ଦିଲ୍ଲୀ ଦଙ୍ଗା : ତାହିର ହୁସେନକୁ ନିଲମ୍ବିତ କଲା ଆପ୍‌

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗାରେ ସଂପୃକ୍ତି ଥିବା ଅଭିଯୋଗରେ ତାହିର ହୁସେନ ନାଁରେ ମାମଲା ରୁଜ୍ଜୁ ହେବା ପରେ ତାଙ୍କୁ ଦଳରୁ ନିଲମ୍ବିତ କରିଛି ଆମ ଆଦମି ପାର୍ଟି (ଆପ) । ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଏହି ନିଲମ୍ବନ ବଳବତ୍ତର ରହିବ ବୋଲି ଦଳ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି ।
କିଛି ସମୟ ପୂର୍ବରୁ ତାହିର ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜ୍ଜୁ କରିଥିଲା । ଦିଲ୍ଲୀର ଦୟାଲପୁର ପୁଲିସ ଷ୍ଟେସନରେ ଏହି ମାମଲା ରୁଜ୍ଜୁ କରାଯାଇଛି । ଏହା ସହିତ ତାକୁ ଧରିବା ପାଇଁ ତଲାସି ଅଭିଯାନ ଆରମ୍ଭ ହୋଇଯାଇଛି । ତା ବିରୁଦ୍ଧରେ ଧାରା ଆଇପିସିର ୩୦୨ (ହତ୍ୟା ) ଲଗାଯାଇଛି ।
ତାହିର ହୁସେନ ଘରେ ଦଙ୍ଗାକାରୀ ଆଶ୍ରୟ ନେବା ସହ ଆକ୍ରମଣ କରିଥିବା ଭିଡ଼ିଓ ଭାଇରାଲ ହେବା ପରେ ତାକୁ ଗିରଫ କରିବାକୁ ପୁଲିସ ଉପରେ ପ୍ରବଳ ଚାପ ପଡ଼ିଥିଲା । ତାଘରୁ ମଧ୍ୟ ବିପୁଳ ପରିମାଣରେ ବିସ୍ଫୋରକ, ପେଟ୍ରୋଲ ବୋମା, ଏସିଡ, ପଥର, ମାରଣାସ୍ତ୍ର ଆଦି ମିଳିଛି ।
ଦିଲ୍ଲୀ ହିଂସାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବୟାନର କିଛି ଘଣ୍ଟା ମଧ୍ୟରେ ଏହି ମାମଲା ରୁଜ୍ଜୁ ହୋଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ,ହିଂସାକାଣ୍ଡରେ ସଂପୃକ୍ତ ବ୍ୟକ୍ତି ଆମ ଆଦମୀ ପାର୍ଟିର ହୁଅନ୍ତୁ ଅଥବା ବିଜେପି, କଂଗ୍ରେସ, କାହାରିକୁ ଛଡ଼ାଯିବା ଉଚିତ ନୁହେଁ । ଏପରିକି ସେ ଯଦି ଆମ ଆଦମୀ ପାର୍ଟିରୁ ହୋଇଥିବେ ତେବେ ତାଙ୍କୁ ଅଧିକ ଦଣ୍ଡ ଦିଆଯାଉ । ସୂଚନାଯୋଗ୍ୟ ଯେ ଦିଲ୍ଲୀରେ ହୋଇଥିବା ହିଂସା ଓ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ତାହିର ହୁସେନଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିବାକୁ ସବୁଆଡୁ ଦାବି କରାଯାଉଛି ।

ସମ୍ବନ୍ଧିତ ଖବର