ତାମିଲନାଡ଼ୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବ୍ୟାନର, ହୋର୍ଡିଂରୁ ଜୀବନ୍ତ ବ୍ୟକ୍ତିଙ୍କ ଫଟୋ ହଟିବ

ଚେନ୍ନାଇ: ରାଜନେତା ଏବଂ ଅଭିନେତାମାନଙ୍କୁ ତାମିଲନାଡ଼ୁରେ ସମ୍ମାନ ଦିଆଯାଇ ସେମାନଙ୍କ ଫଟୋଚିତ୍ରକୁ ବ୍ୟାନର ଏବଂ ପୋଷ୍ଟରରେ ଲଗାଇବା ସାଧାରଣ କଥା। କିନ୍ତୁ ଏବେ ଏହି ସଂସ୍କୃତିରେ ପୂର୍ଣ୍ଣଛେଦ ପଡ଼ିବ। ତାମିଲନାଡ଼ୁରେ ସମସ୍ତ ବ୍ୟାନର ଏବଂ ହୋର୍ଡିଂଗୁଡ଼ିକରୁ ଜୀବନ୍ତ ବ୍ୟକ୍ତିଙ୍କର ଫଟୋ ହଟିବ ବୋଲି ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ସ୍ୱଚ୍ଛ ପରିବେଶ ଓ ସ୍ୱଚ୍ଛ ବାତାବରଣ ସୃଷ୍ଟି କରିବାପାଇଁ କୋର୍ଟ ତାମିଲନାଡ଼ୁର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ବାବଦରେ କୋର୍ଟ କହିଛନ୍ତି ଯେ ରାଜ୍ୟର ସମସ୍ତ ଓ୍ଵାର୍ଡ ଗୁଡ଼ିକରେ ଲାଗିଥିବା ଅନାବଶ୍ୟକ ଜୀବନ୍ତ ବ୍ୟକ୍ତିଙ୍କ ହୋର୍ଡିଂ ହଟାଯାଉ ଏବଂ କୌଣସି କୋଠା ଏବଂ ଘରର କାନ୍ଥରୁ ମଧ୍ୟ ରାଜନେତା ଏବଂ ଫିଲ୍ମ ଅଭିନେତାମାନଙ୍କ ଫଟୋ ଚିତ୍ର ହଟାଇ ଦିଆଯାଉ। କୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ତାମିଲନାଡ଼ୁରେ ଏଣିକି କୌଣସି ପୋଷ୍ଟର ଏବଂ ହୋର୍ଡିଂରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀ ଏବଂ ରାଜନେତାମାନଙ୍କ ଫଟୋ ରହିପାରିବ ନାହିଁ। ଜଣେ ଚେନ୍ନାଇ ବାସିନ୍ଦଙ୍କ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଥିରୁଲୋଚନାଙ୍କ ଘର ସାମ୍ନାରେ ଲାଗିଥିବା ଏକ ଦଳୀୟ ବୋର୍ଡ ଓ ବ୍ୟାନର ହଟାଇବାପାଇଁ ସେ ପୁଲିସରେ ଆବେଦନ କରିଥିଲେ । କିନ୍ତୁ ପୁଲିସ ତାଙ୍କ ଆବେଦନ ଗ୍ରହଣ ନ କରିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ନିର୍ଦ୍ଦେଶକୁ ବିଭିନ୍ନ ମହଲ ସ୍ୱାଗତ କରିଛନ୍ତି।

ସମ୍ବନ୍ଧିତ ଖବର