ତାମିଲନାଡୁ ଜଙ୍ଗଲ ନିଅାଁ: ୨୪ ଭ୍ରମଣକାରୀ ଉଦ୍ଧାର; ଉଦ୍ଧାର କାର୍ଯ୍ୟ ଜାରି

ତେନି: ପୁଲିସ, ଦମକଳବାହିନୀ, ଉଦ୍ଧାରକାରୀ ଲୋକେ ଓ ବନ ଅଧିକାରୀମାନଙ୍କର ମିଳିତ ଦଳ ସାରା ରାତି ଅଭିଯାନ ଚାଲୁ ରଖିବା ପରେ ସୋମବାର ସକାଳ ସୁଦ୍ଧା ତାମିଲନାଡୁର ତେନି ଜିଲ୍ଲା ଅନ୍ତର୍ଗତ କୁରଙ୍ଗୀ ପାହାଡ଼ିଆ ଅଞ୍ଚଳ ଜଙ୍ଗଲରେ ନିଅାଁ ଲାଗିଯିବାରୁ ଅଟକି ରହିଥିବା ୩୯ ଜଣ ପାହାଡ଼ଚଢ଼ାଳିଙ୍କ ମଧ୍ୟରୁ ୨୪ ଜଣଙ୍କୁ ଉଦ୍ଧାର କରିଛନ୍ତି।

ରବିବାର ରାତିରେ ଅଧିକାରୀମାନେ କହିଥିଲେ କି ଅନ୍ୟୂନ ପାଞ୍ଚ ଜଣ ପାହାଡ଼ଚଢ଼ାଳି ନିହତ ହୋଇଛନ୍ତି।

ଉଦ୍ଧାର କରାଯାଇଥିବା ଭ୍ରମଣକାରୀ ପାହାଡ଼ ଚଢ଼ାଳିଙ୍କ ମଧ୍ୟରେ ୪ ଜଣଙ୍କର ଦେହ ୪୦ ରୁ ୯୦ ପ୍ରତିଶତ ପୋଡ଼ି ଯାଇଛି। ସେମାନଙ୍କୁ ମଦୁରାଇସ୍ଥିତ ସରକାରୀ ରାଜାଜୀ ହସ୍‌ପିଟାଲ୍‌କୁ ନିଆ ଯାଇଛି।

କୋଲୁକ୍କୁମାଲାଇ ରୁ କୁରଙ୍ଗି ମଧ୍ୟରେ ୧୦ କିଲୋମିଟର୍‌ ଟ୍ରେକ୍‌ରୁ ୮ କିଲୋମିଟର୍‌ ପର୍ବତ ଉପରେ ଅଗ୍ନିକାଣ୍ଡ ଘଟିଛି। ପାହାଡ଼ ଚଢ଼ି ସେଠାରେ ପହଞ୍ଚିବାକୁ ଉଦ୍ଧାରକାରୀ ଦଳଙ୍କୁ ଲାଗିଥିଲା ତିନିଘଣ୍ଟାର କଠୋର ପରିଶ୍ରମ। ୨୫୦ ଜଣ ସଦସ୍ୟଙ୍କୁ ନେଇ ଏହି ଉଦ୍ଧାରକାରୀ ଦଳ ଗଠିତ ହୋଇଥିଲା।

Image Courtesy of The English Post

ସୋମବାର ସକାଳେ, ଭାରତୀୟ ବାୟୁସେନା ଷ୍ଟେସନ୍‌ରୁ ଦୁଇଟି ହେଲିକାପ୍ଟର୍‌ ସେଠାକୁ ଯାଇଥିଲା। ପାଣି ପକାଇ ସେମାନେ ଦୁଇ ତିନି ଘଣ୍ଟା ମଧ୍ୟରେ ନିଅାଁକୁ ନିୟନ୍ତ୍ରଣ କରି ପାରିବେ ବୋଲି ବାୟୁସେନା ଦଳର ଫ୍ଲାଇଟ୍‌ ଲେଫ୍‌ଟ୍‌ନାଣ୍ଟ୍‌ ମନୋଜ କହିଛନ୍ତି।

ଦୁର୍ଘଟଣା ସ୍ଥଳରୁ ନିବେଦା ନାମ୍ନୀ ଜଣେ ପାହାଡ଼ ଚଢ଼ାଳି ଆମ୍ବୁଲାନ୍‌ସ୍‌ ସେବାକୁ ଫୋନ୍‌ କରିବାରୁ ପ୍ରଥମ ଉଦ୍ଧାର ଅଭିଯାନ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ରବିବାର ଅପରାହ୍ଣରେ ଆରମ୍ଭ ହୋଇଥିଲା। ଆମ୍ବୁଲାନ୍‌ସ୍‌ର ପାରାମେଡିକ୍‌ ଜେଗାଦୀସ ପ୍ରଥମେ ସେଠାରେ ପହଞ୍ଚି ଆହତମାନଙ୍କର ସେବା କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସି ବିଜୟ ବାସ୍କର ପାହାଡ଼ ପାଦଦେଶରେ ପହଞ୍ଚି କହିଛନ୍ତି କି ଆହତ ପାହାଡ଼ ଚଢ଼ାଳିଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଦଳ ଡାକ୍ତରଖାନା ପ୍ରସ୍ତୁତ ହୋଇ ରହିଛି।

୩୯ ଜଣ ପାହାଡ଼ ଚଢ଼ାଳିଙ୍କ ମଧ୍ୟରୁ ୧୨ ଜଣ ଏରୋଡ଼ର ଏବଂ ୨୭ ଜଣ ଚେନ୍ନାଇର। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ନିଅାଁ ଘେରରେ ପଶି ରହିଯାଇଥିବା ପାହାଡ଼ ଚଢ଼ାଳିମାନେ ଏକ ଶୁଖିଲା ଝରଣାରେ ଆଶ୍ରୟ ନେଇ ଥିଲେ। କନ୍ତୁ, ସେଥିରେ ଥିବା ଶୁଖିଲା ଘାସରେ ନିଅାଁ ଲାଗିଯିବାରୁ ତାହା ମଧ୍ୟ ହୁତୁ ହୁତୁ ହୋଇ ଜଳିଥିଲା।

ସମ୍ବନ୍ଧିତ ଖବର