ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ନେଇ ମୁହାଁମୁହିଁ

ଜୟପୁର: ପାକିସ୍ତାନ ଉପରେ ହୋଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ। ପୂର୍ବରୁ ଏହାକୁ ନେଇ ଅନେକ ବାର ସରକାର-ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ଆଜି ଏହି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ପରସ୍ପରକୁ ଟାର୍ଗେଟ୍‌ କରିଛନ୍ତି। ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାରରେ ଆଜି ଉଭୟ ଦଳ ପକ୍ଷରୁ ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ପ୍ରସଙ୍ଗ କରାଯାଇଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉଦୟପୁରରେ ଅନୁଷ୍ଠିତ ଦଳର ଜନସମାବେଶରେ ଲୋକଙ୍କୁ ଉଦ୍‌ବୋଧନ ଦେଇ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ ଏହାର ଜବାବ ଦେବାକୁ ଯାଇ ରାହୁଲଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ରାହୁଲ କହିଛନ୍ତି ଯେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୁହନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ୩ ଥର ବିଦେଶ ମାଟିରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପାଇଁ ଆଦେଶ ଦେଇଛନ୍ତି। କିନ୍ତୁ ଦୁଇଜଣଙ୍କ ମଧ୍ୟରେ ଏତିକି ପାର୍ଥକ୍ୟ ହେଉଛି- ମୋଦୀ ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ରାଜନୈତିକ ଅସ୍ତ୍ର ଭାବେ ପ୍ରୟୋଗ କରିଛନ୍ତି ଏବଂ ମନମୋହନ ଏହାକୁ ଗୋପନ ରଖିଛନ୍ତି। ବାରମ୍ବାର ଏହି ପ୍ରସଙ୍ଗକୁ ଉଠାଇ ମୋଦୀ ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଛନ୍ତି। ୨୦୧୬ରେ ପାକିସ୍ତାନ ମାଟିରେ ହୋଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପାଇଁ ଭାରତୀୟ ସେନା ନିଷ୍ପତ୍ତି ନେଇଥିଲା। ଏ ବାବଦରେ ମୋଦୀଙ୍କର କୌଣସି ହାତ ନଥିଲା। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲା ବେଳେ ପାକିସ୍ତାନୀ ଆତଙ୍କବାଦୀ ଓ ସେନାର ଔଦ୍ଧତ୍ୟ ବଢ଼ିଯାଇଥିଲା। ଏଥିପାଇଁ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ଅତ୍ୟନ୍ତ ଆବଶ୍ୟକ ଥିଲା। ଏହି ସମୟରେ ସେନା ମୁଖ୍ୟ ମନମୋହନଙ୍କ ସହିତ ଆଲୋଚନା କରିଥିଲେ। ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ସେ ଦାବି କରିଥିଲେ। କିନ୍ତୁ ଏହି ବିଷୟକୁ ଗୋପନ ରଖିବାକୁ ସେ ପରାମର୍ଶ ଦେଇଥିଲେ। ମନମୋହନ ଚାହିଥିଲେ ଏହାକୁ ପ୍ରଘଟ କରିପାରିଥାନ୍ତେ। ପ୍ରତିରକ୍ଷା କ୍ଷେତ୍ରର ହିତ ପାଇଁ ସେ ଏହାକୁ ଗୋପନ ରଖିଥିଲେ। କିନ୍ତୁ ରାଜନୈତିକ ଫାଇଦା ପାଇଁ ମୋଦୀ ୨୦୧୬ ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ସାର୍ବଜନୀନ କରିଦେଲେ। ସେତେବେଳେ ଉତ୍ତର ପ୍ରଦେଶରେ ନିର୍ବାଚନ ହେବାର ଥିଲା। ନିର୍ବାଚନ ହାରିବା ଭୟରେ ମୋଦୀ ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ରାଜନୈତିକ ଅସ୍ତ୍ର ବନାଇଦେଲେ।

ସହିଦଙ୍କ ପ୍ରତିଶୋଧ ନେଇଥିଲେ ମୋଦୀ
ସେମାନଙ୍କୁ ଅପମାନିତ କରୁଛନ୍ତି ରାହୁଲ
କଂଗ୍ରେସର ସାହସ ନଥିଲା

ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି
ମନମୋହନଙ୍କ ବେଳେ ୩ଟି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇଥିଲା
ମୋଦୀ ଦେଇନଥିଲେ ନିର୍ଦ୍ଦେଶ

ଅନ୍ୟପକ୍ଷରେ ଜୟପୁରରେ ଅନୁଷ୍ଠିତ ବିଜେପି ରାଲିରେ ଦଳର ମୁଖ୍ୟ ଅମିତ୍‌ ଶାହ ରାହୁଲଙ୍କୁ ସମାଲୋଚନା କରିଛନ୍ତି। ‌ସେ କହିଛନ୍ତି, ରାଜ‌ନୈତିକ ଫାଇଦା ପାଇଁ ସରକାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଇନଥିଲେ। ଉତ୍ତର ପ୍ରଦେଶ ନିର୍ବାଚନ ଜିତିବା ପାଇଁ ସରକାର ଏହାକୁ ଆଦୌ ପ୍ରସଙ୍ଗ କରିନଥିଲେ। କିନ୍ତୁ କଂଗ୍ରେସ ଏଭଳି ଦାବି କରି ସହିଦମାନଙ୍କୁ ଅପମାନ କରିଛି। ଆଜି ଦେଶର ଯବାନମାନେ ନିଜଠାରେ ଏକ ବିଶ୍ବାସ ଜନ୍ମାଇ ପାରିଛନ୍ତି ଯେ ସେମାନଙ୍କ ପଛ‌ରେ ସରକାର ଛିଡ଼ା ହୋଇଛନ୍ତି। ‌ସହିଦ ଯବାନଙ୍କ ନିମନ୍ତେ ପ୍ରତିଶୋ‌ଧ ନେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୬ରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଇଥିଲେ। କିନ୍ତୁ ରାହୁଲ ଗାନ୍ଧୀ ଏହାକୁ ରାଜନୀତି ସହ ଯୋଡ଼ିବା ପରିତାପର ବିଷୟ। ଦେଶର ସହିଦମାନଙ୍କୁ ସେ ଅପମାନ କରିଛନ୍ତି।

ସମ୍ବନ୍ଧିତ ଖବର