ଆତଙ୍କବାଦୀଙ୍କୁ ସାବାଡ୍‌ କରିବେ ଓଡ଼ିଆ ପୁଅ

ସ୍ୱୟଂପ୍ରକାଶ ପାଣି ହେଲେ କଶ୍ମୀର ଆଇଜି

ଶ୍ରୀନଗର : ଜମ୍ମୁ-କଶ୍ମୀର ସରକାର ଆଜି ଆଇପିଏସ୍‌ ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। କଶ୍ମୀର ରେଞ୍ଜର ଆଇଜି ଦାୟିତ୍ୱରେ ଥିବା ମୁନୀର ଖାନଙ୍କ ହଟାଇ ତାଙ୍କ ସ୍ଥାନରେ ଓଡ଼ଆ ଆଇପିଏସ୍‌ ଅଧିକାରୀ ସ୍ୱୟଂ ପ୍ରକାଶ ପାଣିଙ୍କୁ ନିଯୁକ୍ତ କରାଯାଇଛି। ସ୍ୱୟଂ ପ୍ରକାଶ ଏବେ ଦକ୍ଷିଣ କଶ୍ମୀରର ଡିଆଇଜି ଅଛନ୍ତି। କଶ୍ମୀରର ଆଜି ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପଦବି ହାସଲ କରିବାରେ ୪୧ ବର୍ଷୀୟ ସ୍ୱୟଂପ୍ରକାଶ ହେଉଛନ୍ତି କନିଷ୍ଠତମ ଅଧିକାରୀ। ୨୦୦୦ ମସିହା ଜମ୍ମୁ-କଶ୍ମୀର କ୍ୟାଡରର ଆପିଏସ୍‌ ଅଧିକାରୀ ସ୍ୱୟଂପ୍ରକାଶଙ୍କ ଏହି ନୂତନ ନିଯୁକ୍ତି ସମ୍ପର୍କରେ ଆଜି ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବାଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ମୋହର ମାରିଛି।

ତିନି ଦିନ ତଳେ ହସପିଟାଲ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ରାଜ୍ୟ ସରକାର ଏହି ଅଦଳବଦଳ କରିଛନ୍ତି। ପୂର୍ବରୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଏବଂ ଗୁଇନ୍ଦା ବିଭାଗ(ଆଇବି)ରେ ଅଭିଜ୍ଞ ଅନୁଭୂତି ସାଉଁଟିଥିବା ସ୍ୱୟଂପ୍ରକାଶଙ୍କ ଦକ୍ଷତାରେ କ୍ୟାବିନେଟ୍‌ କମିଟି ବିଶେଷ ଭାବରେ ମୁଗ୍ଧ ବୋଲି କହିଛନ୍ତି। ସ୍ୱୟଂ ପ୍ରକାଶ ଦକ୍ଷିଣ କାଶ୍ମୀରର ଡିଆଇଜି ଥିବା ବେଳେ ଆତଙ୍କବାଦୀଙ୍କ ବିରୋଧରେ ସଂଖ୍ୟାଧିକ ଏନ୍‌କାଉଣ୍ଟର ଚଳାଇଥିଲେ। ଏଥିରେ ବହୁସଂଖ୍ୟକ ଆତଙ୍କବାଦୀ କମାଣ୍ଡରଙ୍କୁ ନିପାତ କରାଯାଇଥିଲା।

ସମସ୍ତ ଏନ୍‌କାଉଣ୍ଟର ଯୋଜନାବଦ୍ଧ ହେବା ସହ ପ୍ରାୟ ସଫଳ ହେଉଥିଲା। ସ୍ୱୟଂଙ୍କର ଏଭଳି ଦକ୍ଷତାକୁ ସ୍ୱୀକୃତି ଜଣାଇ ରାଜ୍ୟ ସରକାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ରାଜ୍ୟର ଆଉ ଜଣେ ଓଡ଼ିଆ ଆଇପିଏସ୍‌ ଅଧିକାରୀ ବସନ୍ତ କୁମାର ରଥଙ୍କୁ ଆଇଜି (ଟ୍ରାଫିକ୍‌) ରୂପେ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର