ବୈଦେଶିକ ମନ୍ତ୍ରାଳୟ ପ୍ରଚଳନ କଲା ପାସ୍‌ପୋର୍ଟ ସେବା ଆପ୍‌, ଏଣିକି ଘରେ ବସି ପାସ୍‌ପୋର୍ଟ ପାଇଁ କରି ପାରିବେ ଆବେଦନ

ନୂଆଦିଲ୍ଲୀ: ଦେଶର ପାସ୍‌ପୋର୍ଟ ସେବା କ୍ଷେତ୍ରରେ ଆଜି ଏକ ‘ବୈପ୍ଲବିକ ପରିବର୍ତ୍ତନ’ ଆଣିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଏଣିକି ପାସ୍‌ପୋର୍ଟ ପାଇଁ ଲୋକମାନଙ୍କୁ ବାରମ୍ବାର ପାସ୍‌ପୋର୍ଟ ଅଫିସ୍‌କୁ ଧାଇଁବାକୁ ପଡ଼ିବ ନାହିଁ; କିମ୍ବା ପାସ୍‌ପୋର୍ଟ ଅଫିସ୍‌ ସମ୍ମୁଖରେ ଦୀର୍ଘ ସମୟ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। କାରଣ ଆଜି ପାସ୍‌ପୋର୍ଟ ଦିବସ ପାଳନ ଅବସରରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଦେଶରେ ପ୍ରଚଳନ କରିଛନ୍ତି ‘ପାସ୍‌ପୋର୍ଟ ସେବା ଆପ୍‌’। ଏହି ଆପ୍‌ ଜରିଆରେ ଏଣିକି ଘରେ ବସି ମୋବାଇଲ ଫୋନ୍‌ରୁ ଦେଶର ଯେ କୌଣସି ସ୍ଥାନରୁ ନିଜର ପାସ୍‌ପୋର୍ଟ ପାଇଁ ଆବେଦନ କରି ପାରିବେ। ପାସ୍‌ପୋର୍ଟ ପାଇଁ ଆବଶ୍ୟକ ପଡ଼ୁଥିବା ଦରଖାସ୍ତ ଫର୍ମ ଭରି ପାରିବେ।


ପାସ୍‌ପୋର୍ଟ ଦିବସ ପାଳନ ଅବସରରେ ଏହି ‘ପାସ୍‌ପୋର୍ଟ ସେବା ଆପ୍‌’ର ଉନ୍ମୋଚନ କରି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି, ପାସ୍‌ପୋର୍ଟ କ୍ଷେତ୍ରରେ ଏହା ହେଉଛି ‘ପାସ୍‌ପୋର୍ଟ ବିପ୍ଳବ’। ପାସ୍‌ପୋର୍ଟ ପାଇବା ପାଇଁ ଏହି ବ୍ୟବସ୍ଥାର ପ୍ରଚଳନ ଫଳରେ ପାସ୍‌ପୋର୍ଟ ବ୍ୟବସ୍ଥାର ସରଳୀକରଣ କରାଯାଇଛି। ଫଳରେ ଲୋକମାନଙ୍କ ସମୟ ଓ ଅର୍ଥ ବଞ୍ଚିବା ସହ ସେମାନେ ଅଯଥା ହଇରାଣ ହରକତରୁ ମଧ୍ୟ ବଞ୍ଚିତ ହେବେ।

ସମ୍ବନ୍ଧିତ ଖବର