ପର୍ଯ୍ୟଟକଙ୍କ ପାଇଁ ରାତିରେ ଖୋଲା ରହିବ ତାଜମହଲ ଏବଂ ଓଡ଼ିଶାର ରାଜରାଣୀ ମନ୍ଦିର

ନୂଆଦିଲ୍ଲୀ: ତାଜମହଲ ଖୋଲା ରହିବାର ସାଧାରଣ ସମୟ ସକାଳ ୧୦ଟାରୁ ସନ୍ଧ୍ୟା ୬ ଟା ପରିବର୍ତ୍ତେ ଆହୁରି ଅଧିକ ସମୟ ଖୋଲା ରହିବ ବୋଲି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି।

ସେ କହିଛନ୍ତି: ରାତିରେ ଏହି ସ୍ମାରକୀକୁ ଖୋଲା ରଖିବାକୁ ଅନେକେ ଅନୁରୋଧ କରୁଛନ୍ତି। ଆମେ ଏହାକୁ ବାସ୍ତବ ରୂପ ଦେବାକୁ ଯାଉଛୁ।

ରାତ୍ରୀକାଳୀନ ଜନଗହଳିକୁ ମୁକାବିଲା କରିବାକୁ ପର୍ଯ୍ୟଟନ ମନ୍ତ୍ରାଳୟ ଏହି ସ୍ମାରକୀ ଚତୁଃର୍ପାଶ୍ୱରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଏବଂ ଆବଶ୍ୟକ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରାଇବାକୁ ଯୋଜନା କରୁଛନ୍ତି।

ସମ୍ପ୍ରତି ମାସକୁ ମାତ୍ର ପାଞ୍ଚ ଦିନ ରାତ୍ରୀରେ ତାଜମହଲ ଦେଖିବାକୁ ସୁଯୋଗ ମିଳୁଛି। ପୂର୍ଣ୍ଣମୀର ପୂର୍ବ ଦୁଇ ଦିନ, ପୂର୍ଣ୍ଣମୀ ଏବଂ ପୂର୍ଣ୍ଣମୀର ପର ଦୁଇ ଦିନ ତାଜମହଲ ରାତ୍ରୀରେ ଖୋଲା ରହୁଛି।

ଏବେ ମାତ୍ର ୪୦୦ ପର୍ଯ୍ୟଟକଙ୍କୁ ରାତ୍ରୀରେ ତାଜମହଲ ଦର୍ଶନ କରିବାକୁ ଛଡ଼ା ଯାଉଛି। ପ୍ରାପ୍ତ ବୟସ୍କଙ୍କ ଲାଗି ମୁଣ୍ଡପିଛା ଦେୟ ଟ. ୫୧୦/- ପଡୁଥିବା ବେଳେ ପ୍ରତି ପିଲା ପିଛା ଦେୟ ରହିଛି ୫୦୦/- ଟଙ୍କା। ବିଦେଶୀ ନାଗରିକମାନଙ୍କୁ ଟ ୭୫୦/- ପଡୁଛି।

ଏଥିସହ ସମଗ୍ର ଭାରତରେ ଥିବା ଜନପ୍ରିୟ ସ୍ମାରକୀଗୁଡ଼ିକ ମଧ୍ୟରୁ ୧୦ଟି ସ୍ମାରକୀକୁ ସୂର୍ଯ୍ୟୋଦୟରୁ ରାତି ୯ଟା ଯାଏଁ ଖୋଲା ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ସେହି ସ୍ମାରକୀଗୁଡ଼ିକ ହେଉଛି ଓଡ଼ିଶାର ରାଜରାଣୀ ମନ୍ଦିର ପରିସର, ମଧ୍ୟପ୍ରଦେଶ ଖଜୁରାହୋର ଦୁହ୍ଲାଦେଓ, ହରିୟାଣାର ଶେଖ୍‌ ଚିଲି ସମାଧି, ଦିଲ୍ଲୀର ସଫଦରଗଞ୍ଜ ସମାଧି, ହୁମାୟୁନ ସାମଧି, କର୍ଣ୍ଣାଟକର ପଟ୍ଟାଡାକଲ ଏବଂ ଗୋଲ୍‌ ଗମ୍ବୁଜ ନିକଟରେ ଥିବା ସ୍ମାରକୀ ସମୂହ, ମହାରାଷ୍ଟ୍ର ଚାମସୁରି ଅଞ୍ଚଳର ମାର୍କଣ୍ଡସ୍ଥିତ ମନ୍ଦିର ସମୂହ, ଉତ୍ତର ପ୍ରଦେଶର ବୈଦଶାଳାରେ ଥିବା ମାନ ମହଲ ଏବଂ ଗୁଜରାଟର ରାଣୀ କି ବାବ୍‌।

ଏହି ୧୦ଟି ସ୍ଥାନର ପରିଦର୍ଶନ ସମୟ ବୃଦ୍ଧି କରାଯିବା ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରି ଏହାକୁ ଇନ୍‌କ୍ରେଡିବ୍ଲଇଣ୍ଡିଆ ଅଭିଯାନରେ ଲିଙ୍କ୍‌ କରିଛନ୍ତି।

 

ସମ୍ବନ୍ଧିତ ଖବର