ଟାଗୋର ପୁରସ୍କାର ପ୍ରତ୍ୟାଖ୍ୟାନ କରିଥିଲେ

ବିପ୍ଳବ ଦେବଙ୍କ ନୋବେଲ ଜ୍ଞାନ!

ଅଗରତାଲା : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଆଜି ପୁଣି ଏକ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପଡ଼ି ଯାଇଛନ୍ତି। ମହାନ କବି ରବିନ୍ଦ୍ରନାଥ ଟାଗୋର ବ୍ରିଟିଶ ନୃଶଂସତା ପାଇଁ ନୋବେଲ ପୁରସ୍କାର ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ଆଜି ବିପ୍ଲବ ଭୁଲ୍‌ ତଥ୍ୟ ଦେବାପରେ ଏହାକୁ ନେଇ ବିବାଦ ଉପୁଜିଛି। ବାସ୍ତବରେ ଟାଗୋର ବ୍ରିଟିଶ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନାଇଟ୍‌ ଉପାଧି ପ୍ରତ୍ୟାଖ୍ୟାନ କରିଥିଲେ। ଅନ୍ୟପକ୍ଷରେ ସାହିତ୍ୟ ପାଇଁ ଟାଗୋରଙ୍କୁ ୧୯୧୩ ମସିହାରେ ଦିଆଯାଇଥିବା ନୋବେଲ୍‌ ପୁରସ୍କାର ତାଙ୍କ ପାଖରେ ୧୯୪୧ ମସିହା ଅଗଷ୍ଟ ୭ ଦେହାବସାନ ପର୍ଯ୍ୟନ୍ତ ରହିଥିଲା। ଉଦୟପୁର ସ୍ଥିତ ଭୁବନେଶ୍ୱରୀ ମନ୍ଦିରରେ ଏକ ସ୍ୱତନ୍ତ୍ର ଉତ୍ସବର ଉଦ୍‌ଘାଟନ କରି ବିପ୍ଳବ ଦେବ କହିଥିଲେ ଯେ ବିଶ୍ୱ ପ୍ରସିଦ୍ଧ କବି ଟାଗୋର ବ୍ରିଟିଶ ସରକାରଙ୍କ ଦ୍ୱାରା ନୋବେଲ ପୁରସ୍କାର ପ୍ରତ୍ୟାଖ୍ୟାନ କରିଥିବା ହେତୁ ମଧ୍ୟ ବେଶ୍‌ ଜଣାଶୁଣା। ଏଭଳି ଭୁଲ୍‌ ବକ୍ତବ୍ୟ ପାଇଁ ଆଜି ତାଙ୍କୁ ବିଭିନ୍ନ ମହଲ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ବୋଧତାର ସବୁ ସୀମା ଅତିକ୍ରମ କରିଯାଉଛନ୍ତି ବୋଲି କଂଗ୍ରେସ କହିଛି।

ସମ୍ବନ୍ଧିତ ଖବର