ଆଉ ବିଦେଶରେ ଲୁଚି ରହିବ ନାହିଁ କଳାଧନ, ଜାନୁୟାରି ୧ରୁ ଜମାକାରୀଙ୍କ ତଥ୍ୟ ଦେବ ସ୍ୱିସ୍‌ ବ୍ୟାଙ୍କ

ନୂଆଦିଲ୍ଲୀ: ବିଦେଶରେ ଥିବା କଳାଧନକୁ ନେଇ ଆମ ଦେଶରେ ଲୋକମାନଙ୍କର ଏକ ନିର୍ଦ୍ଦିଷ୍ଟ ଧାରଣା ରହିଛି । ତାହା ହେଉଛି କଳାଧନ ମାନେ ହେଉଛି ଆମ ଦେଶର ନେତା ମନ୍ତ୍ରୀ, ଅଫିସର ଓ ବେପାରୀମାନେ ସ୍ୱିଜରଲାଣ୍ଡର ବ୍ୟାଙ୍କ ବା ସ୍ୱିସ୍‌ ବ୍ୟାଙ୍କରେ ଗଚ୍ଛିତ ରଖିଥିବା ଧନ । ଯଦିଓ ଏହି କଥାଟି ସମ୍ପୂର୍ଣ୍ଣ ଅମୂଳକ ନୁହେଁ, କିନ୍ତୁ ସମ୍ପୂର୍ଣ୍ଣ ସତ ମଧ୍ୟ ନୁହେଁ । କାରଣ କେବଳ ସ୍ୱିଜରଲାଣ୍ଡ ନୁହେଁ ନରେଓ୍ଵ, ଲକ୍ସେନବର୍ଗ, ମରିସସ, ସାଇପ୍ରସ, ସିଂଗାପୁର ଆଦି ଅନେକ ଦେଶରେ ଥିବା କେତେକ ବ୍ୟାଙ୍କରେ ମଧ୍ୟ ଗୋପନରେ ଅର୍ଥ ଜମାକରାଯାଏ । ଏସବୁ ବ୍ୟାଙ୍କଗୁଡିକ ଜମାକାରୀଙ୍କ ସମ୍ପର୍କରେ ସଂପୂର୍ଣ୍ଣ ଗୋପନୀୟତା ରକ୍ଷା କରୁଥିବାରୁ କଳାଧନ ରଖିବା ପାଇଁ ବେଶ ନିରାପଦସ୍ଥଳୀ ଭାବେ ବିଚାର କରାଯାଏ । କିନ୍ତୁ ଏବେ ସ୍ୱିସ୍‌ ବ୍ୟାଙ୍କରେ ଅର୍ଥ ଜମା ରଖିବା ଆଉ ନିରାପଦ ହୋଇ ରହିବ ନାହିଁ । କାରଣ ଆସନ୍ତା ଜାନୁୟାରୀ ୧ରୁ ସ୍ୱିଜରଲାଣ୍ଡ ନିଜ ଦେଶରେ ଥିବା ବ୍ୟାଙ୍କଖାତାଗୁଡ଼ିକର ତଥ୍ୟ ଭାରତ ସରକାରଙ୍କ ସହ ଆଦାନପ୍ରଦାନ କରିବ । ପୁଣି ଆଗାମୀ ୨୦୧୯ ଜାନୁୟାରୀ ୧ରୁ ଆପେ ଆପେ ଏହି ତଥ୍ୟ ଭାରତ ସରକାରଙ୍କ ପାଖରେ ପହଞ୍ଚିଯିବ ।

ଏ ନେଇ ଭାରତ ଓ ସ୍ୱିଜରଲାଣ୍ଡ ସରକାରଙ୍କ ମଧ୍ୟରେ ଗତ ମାସରେ ଏକ ଚୁକ୍ତି ହୋଇଛି । ଏହି ଚୁକ୍ତି ଅନୁସାରେ ଅଟୋମାଟିକ୍‌ ଏକ୍ସଚେଞ୍ଜ ଅଫ ଇନଫର୍ମେସନ( ଏଇଓଆଇ)କୁ କାର୍ଯ୍ୟକାରୀ କରାଯିବ । ପୁରୁଣା ବ୍ୟବସ୍ଥା ଅନୁସାରେ ଭାରତ ସରକାର କୌଣସି ଆକାଉଣ୍ଟ ଉପରେ ସୂଚନା ମାଗିଲେ ସ୍ୱିଜରଲାଣ୍ଡ ସରକାର ତାହାର ବିଚାର କରୁଥିଲେ । କିନ୍ତୁ ଏହି ଚୁକ୍ତି ଅନୁସାରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ସୂଚନା ଆପେ ଆପେ ଭାରତ ପାଖରେ ପହଞ୍ଚିବ ।

କିନ୍ତୁ ଏହି ଚୁକ୍ତି ସ୍ୱାକ୍ଷର କରିବାରେ ଟିକିଏ ବିଳମ୍ବ ହୋଇଗଲା ବୋଲି ବିଶେଷଜ୍ଞମାନେ ଭାବୁଛନ୍ତି । କାରଣ କଳା ଧନକୁ ନେଇ ଗତ କିଛି ବର୍ଷ ହେଲା ଦେଶରେ ଚାଲିଥିବା ହୋ ହାଲ୍ଲା ମଧ୍ୟରେ ସ୍ୱିଜରଲାଣ୍ଡରେ ଭାରତୀୟମାନେ ରଖିଥିବା ଟଙ୍କା ହ୍ରାସ ପାଇଚାଲିଛି । ଏଣୁ ସୂଚନା ଆଦାନ ପ୍ରଦାନ ହେବାବେଳକୁ ବୋଧହୁଏ ଚୋରମାନେ ଖସିଯାଇଥିବେ ।

ସମ୍ବନ୍ଧିତ ଖବର