‘ସୁରକ୍ଷା ଦୃଷ୍ଟିରୁ ନୁହେଁ, ବରଂ ମା’ ବିଧବା ହୋଇ ଯାଇଛନ୍ତି ବୋଲି କୁଳଭୂଷଣଙ୍କୁ ଦର୍ଶାଇବାକୁ ତାଙ୍କର ମଙ୍ଗଳସୂତ୍ର ଓ ବିନ୍ଦି ଖୋଲି ରଖିଥିଲେ ପାକିସ୍ତାନ କର୍ତ୍ତୃପକ୍ଷ’

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କୁ ଭେଟିବା ପାଇଁ ଗତ ସୋମବାର ପାକିସ୍ତାନ ଯାଇଥିବା ତାଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନ ଯେଉଁ ପ୍ରକାରର ଆଚରଣ ଓ ବ୍ୟବହାର ପ୍ରଦର୍ଶନ କଲା, ତାହାକୁ ଆଜି ସଂସଦର ଉଭୟ ଗୃହର ସାଂସଦମାନେ ଦଳ ମତ ନିର୍ବିଶେଷର ନାପସନ୍ଦ କରିବା ସହ ପାକିସ୍ତାନର ଘୋର ନିନ୍ଦା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାରେ ବୟାନ ଦେଇ ପାକିସ୍ତାନ ଗସ୍ତ କାଳରେ କୁଳଭୂଷଣଙ୍କ ମା’ ଓ ପତ୍ନୀ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯେଉଁ ପ୍ରକାରର ହିନସ୍ତାର ଶିକାର ହୋଇଥିଲେ ତାହାର ବିଶଦ ବିବରଣୀ ପ୍ରଦାନ କରିଛନ୍ତି।

ପାକିସ୍ତାନୀ କର୍ତ୍ତୃପକ୍ଷ କୌଣସି ପ୍ରକାରର ସୁରକ୍ଷା ଦୃଷ୍ଟିରୁ ନୁହେଁ ବରଂ ତାଙ୍କ ମା’ ବିଧବା ହୋଇ ଯାଇଛନ୍ତି ବୋଲି କୁଳଭୂଷଣଙ୍କୁ ଦର୍ଶାଇବାକୁ ତାଙ୍କର ମଙ୍ଗଳସୂତ୍ର ଓ ବିନ୍ଦି ଖୋଲି ରଖିଥିଲେ। ଏବଂ ଏଥିରେ ସଫଳ ମଧ୍ୟ ହୋଇଥିଲେ! ମା’ଙ୍କୁ ଏ ଅବସ୍ଥାରେ କୁଲଭୂଷଣଙ୍କ ପ୍ରଥମ ପ୍ରଶ୍ନ ଥିଲା, ‘ବାପା କେମିତି ଅଛନ୍ତି?’ ମା’ ଭଲ ଅଛନ୍ତି ବୋଲି କହିବା ପରେ ମଧ୍ୟ ସେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥିଲେ। ପରେ ଯେତେବେଳେ ପତ୍ନୀଙ୍କୁ ସେଇ ଅବସ୍ଥାରେ ଦେଖିଲେ, ସେତେବେଳେ ତାଙ୍କର ହୃଦବୋଧ ହୋଇଥିଲା ଯେ ବୋଧହୁଏ ସୁରକ୍ଷା ଦୃଷ୍ଟିରୁ ଏସବୁକୁ ଖୋଲି ଦିଆ ଯାଇଛି।

ଖାଲି ଏତିକି ନୁହେଁ, ସେମାନଙ୍କୁ ଲୁଗା ବଦଳାଇବା ପାଇଁ ସୁଦ୍ଧା ବାଧ୍ୟ କରାଯାଇଥିଲା। ସାରା ଜୀବନ ଶାଢ଼ି ପରିଧାନ କରି ଆସିଥିବା କୁଲଭୂଷଣଙ୍କ ମା’ଙ୍କୁ ସାଲଓ୍ଵାର ଓ କାମିଜ୍‌ ପିନ୍ଧିବାକୁ ବାଧ୍ୟ କରାଯାଇଥିଲା। ମାତୃଭାଷା ମରାଠିରେ କଥା ହେବା ପାଇଁ ସେମାନଙ୍କୁ ଅନୁମତି ନଥିଲା। ଇଂରାଜୀ ଜାଣି ନଥିବା ମା’ ଯେତେବେଳେ ମରାଠିରେ କିଛି କହିବାକୁ ଉଦ୍ଦ୍ୟମ କରିଥିଲେ ସେତେବେଳେ ଇଣ୍ଟରକମ୍‌ ଫୋନ୍‌କୁ ବନ୍ଦ କରି ଦିଆଯାଇଥିଲା। ସାକ୍ଷାତ ବେଳେ ଭାରତର ଜଣେ କୂଟନୈତିକ ଅଧିକାରୀ ସେଠାରେ ଉପସ୍ଥିତ ରହିବେ ବୋଲି ବୁଝାମଣା ଥିଲେ ମଧ୍ୟ ପାକିସ୍ତାନ ଭାରତୀୟ କୂଟନୈତିକ ଅଧିକାରୀଙ୍କୁ ଅନ୍ଧାରରେ ରଖି ସାକ୍ଷାତ ପାଇଁ ଖାଲି ମା’ ଓ ପତ୍ନୀଙ୍କୁ ନେଇ ଯାଇଥିଲେ। ସେହିପରି ପୂର୍ବରୁ ପାକିସ୍ତାନୀ ଗଣମାଧ୍ୟମକୁ କୁଲଭୂଷଣଙ୍କ ମା’ ଓ ପତ୍ନୀଙ୍କ ଠାରୁ ଦୂରରେ ରଖାଯିବ ବୋଲି ପାକିସ୍ତାନ ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଥିଲେ ମଧ୍ୟ ଏହାକୁ ଉଲ୍ଲଂଘନ କରାଯାଇଥିଲା।

NDTV.com

କୁଲଭୂଷଣଙ୍କୁ ଭେଟି ଫେରିବା ବାଟରେ ପାକିସ୍ତାନୀ ଗଣମାଧ୍ୟମଗୁଡ଼ିକ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପ୍ରଶ୍ନ କରିବା ସହ ନାନା ବାଗରେ ହୀନସ୍ତା କରିଥିଲେ ବୋଲି ନିଜ ବୟାନରେ ବୈଦେଶିକ ମନ୍ତ୍ରୀ ଶ୍ରୀମତି ସ୍ୱରାଜ କହିଛନ୍ତି। ମାନବିକତା ଦୃଷ୍ଟିକୋରରୁ କୁଲଭୂଷଣଙ୍କୁ ଭେଟିବା ପାଇଁ ତାଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନ ସୁଯୋଗ ପ୍ରଦାନ କରୁଛି ବୋଲି କହି ସେମାନଙ୍କୁ ସେଠାରେ ଯେଉଁ ପ୍ରକାରର ଆଚରଣ ଓ ବ୍ୟବହାର ଦେଖାଇଲା ସେଥିରେ ପାକିସ୍ତାନର ଅସଲ ମୁଖା ଖୋଲି ଯାଇଛି ବୋଲି ବୈଦେଶିକ ମନ୍ତ୍ରୀ ଶ୍ରୀମତି ସ୍ୱରାଜ ସଂସଦର ଉଭୟ ଗୃହକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର