ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅନ୍ଧାରରେ ରଖି, ଦୁର୍ନୀତିଗ୍ରସ୍ତ ବାବୁଙ୍କୁ କୋଳରେ ବସାଇ ଥିଲେ ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟ! ଏହି ବାବୁଙ୍କ ପାଇଁ ଭୁଶୁଡ଼ି ଗଲା କି ବରାଣାସୀ ଫ୍ଲାଇଓଭର?

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ଉତ୍ତରପ୍ରଦେଶର ବରାଣାସୀରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଏକ ନିର୍ମାଣାଧୀନ ଫ୍ଲାଇଓଭର ଭୁଶୁଡ଼ି ୧୯ ଜଣ ମୁତ୍ୟୁମୁଖରେ ପଡ଼ିବା ଘଟଣା ଏବେ ଦେଶବ୍ୟାପି ଆଲୋଡ଼ନ ଓ ପ୍ରତିକ୍ରିୟା ସୃଷ୍ଟି କରିଛି। ତେବେ, ଭୁଶୁଡ଼ି ପଡ଼ିଥିବା ଏହି ଫ୍ଲାଇଓଭରର ନିର୍ମାଣ ଦାୟିତ୍ୱରେ ଜଣେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ରହିଥିବା ଜଣାପଡ଼ିବା ପରେ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଡ଼ିଯାଇଛନ୍ତି ହରଡ଼ଘଣାରେ।


ଅନୁସନ୍ଧାନରୁ ଜଣାପଡ଼ିଛି, ୟୁପି ବ୍ରିଜ୍‌ କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶକ ଥିବା ବେଳେ ଆଖିବୁଜା ଦୁର୍ନୀତିରେ ଲିପ୍ତରହି ଧରାପଡ଼ିବା ପରେ ଏହି ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ରାଜନ୍‌ ମିତ୍ତଲଙ୍କୁ ୨୦୧୬ରେ ଚାକିରିରୁ ନିଲମ୍ବିତ କରିବା ସହ ୟୁପି ବ୍ରିଜ୍‌ କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶକ ପଦବିରୁ ବିଦା କରି ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ହେଲେ, ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ୟୁପିର ଶାସନ ଭାର ଗ୍ରହଣ କରିବା ପରେ ପୁଣି ନିଜର ପୁରୁଣା ଖେଳ ଆରମ୍ଭ କରି ଦେଇଥିଲେ ଏହି ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ରାଜନ୍‌ ମିତ୍ତଲ।
ଦୁଧିଆଳୀ ପିଡବ୍ଲ୍ୟୁଡି ବିଭାଗ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ମିଳିଯିବା ପରେ ମୌର୍ଯ୍ୟଙ୍କୁ ହାତ କରି ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ରାଜନ୍‌ ମିତ୍ତଲ କେବଳ ଚାକିରିରେ ପୁନର୍ବାହାଲ ହେଲେ ନାହିଁ, ପୁଣି ତାଙ୍କର ସେଇ ପୁରୁଣା ପଦ ୟୁପି ବ୍ରିଜ୍‌ କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶକ ପଦବିକୁ ହାତେଇ ନେବାରେ ସମର୍ଥ ହେଲେ। ଏସବୁ ଘଟିଗଲା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଅଗୋଚରରେ। କଥା ଏତିକିରେ ସୀମିତ ରହିଲା ନାହିଁ, ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ରାଜନ୍‌ ମିତ୍ତଲ ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟଙ୍କୁ ଏମିତି ଖୁସ୍‌ କରିଦେଲେ ଯେ ୟୁପି ରାଜକୀୟ ନିର୍ମାଣ ନିଗମର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରଣାସୀ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ସମସ୍ତ ନିର୍ମାଣ କାର୍ଯ୍ୟର ପ୍ରେଜେକ୍ଟ ମ୍ୟାନେଜର ଭାବେ ମଧ୍ୟ ନିଯୁକ୍ତ କରିଦେଲେ। ଆଉ ବିଲେଇ କପାଳକୁ ଶିକା ଛିଡ଼ିଲା ପରି ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ରାଜନ୍‌ ମିତ୍ତଲଙ୍କୁ ଏତେ ସବୁ ପଦବି ମିଳିଯିବା ପରେ ସେ କାମ କରିବେ କ’ଣ; ନିର୍ମାଣାଧୀନ କାମର ମାନ ପ୍ରତି ନଜର ନଦେଇ ହାତ ଗୋଡ଼ ଲଗାଇ ଖାଇବାରେ ଲାଗିଗଲେ! ଆଉ ଯାହାର ପରିଣତି ଏବେ ଦେଖିବାକୁ ମିଲିଲା, ଏକ ନିର୍ମାଣାଧୀନ ଫ୍ଲାଇଓଭର ଭୁଶୁଡ଼ି ୧୯ ଜଣଙ୍କ ଜୀବନ ଚାଲିଯିବା ପରେ।

ସମ୍ବନ୍ଧିତ ଖବର