ଡିଏମକେ ନେତା ଷ୍ଟାଲିନ୍‌କୁ ସାତ ବର୍ଷ ଜେଲରେ ପୁରାଇଦେବା ଧମକ ଦେଲେ ରାଜ୍ୟପାଳ

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟପାଳ ବନଓ୍ଵାରିଲାଲ ପୁରୋହିତ ବିଭିନ୍ନ ଜିଲ୍ଲାଗସ୍ତ କରି ଲୋକମାନଙ୍କ ସହିତ ପ୍ରତ୍ୟେକ୍ଷ ସମ୍ପର୍କ ରଖୁଥିବାରୁ ଏହାକୁ ବିରୋଧ କରି ଡିଏମକେ କାର୍ଯ୍ୟକାରୀ ସଭାପତି ଷ୍ଟାଲିନ କହିଛନ୍ତି ଯେ ରାଜ୍ୟପାଳ ପୁରୋହିତ ରାଜ୍ୟରେ ପ୍ରତ୍ୟେକ୍ଷ ରାଜନୀତିରେ ସମ୍ପୃକ୍ତ ହୋଇଛନ୍ତି। ତେଣୁ ତାଙ୍କୁ ବିରୋଧ କରି ସେ ଯେପରି ରାଜଭବନ ବାହାରକୁ ଯାଇ ନ ପାରିବେ ସେଥିପାଇଁ ରାଜଭବନ ବାହାରେ ଡିଏମକେ ପକ୍ଷରୁ ପ୍ରତିବାଦ କରାଯିବ। ଏହାର ପ୍ରତିକ୍ରିୟାରେ ତାମିଲନାଡୁ ରାଜଭବନ ପକ୍ଷରୁ କୁହାଯାଇଛି ଯେ, ଆଇପିସିର ଧାରା ୧୨୪ ଅନୁଯାୟୀ, ରାଜଭବନ ବା ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ସୁରକ୍ଷା ଯୋଗାଇ ଦିଆଯାଇଥାଏ। ରାଜ୍ୟପାଳଙ୍କୁ ତାଙ୍କ କାର୍ଯ୍ୟରେ ବାଧା ଦେଲେ ସମ୍ବିଧାନର ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରାଜ୍ୟପାଳ ୭ ବର୍ଷ ଜେଲ ଓ ଜରିମାନରେ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି। ତେଣୁ ଯଦି ଡିଏମକେ ନେତା ରାଜ୍ୟପାଳଙ୍କ ଜିଲ୍ଲା ଗସ୍ତକୁ ଯେପରି ତାଙ୍କ ଦଳୀୟ କର୍ମୀଙ୍କ ଦ୍ୱାରା ବିରୋଧ କରୁଛନ୍ତି, ସେଥିରୁ ବିରତ ନ ହୁଅନ୍ତି, ତେବେ ତାଙ୍କୁ ଦଣ୍ଡିତ ହେବାକୁ ପଡ଼ିବ ବୋଲି ରାଜଭବନ ପକ୍ଷରୁ ରବିବାର ଦିନ ଜାରି ବିବୃତିରେ କୁହାଯାଇଛି।
ରାଜଭବନର ଏହି ବକ୍ତବ୍ୟକୁ ନିନ୍ଦା କରି ଷ୍ଟାଲିନ କହିଛନ୍ତି ଯେ ରାଜ୍ୟପାଳ ବିଭିନ୍ନ ଜିଲ୍ଲା କୁ ଗସ୍ତ କରି ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିବା ଦ୍ୱାରା ପ୍ରତ୍ୟେକ୍ଷ ରାଜନୀତିରେ ସମ୍ପୃକ୍ତହୋଇ ପଡ଼ିଛନ୍ତି। ତେଣୁ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟପାଳଙ୍କ ଜିଲ୍ଲା ଗସ୍ତକୁ ଡିଏମକେ ବିରୋଧ କରିବ ବୋଲି ଷ୍ଟାଲିନ କହିଛନ୍ତି। ଅପରପକ୍ଷେ ଡିଏମକେ ନେତା ଷ୍ଟାଲିନ ଆଇନ ବିଷୟରେ ଅଜ୍ଞ ଅଛନ୍ତି କିମ୍ବା ଜାଣିଶୁଣି ଆଇନଭଙ୍ଗ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ରାଜଭବନ ପକ୍ଷରୁ କୁହାଯାଇଛି ।ରାଜ୍ୟପାଳଙ୍କୁ ରାଜ୍ୟରେ ଅଖଣ୍ଡ କ୍ଷମତା ଦିଆଯାଇଛି। ସେ ରାଜ୍ୟର ଯେ କୌଣସି ଅଞ୍ଚଳକୁ ଯାଇ ପାରିବେ କିମ୍ବା ଯେ କୌଣସି ସରକାରୀ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରି ପାରିବେ। ଏଥିରୁ ତାଙ୍କୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର