ତାମିଲନାଡୁ ତମାଖୁ ଦୁର୍ନୀତି; ମନ୍ତ୍ରୀ, ଡିଜିଙ୍କ ଘରେ ସିବିଆଇ

ଚେନ୍ନାଇ: ତାମିଲନାଡୁ ତମାଖୁ ଦୁର୍ନୀତି ମାମଲାରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ସି ବିଜୟ ବସ୍କର ଏବଂ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଟି କେ ରାଜେନ୍ଦ୍ରନ୍‌ଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବାସଭବନରେ ସିବିଆଇ ଚଢ଼ଉ ହୋଇଛି। ଆଜି ସକାଳ ୭ଟାରେ ସିବିଆଇ ଏହି ଚଢ଼ଉ କରିଛି। ବସ୍କର ଓ ରାଜେନ୍ଦ୍ରନ୍‌ଙ୍କ ବ୍ୟତୀତ ପୂର୍ବତନ ପୁଲିସ କମିସନର ଏସ୍‌ ଜର୍ଜ ଏବଂ ବିଭିନ୍ନ ବରିଷ୍ଠ ପୁଲିସ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ବିଭାଗ ଅଧିକାରୀଙ୍କ ବାସଭବନ ସମେତ ମୋଟ ୪୦ଟି ସ୍ଥାନରେ ଚଢ଼ଉ ହୋଇଥିଲା। ଉଲ୍ଲେଖଯୋଗ୍ୟ, ୨୦୧୬ ମସିହାରେ ଏହି ତମାଖୁ ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିଲା। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ବସ୍କର, ରାଜେନ୍ଦ୍ରନ୍‌, ଜର୍ଜ ଏବଂ କେତେକ ଆଇପିଏସ୍‌ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ନିଷିଦ୍ଧ ହୋଇଥିବା ଗୁଟ୍‌ଖାକୁ ଗଚ୍ଛିତ ରଖିବା, ଏହାର ସ୍ଥାନାନ୍ତରଣ ଏବଂ ବିକ୍ରି ନେଇ ଉପରୋକ୍ତ ଅଧିକାରୀମାନେ ସହଯୋଗ କରୁଥିଲେ ଏବଂ ଏ ବାବଦରେ ୩୯.୯୧ କୋଟି ଟଙ୍କା ଲାଞ୍ଚ ନେଇଥିଲେ। ବ୍ୟବସାୟୀ ମାଧବ ରାଓଙ୍କ ବାସଭବନରେ ଚଢ଼ଉ ସମୟରେ ମିଳିଥିବା ଏକ ଡାଏରିରୁ କିଛି ବ୍ୟକ୍ତିଙ୍କ ନାମ ଜଣାପଡ଼ିଥିଲା ଏମାନେ ନିଶାଦ୍ରବ୍ୟ ପ୍ରସ୍ତୁତକାରୀ କମ୍ପାନି ଗୁଡ଼ିକରୁ ଲାଞ୍ଚ ନେଉଥିବା ଅନୁମାନ କରାଯାଇଥିଲା। ପ୍ରଥମେ ରାଜ୍ୟର ଦୁର୍ନୀତି ନିରୋଧ ଶାଖା ଡିଭିଏସି ଏହି ମାମଲାର ତଦନ୍ତ କରୁଥିଲା। କିନ୍ତୁ ପରେ ଏପ୍ରିଲ୍‌ ମାସରେ ଜଣେ ଡିଏମ୍‌କେ ନେତାଙ୍କ ଆବେଦନ କ୍ରମେ ମାଡ୍ରାସ ହାଇକୋର୍ଟ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର