ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ବିମାନଟି ଆମେରିକା ସେନାର ଥିଲା, ତାଲିବାନର ଦାବି

କାବୁଲ : ସୋମବାରଦିନ ଆଫଗାନିସ୍ତାନର ଗଜନି ରାଜ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଆମେରିକାର ସେନାବାହିନୀର ଏକ ବିମାନ ବୋଲି ତାଲିବାନ ସ୍ପଷ୍ଟ କରିଛି । ଗଜନି ଅଞ୍ଚଳର ଜଣେ ସାମ୍ବାଦିକ ତାରିକ ଗଜନିଓ୍ଵାଲ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ବିମାନଟି ଜଳିଯାଉଥିବା ଅବସ୍ଥାରେ ଖସିପଡ଼ିଥିଲା । ଏଥିରେ ବସିଥିବା କେତେକ ଲୋକଙ୍କ ଶରୀର ଜଳୁଥିବା ସେ ଦେଖିଛନ୍ତି ।

ତାଲିବାନର ମୁଖପାତ୍ର ଜବିନୁଲ୍ଲା ମୁହାହିଦ କହିଛନ୍ତି ଯେ ଏହି ବିମାନଟି ଆମେରିକୀୟ ଏୟାରଫୋର୍ସର ଥିଲା । ଏହି ବିମାନରେ ଆମେରିକାର ଅନେକ ସୈନ୍ୟ ଥିଲେ । ସମସ୍ତେ ମୃତ୍ୟୁବରଣ କରିଥିବା ସେ ଦାବି କରିଛନ୍ତି । ତେବେ ଏହା ଏକ ଦୁର୍ଘଟଣା ଥିଲା ନା ତାହାକୁ ଆକ୍ରମଣ କରାଯାଇଥିଲା ସେ ସଂପର୍କରେ କିଛି ଜଣାପଡ଼ିନାହିଁ ।

ପୂର୍ବରୁ ସଂଦେହ କରାଯାଉଥିଲା ଯେ ଏହି ବିମାନଟି ଆଫଗାନିସ୍ତାନ ସରକାରଙ୍କ ଆରିଆନା ଏୟାରଲାଇନ୍ସର ବିମାନ । କିନ୍ତୁ ପରେ ଆଫଗାନିସ୍ତାନ ସରକାର ଓ ବିମାନ କମ୍ପାନି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା । କାବୁଲ ପ୍ରଦେଶର ଗଭର୍ଣ୍ଣର ମଧ୍ୟ କହିଛନ୍ତି ବିମାନଟି ଆଫଗାନିସ୍ତାନର ନଥିଲା ଓ ଏଥିରେ କୌଣସି ଆଫଗାନ ଲୋକ ମୃତାହତ ହୋଇନାହାନ୍ତି । ଅନ୍ୟପକ୍ଷରେ ଏହି ଦୁର୍ଘଟଣା ସଂପର୍କରେ ମନ୍ତବ୍ୟ ଦେବାକୁ ଆମେରିକୀୟ ସେନା ମନା କରିଦେଇଛି । ଏ ସଂପର୍କରେ ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର