ଜାନୁଆରି ୨୦୧୮ରୁ ସିରିଞ୍ଜ୍‌ର ମୂଲ୍ୟ ଅଧାରୁ ଅଧିକ କମିଯିବ

ନୂଆଦିଲ୍ଲୀ: ଡିସେମ୍ବର ୨୪ ତାରିଖ ଠାରୁ ସର୍ବାଧିକ ୭୫% ମାର୍ଜିନ୍‌ ଆଧାରରେ ମ୍ୟାକ୍‌ସିମମ୍‌ ରିଟେଲ୍‌ ପ୍ରାଇସ୍‌ (ଏମ୍‌ଆର୍‌ପି) ମୁଦ୍ରଣ କରିବାକୁ ‘ଅଲ୍‌ ଇଣ୍ଡିଆ ସିରିଞ୍ଜେସ୍‌ ଆଣ୍ଡ୍‌ ନିଡ୍‌ଲ୍‌ସ୍‌ ମ୍ୟାନୁଫ୍ୟାକ୍‌ଚରର୍ସ ଆସୋସିଏସନ୍‌’ ଏହାର ସଦସ୍ୟମାନଙ୍କୁ କହିଛି। ଡିସେମ୍ବର ୨୪ ତାରିଖକୁ ଗ୍ରାହକ ଦିବସ ରୂପେ ପାଳନ କରାଯାଏ। ଏହି ନୂତନ ମୂଲ୍ୟ ଥିବା ସିରିଞ୍ଜଗୁଡ଼ିକୁ ଆସନ୍ତା ବର୍ଷ ଜାନୁଆରି ୨୬ ତାରିଖ ସୁଦ୍ଧା ବଜାରରେ ଉପଲବ୍‌ଧ କରାଇବାକୁ ଆସୋସିଏସନ୍‌ ସଦସ୍ୟମାନଙ୍କୁ ନିର୍ଦେଶ ଦେଇଛି।

ଏଥିରେ ସାମିଲ ହୋଇ ରୋଗୀମାନଙ୍କୁ ଅର୍ଥନୈତିକ ଆଶ୍ୱସ୍ତି ଦେବା ନିମନ୍ତେ ଆସୋସିଏସନ୍‌ ସମସ୍ତ ବିଦେଶୀ ସିରିଞ୍ଜ୍‌ ନିର୍ମାତାମାନଙ୍କୁ ମଧ୍ୟ ଚିଠି ଲେଖିଛି।

ବଜାରରେ ମିଳୁଥିବା ୮୫% ଭାଗ ସିରିଞ୍ଜ୍‌ ଓ ନିଡଲ୍‌ ଆସୋସିଏସନ୍‌ର ସଦସ୍ୟମାନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ତେଣୁ ନୂତନ ନୀତିକୁ ଅନୁସରଣ କରିବାକୁ ଆସୋସିଏସନ୍‌ ବିଦେଶୀ ନିର୍ମାତଙ୍କ ଉପରେ ଚାପ ପକାଇଛି।

Image Courtesy of Stat

ଏହାଦ୍ୱାରା ହସ୍‌ପିଟାଲ୍‌ ସେଗ୍‌ମେଣ୍ଟ୍‌ ପାଇଁ ନିର୍ମିତ ସିରିଞ୍ଜ୍‌ର ମୂଲ୍ୟ ଦୁଇ ତୃତୀୟାଂଶ ଏବଂ କେମିଷ୍ଟ୍‍ ସେଗ୍‌ମେଣ୍ଟ୍‌ର ସିରିଞ୍ଜ୍‌ର ମୂଲ୍ୟ ଅଧା କମିଯିବ। କର୍ପୋରେଟ୍‌ ହସ୍‌ପିଟାଲ୍‌ରେ ସିରିଞ୍ଜ୍‌ର ମୂଲ୍ୟ ଆହୁରି କମିଯିବାର ସମ୍ଭାବନା ରହିଛି ବୋଲି ହିନ୍ଦୁସ୍ତାନ ସିରିଞ୍ଜେସ୍‌ ଆଣ୍ଡ୍‌ ମେଡିକାଲ୍‌ ଡିଭାଇସେସ୍‌ର ଏମ୍‌ଡି କହିଛନ୍ତି।

ସିରିଞ୍ଜ୍‌ ଏବଂ ନିଡଲ୍‌ ଉପରେ ମାତ୍ରାଧିକ ଏବଂ ଅନୁଚିତ ମାର୍ଜିନ୍‌ ଲାଗୁ କରାଯାଇଥିବା ସଂକ୍ରାନ୍ତରେ ଆଲୋଚନା କରିବାକୁ ଡିସେମ୍ବର ୧୮ ତାରିଖ ଦିନ ଏନ୍‌ପିପିଏ ଡାକିଥିବା ବୈଠକ ପରେ ଏହି ସର୍କ୍ୟୁଲାର୍‌ ଜାରି କରାଯାଇଛି।ଏନ୍‌ପିପିଏର ଅଧ୍ୟକ୍ଷ ଭୂପେନ୍ଦ୍ର ସିଂହ ନିର୍ମାତାମାନଙ୍କୁ ପରାମର୍ଶ ଦେଇ କହିଥିଲେ କି ସେମାନେ ନିଜେ ନିଜେ ମୂଲ୍ୟ ନିୟନ୍ତ୍ରଣ କରନ୍ତୁ। ଏହା ନ କଲେ ସରକାର ଷ୍ଟେଣ୍ଟ୍‌ ଏବଂ ଅର୍ଥୋପେଡିକ୍‌ ଇମ୍ପ୍ଲାଣ୍ଟ୍‌ ପରି ଏହାର ମୂଲ୍ୟ ସ୍ଥିର କରିବାକୁ ପଦକ୍ଷେପ ଗ୍ରହଣ କରିବେ।

ଗଚ୍ଛିତ ଥିବା ସିରିଞ୍ଜ୍‌ ସୁରୁଖୁରୁରେ ବିକ୍ରୟ ଶେଷ କରିବାକୁ ନିର୍ମାତାମାନଙ୍କୁ ଜାନୁଆରି ଶେଷ ଯାଏଁ ସମୟ ଦିଆଯାଇଛି ବୋଲି ଉକ୍ତ ସର୍କ୍ୟୁଲାରରେ ଉଲ୍ଲେଖ କରାଯାଇଛି। ନୂତନ ମାର୍ଜିନ ଅନୁସାରେ ଡିସ୍ପୋଜେବଲ୍‌, ଅଟୋ ଡିଜାବ୍ଲ, ରିୟୁଜ୍‌ ପ୍ରିଭେନ୍‌ସନ୍‌ ଏବଂ ଇନ୍‌ସ୍ୟୁଲିନ୍‌ ପେନ୍‌ ନିଡଲ୍‌ ଆଦି ସମସ୍ତ ବର୍ଗର ସିରିଞ୍ଜ ଏବଂ ନିଡଲ୍‌ର ମୂଲ୍ୟ ହ୍ରାସ ପାଇବ।

ସମ୍ବନ୍ଧିତ ଖବର