କଳାଧନ ମହଜୁଦ୍‌କାରୀଙ୍କର କାହିଁକି ପ୍ରଥମ ପସନ୍ଦ ସୁଇସ୍‌ ବ୍ୟାଙ୍କ୍‌, କେତେ ଟଙ୍କାରୁ ଖୋଲି ହେବ ଖାତା, କେଉଁ ଧରଣ ଆଇଡିରେ ଜମାକାରୀ ସୁରକ୍ଷିତ?

ନୂଆଦିଲ୍ଳୀ: ଭାରତର ବହୁ ଧନୀକ ବର୍ଗର ବ୍ୟକ୍ତି ବିଦେଶୀ ସୁଇସ୍‌ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌(ଏସ୍‌ଏନ୍‌ବି)ରେ ଅର୍ଥ ଜମା ରଖୁଥିବା ନେଇ ପୂର୍ବରୁ ଆମେ ଜାଣିଛେ। ଏପରିକି ୨୦୧୭ ମସିହାରେ ସୁଇସ୍‌ ବ୍ୟଙ୍କ୍‌ରେ ଜମା ହୋଇଥିବା ପ୍ରାୟ ୫୦ ପ୍ରତିଶତ ରାଶି ଥିଲା ଭାରତୀୟ ଜମାକାରୀଙ୍କର। ଜାଣିବାକୁ ମିଳିଥିଲା ଯେ ସୁଇସ୍‌ ବ୍ୟାଙ୍କ୍‌ରେ ସମୁଦାୟ ୭ ହଜାର କୋଟିର ଭାରତୀୟ ରାଶି ରହିଥିଲା। ଏହି ସୂଚନା ମିଳିବା ପରେ ସ୍ୱୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଉପରେ ବି ଏ ନେଇ ପ୍ରଶ୍ନ ଉଠିଥିଲା। ଏପରିକି ଭାରତୀୟମାନେ ବହୁଳ ସଂଖ୍ୟାରେ ସୋସିଆଲ୍‌ ମିଡିଆରେ ଏନେଇ ପ୍ରତିକ୍ରିୟା ପ୍ରଦର୍ଶନ କରିଥିଲେ। ତେବେ, ଅନେକଙ୍କ ମନରେ ଏହି ଧାରଣା ରହଛି ଯେ କଳାଧନ ମହଜୁଦ୍‌କାରୀମାନେ କେଉଁ ଭଳି ଭାବେ ଏହି ସୁଇସ୍‌ ବ୍ୟାଙ୍କ୍‌ରେ ଖାତା ଖୋଲିବାର ବାଟ ପାଆନ୍ତି, କ’ଣ ଏହାର ପ୍ରକ୍ରିୟା?

ପ୍ରାପ୍ତ ହୋଇଥିବା ସୂଚନା ମୁତାବକ, ସୁଇଜର୍‌ଲାଣ୍ଡ୍‌ରେ ପାଖାପାଖି ୪୦୦ ବ୍ୟାଙ୍କ ରହିଛି। ଦେଶର ନିମୟ ମୁତାବକ ବ୍ୟାଙ୍କ୍‌ଗୁଡ଼ିକ ଗ୍ରାହକମାନଙ୍କ ଗୋପନୀୟତାକୁ ପ୍ରାଥମିକତା ଦେବାରେ ବିଶ୍ୱାସ ରଖନ୍ତି। କୌଣସି ମତେ ଯଦି କେଉଁ ଗ୍ରାହକଙ୍କ ଗୋପନୀୟତା ହ୍ରାସ ପାଏ ତେବେ ସେହି କ୍ଷେତ୍ରରେ ବ୍ୟାଙ୍କ୍‌ ପରିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି। ଏହି କାରଣରୁ ହିଁ ଦୁନିଆ ଯାକର ପଇସାବାଲାଙ୍କ ପ୍ରଥମ ପସନ୍ଦ ସୁଇସ୍‌ ବ୍ୟାଙ୍କ୍‌।

ଏଠାରେ ଖାତା ଖୋଲିବା ପାଇଁ ସର୍ବନିମ୍ନ ୬୮ ଲକ୍ଷ ଟଙ୍କା ଆବଶ୍ୟକ। ପ୍ରତିବର୍ଷ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ୨୦,୦୦୦ ଟଙ୍କା ଲାଗିଥାଏ। ନେଣଦେଣ ପାଇଁ ଗ୍ରାହକଙ୍କ ନାମ ବ୍ୟତୀତ ସ୍ୱତନ୍ତ୍ର ନମ୍ବର ଆଇଡି ବ୍ୟବହାର କରାଯାଇଥାଏ। ଖାତା ଖୋଲିବା ପାଇଁ ଇଚ୍ଛୁକମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରନ୍ତି। ଆବଶ୍ୟକୀୟ ପ୍ରମାଣପତ୍ର ଇମେଲ୍‌ ଜରିଆରେ ପଠାଇବାର ବ୍ୟବସ୍ଥା ରହିଛି। ଏହି କାଗଜପତ୍ରରେ କୌଣସି ଉଚ୍ଚ ପଦସ୍ତ ସରକାରୀ କର୍ମଚାରୀଙ୍କ ହସ୍ତଖତ ଆବଶ୍ୟକ। ଆବଶ୍ୟକୀୟ କାଗଜପତ୍ର ମଧ୍ୟରେ ପାସ୍‌ପୋର୍ଟର ଏକ କପି, କମ୍ପାନି ପ୍ରମାଣପତ୍ର, ବୃତ୍ତିଗତ ଲାଇସେନ୍ସ ଆଦି ଜରୁରୀ।

ଯଦି କେହି ନିଜ ନାମରେ ନଖୋଲି କେବଳ ନମ୍ବର ଆଇଡି ଖାତା ଖୋଲିବାକୁ ଚାହାନ୍ତି ତ ବ୍ୟାଙ୍କ୍‌ ଯିବା ଜରୁରୀ। ବିଶେଷ କଳାଧନ ମହଜୁଦ୍‌କାରୀମାନେ ଏହି ପ୍ରକ୍ରିୟାକୁ ବେଶି ପସନ୍ଦ କରିଥାନ୍ତି। ସୁଇସ୍‌ ବ୍ୟାଙ୍କ୍‌ରେ ପର୍ସନାଲ୍‌ ଆକାଉଣ୍ଟ୍‌, ସେଭିଂ ଆକାଉଣ୍ଟ୍‌ ଏବଂ ଇନ୍‌ଭେଷ୍ଟ୍‍ମେଣ୍ଟ୍‌ ଆକାଉଣ୍ଟ୍‌ ବ୍ୟତୀତ ଅନ୍ୟ କେତେକ ଭିନ୍ନ ଧରଣର ଖାତା ବି ଖୋଲାଯାଇ ଥାଏ। ଏଠାରେ ଖାତା ଖୋଲିବା ପାଇଁ ସର୍ବନିମ୍ନ ବୟସ ସୀମା ରହିଛଇ ୧୮ ବର୍ଷ। ଅଠର ବର୍ଷ ପରେ ଯେ କେହି ବି ସୁଇସ୍‌ ବ୍ୟାଙ୍କ୍‌ରେ ଖାତା ଖୋଲିପାରନ୍ତି।

ସମ୍ବନ୍ଧିତ ଖବର