ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ଜନତା ଦଳର ବରିଷ୍ଠ ନେତ୍ରୀ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ମଙ୍ଗଳବାର ରାତିପ୍ରାୟ ୧୦ଟା ସମୟରେ ସୁଷମା ସ୍ବରାଜଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନୂଆଦିଲ୍ଲୀସ୍ଥିତ (ଏମ୍‌ସ)ରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ ।

ଦେଶର ପ୍ରଥମ ମହିଳା  ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ  ପରଲୋକ ବେଳକୁ  ୬୭ ବର୍ଷ ହୋଇଥିଲା । ସେ ମାତ୍ର ୨୫ ବର୍ଷ ବୟସରେ ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ ଭାବେ ହରିୟାଣା ରାଜ୍ୟ ମନ୍ତ୍ରିମଣ୍ଡଳରେ ଯୋଗଦାନ କରିଥିଲେ । ଏହା ପରେ ସେ ଆଉ ପଛକୁ ଫେରି ଚାହିଁନଥିଲେ। ପରବର୍ତ୍ତୀ ସମୟରେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସେ ଅଧିଷ୍ଠିତ ହୋଇଥିଲେ । ଏଥି ସହ ସେ ଭାରତ ସରକାରରେ ଦୁଇ ଦୁଇଥର ମନ୍ତ୍ରୀ ହୋଇଥିଲେ ।

ସୁଷମା ସ୍ବରାଜଙ୍କ ଜନ୍ମ ୧୯୫୩ ମସିହା ଫେବ୍ରୁଆରି ୧୪ ତାରିଖରେ ହୋଇଥିଲା । ତାଙ୍କର ଛାତ୍ର ଜୀବନ ହରିୟାଣାର ଅମ୍ବାଲା କ୍ୟାଣ୍ଟନମେଣ୍ଟରେ ଅତିବାହିତ ହୋଇଥିଲା । ତାଙ୍କର ବାପା ହରଦେବ ଶର୍ମା ଆରଏସ୍ଏସ୍‌ କର୍ମୀ ଥିଲେ, ତାଙ୍କ ପ୍ରଭାବରେ ସୁଷମା ଛାତ୍ର ଜୀବନରୁ ରାଜନୀତିକୁ ଆସି ଅଖିଳ ଭାରତୀୟ ବିଦ୍ୟା ପରିଷଦ ସହିତ ଜଡିତ ହୋଇଥିଲେ । ଉଚ୍ଚଶିକ୍ଷା ସମାପ୍ତ ହେବା ପରେ ସୁଷମା ୧୯୭୩ ମସିହାରୁ ସୁପ୍ରିମ କୋର୍ଟରେ ଆଇନ  ବ୍ୟବସ‌ାୟ ଆରମ୍ଭ କରିଥିଲେ ।

ଏହା ପରେ ୧୯୭୭ ମସିହାରେ ସେ ପ୍ରତ୍ୟକ୍ଷ ରାଜନୀତିକୁ ଆସି ହରିୟାଣାରୁ ବିଧାନସଭା ନିର୍ବାଚନ ଲଢିଥିଲେ ଓ ପ୍ରଥମ ଥର ବିଧାନସଭାକୁ ଆସିବା ପରେ ହିଁ ଦେବୀ ଲାଲଙ୍କ କ୍ୟାବିନେଟରେ ମନ୍ତ୍ରୀ ହୋଇଥିଲେ । ଏହା ପରେ ଜାତୀୟ ରାଜନୀତିକୁ ଆସି ୧୯୯୬ ମସିହାରେ ଅଟଳ ବିହାରି ବାଜପାୟୀଙ୍କ ମନ୍ତ୍ରିମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ । ଏହା ପରେ ସେ ୨୦୦୩ ମସିହାରେ କେନ୍ଦ୍ରରରେ ସ୍ବାସ୍ଥ୍ୟ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ । ସେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବେଳେ ଦେଶର ଅନ୍ୟ ୫ଟି ସ୍ଥାନ ସମେତ ଭୁବନେଶ୍ବରରେ ଏମ୍‌ସ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ସମ୍ବନ୍ଧିତ ଖବର