ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହିରୋ ଲାନ୍ସ ନାଏକ ସନ୍ଦୀପ ସିଂହ ସହିଦ

ଶ୍ରୀନଗର: ଜମ୍ମୁ କଶ୍ମୀରର ଟଙ୍ଗଧାର ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଗତକାଲି ସୁରକ୍ଷାବାହିନୀ ଗୁଳିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ। ତେବେ ଏହି ସମୟରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିଲେ। ଏହି ସହିଦ ଯବାନଙ୍କ ନାମ ଲାନ୍ସ ନାଏକ ସନ୍ଦୀପ ସିଂହ। ସେ ହେଉଛନ୍ତି ଜଣେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହିରୋ। ୨୦୧୬ ମସିହାରେ ହୋଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ସେ ଅଂଶବିଶେଷ ଥିଲେ। ଗତକାଲି ଟଙ୍ଗଧାର ସେକ୍ଟରରେ ଆତଙ୍କବାଦୀଙ୍କ ଗତିବିଧି ନେଇ ଖବର ପାଇବା ପରେ ଲାନ୍ସ ନାଏକ ସିଂହଙ୍କ ନେତୃତ୍ୱରେ ୪ ପାରା କମାଣ୍ଡୋର ଏକ ଟିମ୍‌ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ କରିଥିଲା।

ଅପରେସନ୍‌ ସମୟରେ ଯବାନ ଲାନ୍ସ ନାଏକଙ୍କ ମୁଣ୍ଡରେ ଗୁଳି ବାଜିଥିଲେ ମଧ୍ୟ ସେ ଲଢ଼େଇ ବଜାୟ ରଖିଥିଲେ। ଯବାନ ଲାନ୍ସ ନାଏକଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଥିଲେ। କିନ୍ତୁ ଶେଷରେ ଲାନ୍ସ ନାଏକ୍‌ ଆଖି ବୁଜିଦେଲେ। ୩୦ ବର୍ଷୀୟ ଯବାନ ଲାନ୍ସ ନାଏକଙ୍କ ଘର ପଞ୍ଜାବ ଗୁରୁଦାସପୁରରେ। ପତ୍ନୀ ଏବଂ ତାଙ୍କ ୫ ବର୍ଷର ପୁଅ ତାଙ୍କ ଫେରିବା ବାଟକୁ ଚାହି ରହିଥିଲେ। କିନ୍ତୁ ଦେଶ ପାଇଁ ଯବାନ ଲାନ୍ସ ନାଏକ ପ୍ରାଣବଳି ଦେଇଛନ୍ତି। ୨୦୦୭ ମସିହାରେ ସେ ଭାରତୀୟ ସେନାବାହିନୀରେ ଯୋଗଦେଇଥିଲେ। ୨୦୧୬ ମସିହାରେ ହୋଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ରେ ସେ ଅଂଶଗ୍ରହଣ କରିଥିଲେ। ଯବାନ ଲାନ୍ସ ନାଏକଙ୍କୁ ଆଜି ଗୁରଦାସପୁରରେ ଶେଷ ସମ୍ମାନ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର