ତାମିଲନାଡ଼ୁ ସେଲଟର ହୋମ୍‌ରୁ ୧୫ ନାବାଳିକା ଉଦ୍ଧାର; ଅଶ୍ଳୀଳ ଭିଡିଓ ଦେଖାଇ ଦିଆ ଯାଉଥିଲା ଯୌନ ନିର୍ଯାତନା

ତିରୁଭାନାମାଲାଇ (ତାମିଲନାଡ଼ୁ): ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବିହାର ମୁଜାଫରପୁର ସେଲଟର ହୋମ୍‌ ଗଣ ଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ନଜରକୁ ଆସିଛି ସେହିପରି ଆଉ ଏକ ଜଘନ୍ୟ ଘଟଣା। ଏଘଟଣା ଘଟିଛି ତାମିଲନାଡ଼ୁର ତିରୁଭାନାମାଲାଇରେ ଥିବା ଏକ ସେଲଟର ହୋମ୍‌ରେ। ଏହି ସେଲଟର ହୋମ୍‌ରେ ଆଶ୍ରୟ ନେଇଥିବା ୧୫ ଜଣ ନିରାଶ୍ରୟା ନାବାଳିକା ଅନ୍ତେବାସିନୀଙ୍କୁ ବଳପୂର୍ବକ ଅଶ୍ଳୀଳ ଭିଡିଓ ଦେଖାଯିବା ସହ ସେମାନଙ୍କୁ ଦିଆ ଯାଉଥିଲା ଯୌନ ନିର୍ଯାତନା।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ବିହାର ମୁଜାଫରପୁର ସେଲଟର ହୋମ୍‌ ଗଣ ଦୁଷ୍କର୍ମ ଘଟଣା ପରେ ଦେଶର ସମସ୍ତ ସେଲଟର ହୋମ୍‌ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ସୁପ୍ରିମ୍‌ କୋର୍ଟ ଦେଇଥିବା ନିର୍ଦ୍ଦେଶର ପାଳନ କରା ଯାଉଥିବା ଏହି ଜଘନ୍ୟ ତଥା ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ଜିଲ୍ଲାପାଳ କେ ଏସ୍‌ କଣ୍ଡାସ୍ୱାମୀ ଏହି ସେଲଟର ହୋମ୍‌କୁ ଯାଞ୍ଚ କରୁଥିବା ବେଳେ ଏହି ଘଟଣା ତାଙ୍କ ଦୃଷ୍ଟିକୁ ଆସିଥିଲା। ସେଲଟର ହୋମ୍‌ର ନାବାଳିକା ଅନ୍ତେବାସିନୀମାନେ ଅଭିଯୋଗ କରି କହିଥିଲେ ଯେ ସେଲଟର ହୋମ୍‌ର କେୟାର ଟେକର ସେମାନଙ୍କୁ ବଳପୂର୍ବକ ଅଶ୍ଲୀଳ ଭିଡିଓ ଦେଖାଇବା ସହ ସେମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି। ଏ ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଘଟଣାର ତଦନ୍ତ କରି ଅଭିଯୋଗରେ ସତ୍ୟତା ଥିବା ପ୍ରମାଣ ପାଇବା ପରେ ସେଲଟର ହୋମ୍‌ର କେୟାର ଟେକରକୁ ପୁଲିସ୍‌ ହାତରେ ଗିରଫ କରାଇବା ସହ ସେଲଟର ହୋମ୍‌କୁ ସିଲ୍‌ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର