ ନଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସବୁ ମାମଲାର ଶୁଣାଣି କରିଛନ୍ତି। ମାମଲାର ଶୁଣାଣିବେଳେ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ କଶ୍ମୀରର ପୂରା ଚିତ୍ର ସାମ୍ନାରେ ରଖିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଜମ୍ମୁ କଶ୍ମୀରର ସ୍ଥିତିକୁ ସ୍ବାଭାବିକ କରିବା ସୁପ୍ରିମ କୋର୍ଟ କେନ୍ଦ୍ର ସରକାର ଏବଂ ଜମ୍ମୁ କଶ୍ମୀର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ସ୍ଥିତି ସ୍ବାଭାବିକ କରିବା ସହିତ ବିଦ୍ୟାଳୟ ଏବଂ ଡାକ୍ତରଖାନା ଗୁଡ଼ିକୁ ପୁଣି ଚାଲୁ କରିବା ପାଇଁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୦ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି।

ସୁପ୍ରିମ କୋର୍ଟ ଆଜି ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳଙ୍କୁ ପଚାରିଥିଲେ ଆପଣ କିପରି କହିଲେ କଶ୍ମୀରରେ ସମ୍ବାଦପତ୍ର ପ୍ରକାଶ ପାଉଛି? କଶ୍ମୀର ଘାଟିରେ ଏବେ ପର୍ଯ୍ୟନ୍ତ ଇଣ୍ଟରନେଟ୍ ଏବଂ ଫୋନ୍ କାହିଁକି କାମ କରୁନାହିଁ? ଘାଟିରେ ଯୋଗାଯୋଗକୁ କାହିଁକି ବନ୍ଦ ରଖାଯାଇଛି? ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟଙ୍କୁ କୁହାଯାଇଥିଲା ଯେ ଘାଟିରେ ସବୁ ସମ୍ବାଦପତ୍ର ପ୍ରକାଶ ପାଉଛି ଏବଂ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଉଛନ୍ତି। ପ୍ରତିବନ୍ଧକ ଲାଗିଥିବା ଅଞ୍ଚଳକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯିବା ପାଇଁ ପାସ୍ ଦିଆଯାଇଛି। ଏଥିସହିତ ସାମ୍ବାଦିକମାନଙ୍କୁ ଫୋନ୍ ଏବଂ ଇଣ୍ଟରନେଟ୍ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି। ଦୂରଦର୍ଶନ ଭଳି ସରକାରୀ ଟିଭି ଚ୍ୟାନେଲ ସମେତ ଘରୋଇ ଟିଭି ଚ୍ୟାନେଲ ଏବଂ ଏଫଏମ ରେଡିଓ ନେଟୱାର୍କ କାମ କରୁଛି। ସୁପ୍ରିମ କୋର୍ଟ ଏ ନେଇ ସତ୍ୟପାଠ ଦାଖଲ କରିବାକୁ ଆଟର୍ଣ୍ଣି ଜେନେରାଲଙ୍କୁ କହିଥିଲେ। ବର୍ତ୍ତମାନ ପରିସ୍ଥିତିରେ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଫୋନ ଏବଂ ଇଣ୍ଟରନେଟ୍ ବନ୍ଦ ରଖାଯାଇଛି ବୋଲି କୁହାଯାଇଥିଲା। ଏହି ଅବସରରେ ଆଟର୍ଣ୍ଣି ଜେନେରାଲ କଶ୍ମୀର ଘାଟିରେ ୨୦୧୬ରେ ବୁରହାନ୍ ୱାନିଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ୩ ମାସ ପାଇଁ ଇଣ୍ଟରନେଟ୍ ଏବଂ ଫୋନ ସୁବିଧା ବନ୍ଦ କରିଥିଲେ ବୋଲି କହିଥିଲେ।

ଆଜିର ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କୁ କହିଥିଲେ, ଅଗଷ୍ଟ ୫ ପରେ ଜମ୍ମୁ କଶ୍ମୀରରେ ଗୋଟିଏ ହେଲେ ଗୁଳି ଫୁଟିନାହିଁ। ଜଣେ ହେଲେ ବ୍ୟକ୍ତିଙ୍କ ଜୀବନ ଏଥିପାଇଁ ଯାଇନାହିଁ। ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ‌ପରେ ଶିଶୁମାନଙ୍କୁ ବେଆଇନଭାବେ ଅଟକ ରଖାଯାଇଥିବା ଦର୍ଶାଇ ଏହା ବିରୋଧରେ ବିଶି‌ଷ୍ଟ ଶିଶୁ ସୁରକ୍ଷା ଅଧିକାର କର୍ମୀ ଇନାକ୍ଷୀ ଗାଙ୍ଗୁଲି ଏବଂ ଏନସିପିସିଆରର ପ୍ରଥମ ଅଧ୍ୟକ୍ଷ ପ୍ରଫେସର ଶାନ୍ତା ସିହ୍ନା ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତରେ ସୀତାରାମ ୟେଚୁରୀଙ୍କ ମାମଲା ମଧ୍ୟ ଶୁଣାଣି ହୋଇଥିଲା। ଧାରା ୩୭୦ ଉଚ୍ଛେଦ,‌ ରାଷ୍ଟ୍ରପତି ଶାସନର ବୈଧତାକୁ ବିରୋଧ ଆଦି ୮ ମାମଲାର ଶୁଣାଣି ହୋଇଥିଲା।

ଫାରୁକଙ୍କ ସମ୍ପର୍କରେ ଜବାବ ମାଗିଲେ
ଧାରା ୩୭୦ ଉଚ୍ଛେଦ ଏବଂ ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲାଙ୍କୁ ଅଟକ ରଖାଯିବା ପ୍ରସଙ୍ଗରେ ଦାଖଲ ହୋଇଥିବା ମାମଲାର ମଧ୍ୟ ଶୁଣାଣି ହୋଇଛି। ତାମିଲନାଡ଼ୁର ନେତା ତଥା ଏମ୍‌ଡିଏମ୍‌କେ ନେତା ‌ଭାଇକୋଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟ ୩୦ ସେପ୍ଟେମ୍ବର ସୁଦ୍ଧା ଜବାବ ଦାଖଲ କରିବା ପାଇଁ କହିଛନ୍ତି। ଫାରୁକଙ୍କ ପ୍ରସଙ୍ଗରେ ଭାଇକୋଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ, ନ୍ୟାସନାଲ କନଫରେନ୍ସର ଏହି ନେତାଙ୍କୁ ଅଟକ ରଖାଯିବା ନେଇ କେନ୍ଦ୍ର ସରକାର ଭିନ୍ନ ଭିନ୍ନ ଯୁକ୍ତି ବାଢ଼ୁଛନ୍ତି। ତେବେ ସୁପ୍ରିମ କୋର୍ଟରେ ଫାରୁକଙ୍କ ଅଟକ ମାମଲାର ଶୁଣାଣି ଚାଲିଥିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଏହି ୮୩ ବର୍ଷୀୟ ନେତାଙ୍କ ବିରୋଧରେ ଜନସାଧାରଣ ସୁରକ୍ଷା ଆଇନ ( ପିଏସଏ) ଲାଗୁ କରାଯାଇଛି। ଏହି ଆଇନ ବଳରେ କୌଣସି ବ୍ୟକ୍ତିଙ୍କୁ ବିନା ବିଚାରରେ ୨ ବର୍ଷ ପର୍ଯ୍ୟନ୍ତ ଅଟକ ରଖାଯାଇ ପାରିବା ବ୍ୟବସ୍ଥା ରହିଛି।

କଶ୍ମୀର ଫେରିବାକୁ ତାରିଗାମୀଙ୍କୁ ଅନୁମତି ଅନାବଶ୍ୟକ
ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସିପିଏମ୍ ନେତା ମହମ୍ମଦ ୟୁସୁଫ ତାରିଗାମୀଙ୍କୁ କଶ୍ମୀର ଫେରିଯିବା ଲାଗି ମଧ୍ୟ ସୁପ୍ରିମ କୋର୍ଟ ଆଜି ଅନୁମତି ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯଦି ଏମ୍ସର ଡାକ୍ତରମାନେ ତାଙ୍କୁ ଘରକୁ ଯିବା ପାଇଁ କୁହନ୍ତି ତା’ହେଲେ ତାଙ୍କୁ ଏଥିପାଇଁ ଅନ୍ୟ କାହାରିଠାରୁ ଅନୁମତି ନେବାର ଆବଶ୍ୟକତା ନାହିଁ। ହାଇକୋର୍ଟକୁ ଯିବାରେ ଜମ୍ମୁ କଶ୍ମୀର ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ହୋଇଥିବା ଅଭିଯୋଗ ଉପରେ ଶୁଣାଣି କରି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜମ୍ମୁ କଶ୍ମୀର ହାଇକୋର୍ଟର ବିଚାରପତିଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି। ଏହା ଅତ୍ୟନ୍ତ ଗମ୍ଭୀର ବିଷୟ। ତେଣୁ ଆବଶ୍ୟକ ପଡ଼ିଲେ ସେ ନିଜେ ଶ୍ରୀନଗର ଯିବେ ବୋଲି କହିଛନ୍ତି।

ଗୁଲାମ ନବୀଙ୍କୁ କଶ୍ମୀର ଗସ୍ତ ଅନୁମତି
ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‌ଙ୍କୁ ଆଜି ସୁପ୍ରିମକୋର୍ଟ ଜମ୍ମୁ କଶ୍ମୀର ଗସ୍ତ ପାଇଁ ଅନୁମତି ଦେଇଛନ୍ତି। ସେ ଜମ୍ମୁ, ଅନନ୍ତନାଗ, ବାରମୁଳା ଏବଂ ଶ୍ରୀନଗର ଜିଲ୍ଲା ଗସ୍ତ କରିପାରିବେ। ତେବେ ଏହା ସର୍ତ୍ତମୂଳକ। ଗସ୍ତ ସମୟରେ ସେ କୌଣସି ରାଜନୈତିକ ରୢାଲି କରିପାରିବେନି। କିନ୍ତୁ ଆଜାଦ ଗସ୍ତ ସମୟରେ ଲୋକମାନଙ୍କ ସହ କଥା ହୋଇପାରିବେ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଆଜାଦ୍ ଗତକାଲି ସୁପ୍ରିମକୋର୍ଟରେ ଆବେଦନ କରି ତାଙ୍କ ଗୃହ ରାଜ୍ୟ ଗସ୍ତ କରିବାପାଇଁ ଅନୁମତି ଚାହିଥିଲେ। ସେ ତାଙ୍କ ଆବେଦନ‌ରେ ଦର୍ଶାଇଥିଲେ ଯେ କୌଣସି ରାଜ‌ନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ସେ ଜମ୍ମୁ କଶ୍ମୀର ଗସ୍ତ କରିବାକୁ ଚାହୁନାହାନ୍ତି ବରଂ ତାଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ଓ ଅନ୍ୟ ଲୋକମାନଙ୍କ କଥା ବୁଝିବାପାଇଁ ସେ ଜମ୍ମୁ କଶ୍ମୀର ଗସ୍ତ କରିବାକୁ ଚାହିଛନ୍ତି। କୋର୍ଟ ଆଜାଦ୍‌ଙ୍କ ଆବେଦନର ଶୁଣାଣି କରିବା ପରେ ତାଙ୍କୁ ଜମ୍ମୁ କଶ୍ମୀର ଗସ୍ତ କରିବାପାଇଁ ଅନୁମତି ଦେଇଛନ୍ତି ଏବଂ ସେଠାକାର ସ୍ଥିତି କେମିତି ଅଛି ସେବାବଦରେ ରିପୋର୍ଟ ଦାଖଲ କରିବାପାଇଁ କହିଛନ୍ତି। ଆଜାଦ ପୂର୍ବରୁ ୩ ଥର ଜମ୍ମୁ କଶ୍ମୀର ଯିବାକୁ ଚେଷ୍ଟା କରିଥିଲେ ବି ତାଙ୍କୁ ବିମାନବନ୍ଦରରୁ ଫେରାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର