ସୁପ୍ରିମ୍‌ କୋର୍ଟ ଦେଲେ ଆଶ୍ୱସ୍ତି, ଜେଲ୍‌ ଯିବେ ନାହିଁ ସାମାଜିକ କର୍ମୀ

୬ ଯାଏଁ ରହିବେ ଗୃହବନ୍ଦୀ

ନୂଆଦିଲ୍ଲୀ: ଭୀମା କୋରେଗାଓଁ ଘଟଣାକୁ ଆଧାର କରି ମାଓବାଦୀ ଲିଙ୍କ୍‌ ସନ୍ଦେହରେ ଗିରଫ ହୋଇଥିବା ୫ ଜଣ ସାମାଜିକ କର୍ମୀଙ୍କୁ ସୁପ୍ରିମ୍‌କୋର୍ଟରେ ଆଜି ଆଶ୍ୱସ୍ତି ମିଳିଛି। ସେମାନଙ୍କୁ ଜେଲ୍‌ ପଠାଯିବ ନାହିଁ ଏବଂ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଗୃହବନ୍ଦୀ ରଖାଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ମାମଲାରେ ସୁପ୍ରିମ୍‌କୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନୋଟିସ୍‌ ଜାରି କରି ଏହି ୫ ଜଣ ସାମାଜିକ କର୍ମୀଙ୍କୁ ଗୃହବନ୍ଦୀରେ ରଖିବାକୁ କହିଛନ୍ତି। ଏଥିସହ ସେପ୍ଟେମ୍ବର ୫ ସୁଦ୍ଧା ମାମଲା ସଂକ୍ରାନ୍ତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୬ରେ ହେବ ବୋଲି ଧାର୍ଯ୍ୟ କରାଯାଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଏ ଏମ୍‌ ଖାନ୍‌ଓ୍ଵିଲ୍‌କରଙ୍କ ଖଣ୍ଡପୀଠ କହିଛନ୍ତି, ସାମାଜିକ କର୍ମୀଙ୍କୁ ପଚରାଉଚରା ପାଇଁ ପୁନେ ନିଆଯିବ ଏବଂ ଏହାପରେ ସେମାନଙ୍କୁ ନିଜ ଘରକୁ ପଠାଇ ଦିଆଯିବ। ଉଲ୍ଲେଖଯୋଗ୍ୟ, ଗତକାଲି ପୁନେ ପୁଲିସ ମହାରାଷ୍ଟ୍ରର ଭୀମା କୋରେଗାଓଁ ହିଂସା ଘଟଣାରେ ମାଓବାଦୀ ଲିଙ୍କ୍‌ ସନ୍ଦେହରେ ୫ଟି ରାଜ୍ୟରେ ଚଢ଼ଉ କରିଥିଲା। ଏଥିରେ ୫ ଜଣ ସାମାଜିକ କର୍ମୀଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ମଧ୍ୟରେ ବରବରା ରାଓ, ସୁଧା ଭରଦ୍ୱାଜ, ଗୌତମ ନବଲଖା, ବେର୍‌ନୋନ୍‌ ଗନ୍‌ସାଲ୍‌ଭେସ୍‌ ଏବଂ ଅରୁଣ ଫରେରା ଅନ୍ତର୍ଭୁକ୍ତ। ଏହି ମାନବାଧିକାର କର୍ମକର୍ତ୍ତାଙ୍କ ପକ୍ଷରୁ ରୋମିଲା ଥାପର, ପ୍ରଭାତ ପଟ୍ଟନାୟକ, ସତୀଶ ଦେଶପାଣ୍ଡେ, ମାୟା ଦର୍ନାଲ୍‌ ଏବଂ ଆଉ ଜଣେ ବ୍ୟକ୍ତି ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଏମାନଙ୍କ ତରଫରୁ ବରିଷ୍ଠ ଓକିଲ ତଥା କଂଗ୍ରେସ ନେତା ଅଭିଷେକ ମନୁ ସିଂଘ୍‌ଭି କୋର୍ଟରେ ମାମଲା ଲଢ଼ିଥିଲେ। ସାମାଜିକ କର୍ମୀଙ୍କୁ ଗିରଫ କରାଯାଇ ବିଚାର ବିଭିନ୍ନତାକୁ ପ୍ରଭାବିତ କରିବା ଲାଗି ପ୍ରୟାସ କରାଯାଉଛି। ଏହା ଠିକ୍‌ ନୁହେଁ। ତେଣୁ ଏହି ଗିରଫ ଉପରେ ରୋକ୍‌ ଲଗାଇବାକୁ ସିଂଘ୍‌ଭି ଅନୁରୋଧ କରିଥିଲେ। ଏକ ବିବୃତିରେ ଐତିହାସିକ ରୋମିଲା ଥାପର କହିଛନ୍ତି, ପ୍ରକୃତରେ ଯେଉଁମାନେ ଆତଙ୍କ ସୃଷ୍ଟି କରି ଲୋକଙ୍କ ହତ୍ୟା କରୁଛନ୍ତି ଏବଂ ହିଂସା ସୃଷ୍ଟି କରୁଛନ୍ତି, ସେମାନଙ୍କୁ ଗିରଫ କରାଯିବା କଥା। ଅନ୍ୟପକ୍ଷରେ ମାନବାଧିକାର ପାଇଁ କାର୍ଯ୍ୟ କରୁଥିବା ଲୋକମାନେ ଗଣତନ୍ତ୍ର ଓ ନାଗରିକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ତେଣୁ ସେମାନଙ୍କର ଏଭଳି କାର୍ଯ୍ୟକୁ ରୋକାଯିବା ଅନୁଚିତ। ସେହି ଦୃଷ୍ଟିରୁ ୫ ଜଣ ସାମାଜିକ କର୍ମୀଙ୍କୁ ଗିରଫ କରାଯିବା ଆଦୌ ଉଚିତ ନୁହେଁ ବୋଲି ସେ ଦର୍ଶାଇଥିଲେ।

ଅପରପକ୍ଷରେ ପୁନେ ପୁଲିସ ପକ୍ଷରୁ କୁହାଯାଇଛି ଯେ ଅଭିଯୁକ୍ତମାନଙ୍କ ବିରୋଧରେ ପ୍ରମାଣ ରହିଛି। ମାଓବାଦୀଙ୍କ ସହିତ ସେମାନଙ୍କର ସମ୍ପର୍କ ଅଛି। ଏମିତି କି ଏମାନେ ଦେଶରେ ବଡ଼ ନେତାମାନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିବା ମଧ୍ୟ ପୁଲିସ ଦାବି କରିଛି। ଏ ବାବଦରେ ପୁଲିସ ହାର୍ଡଡିସ୍କ ଓ ଲାପ୍‌ଟପ୍‌ ଆଦି ଜବତ କରିଥିବା କହିଛି। ଆହୁରି ମଧ୍ୟ ଏମାନେ ୩୫ କଲେଜରୁ ସଦସ୍ୟ ନିଯୁକ୍ତି ଦେଇ ଆକ୍ରମଣ ଘଟାଇବାକୁ ଯୋଜନା କରୁଥିବା ପୁଲିସ ସୂଚାଇଛି। ପୁଲିସ ଦର୍ଶାଇଛି ଯେ ୨୦୧୭ ଡିସେମ୍ବର ୩୧ରେ ପୁନେଠାରେ ‘ଏଲ୍‌ଗାର ପରିଷଦ’ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ସାମାଜିକ କର୍ମୀ ଓ ଦଳିତ ସଂଗଠନ ଏକାଠି ହୋଇଥିଲେ। ଏହାର ପରଦିନ ପୁନେଠାରୁ ୪୦ କିମି ଦୂର ଭୀମା କୋରେଗାଓଁରେ ହିଂସାକାଣ୍ଡ ଘଟିଥିଲା। ସେପଟେ ଘଟଣାକୁ ନେଇ ରାଜନୈତିକ ମହଲ ମଧ୍ୟ ତାତିବାରେ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ଭାରତରେ ସରକାର କେବଳ ଗୋଟିଏ ଏନ୍‌ଜିଓ ପାଇଁ କାମ କରୁଛି, ତାହା ହେଉଛି ଆର୍‌ଏସ୍‌ଏସ୍‌। ଏମିତି କି ସେ କହିଛନ୍ତି, ଦେଶର ସବୁ ସାମାଜିକ କର୍ମୀଙ୍କୁ ଗିରଫ କରି ଜେଲ୍‌ରେ ପୂରାଇ ଦିଅ ଏବଂ ଯେଉଁମାନେ ବିରୋଧ କରୁଛନ୍ତି, ସେମାନଙ୍କୁ ଗୁଳି ମାରିଦିଅ। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁ ରାହୁଲଙ୍କୁ ଜବାବ ଦେଇ କହିଛନ୍ତି, ମନମୋହନ ସରକାର ମାଓବାଦୀଙ୍କୁ ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ସବୁଠୁ ବଡ଼ ବିପଦ ବୋଲି ଘୋଷଣା କରିଥିବା ବେଳେ ଏବେ କଂଗ୍ରେସ ଅଧ୍ୟକ୍ଷ ମାଓବାଦୀଙ୍କ ଶୁଭଚିନ୍ତକଙ୍କୁ ସମର୍ଥନ କରୁଛନ୍ତି।

ବିଚାର ବିଭିନ୍ନତା ଗଣତନ୍ତ୍ର ପାଇଁ ଜରୁରୀ
ମାଓବାଦୀ ଲିଙ୍କ୍‌ ସନ୍ଦେହରେ ଗିରଫ ହୋଇଥିବା ୫ ସାମାଜିକ କର୍ମୀଙ୍କ ମାମଲାର ଶୁଣାଣି ବେଳେ ଆଜି ସୁପ୍ରିମ୍‌କୋର୍ଟ ଗଣତନ୍ତ୍ର ବାବଦରେ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ଖଣ୍ଡପୀଠରେ ଥିବା ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼ କହିଥିଲେ, ଗଣତନ୍ତ୍ରରେ ବିଚାର ବିଭିନ୍ନତା ଅତ୍ୟନ୍ତ ଜରୁରୀ। ବିଚାର ବିଭିନ୍ନତା ହେଉଛି ଗଣତନ୍ତ୍ରର ଏକ ‘ସେଫ୍ଟି ଭାଲ୍‌ଭ’ ସଦୃଶ। ଯଦି ଏହି ସେଫ୍ଟି ଭାଲ୍‌ଭକୁ ରଖାନଯାଏ, ତେବେ ପ୍ରେସର୍‌ କୁକର ଫାଟିଯିବ। ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଆଜି ସୁପ୍ରିମ୍‌କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଏକକାଳୀନ ଶୁଣାଣି ହୋଇଥିଲା। ଦିଲ୍ଲୀରେ ଗିରଫ ହୋଇଥିବା ଗୌତମ ନବଲଖାଙ୍କ ମାମଲାର ଶୁଣାଣି ହାଇକୋର୍ଟରେ ହୋଇଥିଲା। ଭୀମା କୋରେଗାଓଁ ହିଂସା ଜାନୁଆରି ୨୦୧୮ରେ ଘଟିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏ ବାବଦ ତଦନ୍ତର ଅଗ୍ରଗତି ଏବଂ ଆବଶ୍ୟକ ଗିରଫଦାରୀ ପ୍ରକ୍ରିୟା କାହିଁକି ହୋଇନଥିଲା ବୋଲି ସୁପ୍ରିମ୍‌ କୋର୍ଟ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର