ବିଜେପିରେ ଯୋଗଦେବା ପରେ ଜୟାଙ୍କ ବିରୋଧରେ ବିଷ ଓଗାଳିଲେ ନରେଶ, ନାପସନ୍ଦ କଲେ ସୁଷମା

ଲକ୍ଷ୍ନୌ: ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଉତ୍ତର ପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ସପା)ର ଦଳୀୟ ଟିକେଟରୁ ବଞ୍ଚିତ ହେବାପରେ ସପା ନେତା ନରେଶ ଅଗ୍ରଓ୍ଵାଲ ଯାଇ ଯୋଗ ଦେଇଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି)ରେ। ଉଲ୍ଲେଖ୍‌ଯୋଗ୍ୟ, ବଲିଉଡ୍‌ ଅଭିନେତ୍ରୀ ତଥା ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନଙ୍କୁ ରାଜ୍ୟସଭା ପାଇଁ ଦଳୀୟ ପ୍ରାର୍ଥୀ ଭାବେ ସମାଜବାଦୀ ପାର୍ଟି ଟିକେଟ ପ୍ରଦାନ କରୁଥିବା କାରଣରୁ ଏଥିରୁ ବଞ୍ଚିତ ହୋଇଛନ୍ତି ସପା ନେତା ନରେଶ ଅଗ୍ରଓ୍ଵାଲ। ଏଥିରେ ଉତ୍‌କ୍ଷିପ୍ତ ହୋଇ ନରେଶ ରାଜ୍ୟସଭା ଟିକେଟ ଆଶାରେ ସମାଜବାଦୀ ପାର୍ଟି ପରିତ୍ୟାଗ କରି ଯାଇ ଯୋଗ ଦେଇଛନ୍ତି ଭାରତୀୟ ଜନତା ପାର୍ଟିରେ।


ହେଲେ, ଭାରତୀୟ ଜନତା ପାର୍ଟିରେ (ବିଜେପି)ରେ ଯୋଗଦେବା ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନରେଶ ଅଗ୍ରଓ୍ଵାଲ ଯେଉଁପରି ଢ଼ଙ୍ଗରେ ଓ ଯେଉଁପରି ଶବ୍ଦ ବ୍ୟବହାର କରି ଜୟା ବଚ୍ଚନଙ୍କୁ ଆକ୍ଷେପ କରିଛନ୍ତି, ତା’କୁ ବିଜେପିର ନେତାମାନେ ସୁଦ୍ଧା ଗ୍ରହଣ କରିପାରି ନାହାନ୍ତି। ରାଜ୍ୟସଭା ଟିକେଟରୁ ବଞ୍ଚିତ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନରେଶ ଅଗ୍ରଓ୍ଵାଲ, ଜୟା ବଚ୍ଚନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ବଲିଉଡ୍‌ ଚଳଚ୍ଚିତ୍ରରେ ନାଚୁଥିବା ଜଣେ ମହିଳା’…।
ହେଲେ, ଜୟା ବଚ୍ଚନଙ୍କ ପ୍ରତି ନରେଶ ଅଗ୍ରଓ୍ଵାଲଙ୍କ ଏପ୍ରକାରର ଆକ୍ଷେପରେ କ୍ଷୋଭ ପ୍ରକାଶ କରି ଭାରତୀୟ ଜନତା ପାର୍ଟିର ଅନ୍ୟତମ ବରିଷ୍ଠ ନେତ୍ରୀ ତଥା ନରେନ୍ଦ୍ର ମୋଦି କ୍ୟାବିନେଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ସୁଷମା ସ୍ୱରାଜ ଏକ ଟୁଇଟ୍‌ କରିଛନ୍ତି। ନିଜ ଟୁଇଟ୍‌ରେ ଭଜପାର ବରିଷ୍ଠା ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି, ‘ଦଳରେ ନରେଶ ଅଗ୍ରଓ୍ଵାଲଙ୍କ ଯୋଗଦାନକୁ ସ୍ୱାଗତ କରୁଛି। କିନ୍ତୁ, ଜୟାଙ୍କ ସଂପର୍କରେ ତାଙ୍କର ଏ ପ୍ରକାର ଟିପ୍ପଣୀ ଅନୁପଯୁକ୍ତ, ଅଶାଳୀନ, ଅନୁଚିତ, ଅସଙ୍ଗତ ଏବଂ ଅଗ୍ରହଣଯୋଗ୍ୟ।’

ଏପରିସ୍ଥିତିରେ, ଜୟା ବଚ୍ଚନଙ୍କ ପ୍ରତି ନରେଶ ଅଗ୍ରଓ୍ଵାଲଙ୍କ ଏପ୍ରକାରର ମନ୍ତବ୍ୟ ଦଳ ମଧ୍ୟରେ ଏକ ବିବାଦର ସୂତ୍ରପାତ କରିବାକୁ ଯାଉଥିବା ଜାଣିବା ପରେ ବିଜେପିର ପ୍ରବକ୍ତା ସମ୍ବିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ବିଜେପିର କାହା ବିରୋଧରେ କୌଣସି ପ୍ରକାରର କୁଚ୍ଛା ରଟନା କରିବାର ନାହିଁ। ତେବେ, ହରଦୋଇ ବିଧାନସଭା ଆସନରୁ ସାତ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନରେଶ ଅଗ୍ରଓ୍ଵାଲ ଏପ୍ରକାରର ବିବାଦୀୟ ମନ୍ତବ୍ୟ ଦେବାରେ ବେଶ ସୁଖ୍ୟାତ ବୋଲି କହିଛନ୍ତି ବିଜେପିର ପ୍ରବକ୍ତା ସମ୍ବିତ ପାତ୍ର।

ସମ୍ବନ୍ଧିତ ଖବର