୬୩୬ ଦିନ ପରେ ଗଣମାଧ୍ୟମରେ ରିଲିଜ୍‌ ହେଲା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଭିଡିଓ

ନୂଆଦିଲ୍ଲୀ: ୨୦୧୬ ମସିହା ସେପ୍ଟେମ୍ବର ୨୮ ଓ ୨୯ ତାରିଖ ରାତ୍ରୀର ସନ୍ଧିକାଳରେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ସେପାରି ପାକିସ୍ତାନରେ ଥିବା ଆତଙ୍କବାଦୀ ଲଞ୍ଚ୍‌ପ୍ୟାଡ୍‌ ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରି ଅନେକଙ୍କୁ ନିହତ କରିଥିଲା। ଏବେ ୬୩୬ ଦିନ ପରେ ସେନା କମାଣ୍ଡୋମାନେ କରିଥିବା ସେ ଦୁଃସାହସିକ ଚଢ଼ଉର ଭିଡିଓ ଗଣମାଧ୍ୟମରେ ରିଲିଜ୍‌ ହୋଇଛି। ବାହାଦୁର କମାଣ୍ଡୋମାନେ କିପରି ଆତଙ୍କବାଦୀମାନଙ୍କ ଲଞ୍ଚ୍‌ ପ୍ୟାଡ୍‌କୁ ଧ୍ୱଂସ କରୁଛନ୍ତି ତା’ର ସ୍ପଷ୍ଟ ଚିତ୍ର ଦେଖାଯାଉଛି।

କମାଣ୍ଡୋମାନଙ୍କ ହେଲ୍‌ମେଟ୍‌ ଏବଂ ଆକାଶରେ ପଇଁତରା ମାରୁଥିବା ଡ୍ରୋନ୍‌ କ୍ୟାମେରା ଯୋଗେ ଏ ଭିଡିଓ ଉତ୍ତୋଳନ କରାଯାଇଥିଲା।
ଉରି ଆକ୍ରମଣରେ ୧୭ଜଣ ସେନା କର୍ମଚାରୀ ସହିଦ ହେବା ଘଟନାକୁ ବିନା ଦଣ୍ଡରେ ଛାଡ଼ି ଦିଆ ଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେତାଇ ଦେବାର କିଛି ଦିନ ପରେ ପାଖାପାଖି ୫ ଘଣ୍ଟାର ଏହି ଅଭିଯାନରେ ଆତଙ୍କବାଦୀମାନଙ୍କର ସାତଟି ଲଞ୍ଚ୍‌ ପ୍ୟାଡ୍‌ ଧ୍ୱଂସ କରାଯାଇଥିଲା।

କେମିତି ଚାଲିଥିଲା ଅଭିଯାନ:

ସେପ୍ଟେମ୍ବର ୨୯ ତାରିଖ ଦିନ ଡିଜିଏମ୍‌ଓ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ରଣବୀର ସିଂହ ଘୋଷଣା କଲେ ଯେ ଗ୍ରାଉଣ୍ଡ୍‌ ଫୋର୍ସ ବ୍ୟବହାର କରି ଭାରତ ନିୟନ୍ତ୍ରଣ ରେଖା ଆରପାରିରେ ଆତଙ୍କବାଦୀମାନଙ୍କ ଲଞ୍ଚ୍‌ ପ୍ୟାଡ୍‌ରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରି ଅନେକ ଆତଙ୍କବାଦୀଙ୍କୁ ନିପାତ କରିଛି।

କେତେକ ଆତଙ୍କବାଦୀ ସଂଗଠନ ଭାରତ ମଧ୍ୟକୁ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ବିଶ୍ୱସନୀୟ ସୂଚନା ମିଳିବା ପରେ ସେପ୍ଟେମ୍ବର ୨୮ ଓ ୨୯ ତାରିଖ ରାତିର ସନ୍ଧିକାଳରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଥିଲା।

ନିୟନ୍ତ୍ରଣ ରେଖା ଆର ପାରିରେ ୫୦୦ ରୁ ୩ କିଲୋମିଟର ମଧ୍ୟରେ ଅଭିଯାନ ଚାଲିଥିଲା।

ଏଏଲ୍‌ଏଚ୍‌ ଧ୍ରୁବ ହେଲିକପ୍ଟର୍‌ ଯୋଗେ ଶୂନ୍ୟରୁ ସେନାର ସ୍ୱତନ୍ତ୍ର ବଳର କମାଣ୍ଡୋମାନେ ଓହ୍ଲାଇ ଥିଲେ।

ପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ସମ୍ବନ୍ଧୀୟ ଏକ ପୁସ୍ତକରୁ ଜଣାପଡ଼ିଥିଲା ଯେ ଉରି ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ୟୁନିଟ୍‌ର ସୈନିକମାନଙ୍କୁ ଏଥିରେ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ଗୁରୁତ୍ୱପୂର୍ଣ୍ଣ ଟେରେନ୍‌ ଇଣ୍ଟେଲିଜେନ୍‌ସ୍‌ ଏବଂ ମ୍ୟାନ୍‌ ବର୍ଡର୍‌ ପୋଷ୍ଟ୍‍ସ୍‌ ସୂଚନା ଦେବା ପାଇଁ ଗଠନ କରାଯାଇଥିଲା ଏକ ଘାତକ ପ୍ଲାଟୁନ୍‌।

ଅଭିଯାନର ନେତୃତ୍ୱ ନେଇଥିବା ଜଣେ ଆର୍ମି ମେଜର୍‌ ପରେ କହିଲେ ଯେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ସୈନିକମାନେ ଫେରିବା ଥିଲା ସବୁଠୁ କଷ୍ଟସାଧ୍ୟ ବ୍ୟାପାର। କାରଣ ପାକିସ୍ତାନୀ ସୈନିକମାନେ ବର୍ଷଣ କରୁଥିବା ଗୁଳି ଆମ ସୈନିକମାନଙ୍କ କାନ ପାଖ ଦେଇ ସାଏଁ କରି ଚାଲି ଯାଉଥିଲା।

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର, ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ ଏବଂ ତତ୍‌କାଳୀନ ସେନା ମୁଖ୍ୟ ଜେନେରାଲ୍‌ ଦଲବୀର ସିଂହ ନୂଆଦିଲ୍ଲୀରୁ ଉକ୍ତ ଅଭିଯାନକୁ ମନିଟର୍‌ କରୁଥିଲେ।

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଘୋଷିତ ହେବା ପରେ ନିରାପତ୍ତା ସମ୍ବନ୍ଧରେ କ୍ୟାବିନେଟ୍‌ କମିଟିର ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରିଥିଲେ। ଏହା ପରେ ସେ ସର୍ବଦଳୀୟ ବୈଠକ ଡାକି ତତ୍‌କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଚୁମ୍ବକେ ସବୁ କଥା ଅବଗତ କରାଇଥିଲେ।

ଭାରତ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଥିବା କଥାକୁ ପାକିସ୍ତାନ ଅସ୍ୱୀକାର କରି କହିଲା କି, ଭାରତ ବିନା କରାଣରେ ଗୁଳି ଚଳାଇ ଦୁଇ ଜଣ ପାକିସ୍ତାନୀ ସୈନିକଙ୍କୁ ମାରିଛି।

ସମ୍ବନ୍ଧିତ ଖବର