ସିଡବ୍ଲ୍ୟୁସି ବୈଠକରେ ୨୦୧୯ ରଣନୀତି : ୩୦୦ ଆସନ ଉପରେ ଆଖି

ନୂଆଦିଲ୍ଲୀ: ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଯାଇଛି। ଆଜି କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ନେଇ ଠୋସ ରଣନୀତି ପ୍ରସ୍ତୁତ ହୋଇଛି। ସାଧାରଣ ନିର୍ବାଚନରେ କିଭଳି ୩୦୦ ଲୋକସଭା ଆସନ ହାସଲ କରିହେବ, ସେ ନେଇ ରଣନୀତି ପ୍ରସ୍ତୁତ ହୋଇଛି। ତେବେ କେନ୍ଦ୍ରରେ ଶାସନ ଭାର ହାତମୁଠାକୁ ନେବାକୁ ହେଲେ ମେଣ୍ଟ ହିଁ ଭରସା ସାଜିବ ବୋଲି ଦଳ ନିଶ୍ଚିତ ହୋଇଛି। କେନ୍ଦ୍ରରେ ଏନ୍‌ଡିଏ ବିରୋଧରେ ଯେଉଁ ରଣନୀତିକ ମେଣ୍ଟ ତିଆରି କରାଯିବ, ତାହାର ନେତୃତ୍ୱ ରାହୁଲ ନେବେ ଏବଂ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ରାହୁଲଙ୍କୁ କ୍ଷମତାପନ୍ନ କରାଯାଇଛି। ବୈଠକରେ ଉପସ୍ଥିତ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ଏକ ପ୍ରସ୍ତାବ ରଖି ୩୦୦ ଆସନ କଥା ଉଠାଇଥିଲେ। ତାଙ୍କ ପ୍ରସ୍ତାବ ମୁତାବକ ଦେଶର ୧୨ଟି ରାଜ୍ୟରେ କଂଗ୍ରେସର ସ୍ଥିତି ମଜଭୁତ ରହିଛି। ତେଣୁ ଏଠାରେ ଉପଯୁକ୍ତ ରଣକୌଶଳ ତିଆରି କରି ୧୫୦ ଆସନ ଅକ୍ତିଆର କରାଯାଇ ପାରିବ। ଅନ୍ୟପକ୍ଷରେ ଯେଉଁ ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଛି, ସେଠାରେ ମେଣ୍ଟ ହିଁ ମୁଖ୍ୟ ଆଧାର ସାଜିବ। ଏହି ରାଜ୍ୟଗୁଡ଼ିକରେ ମେଣ୍ଟ ଗଠନ କରାଯାଇ ଆଉ ଅତିକମ୍‌ରେ ୧୫୦ ଆସନ ହାସଲ କରାଯାଇ ପାରିବ। ଏହିଭଳି ଭାବେ ଚିଦମ୍ବରମ୍‌ ୩୦୦ ଆସନ ଉପରେ ରଣନୀତି ତିଆରି ପାଇଁ ପ୍ରସ୍ତାବ ରଖିଥିଲେ, ଯାହା କି କମିଟି ଗ୍ରହଣ କରିନେଇଥିବା ଜଣାଯାଇଛି।

ମେଣ୍ଟ ଗଠନ ନିଷ୍ପତ୍ତି ପାଇଁ ରାହୁଲଙ୍କୁ କ୍ଷମତା
କୃଷି ଅଭିବୃଦ୍ଧି ୧୪% ହେଲେ ଚାଷୀ ଆୟ ଦୁଇଗୁଣ ହେବ: ମନମୋହନ

ଅନ୍ୟପକ୍ଷରେ ରାହୁଲଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ଏହି ସିଡବ୍ଲ୍ୟୁସି ବୈଠକରେ ରଣନୀତିକ ମେଣ୍ଟ କଥା ଉଠିଥିଲା। ସଚିନ୍‌ ପାଇଲଟ୍‌, ଶକ୍ତି ସିଂହ ଗୋହିଲ, ରମେଶ ଚେନ୍ନଥଲା ପ୍ରମୁଖ କଂଗ୍ରେସ ନେତା ମେଣ୍ଟ ପାଇଁ କିଛି ସର୍ତ୍ତ ରଖିଥିଲେ। କହିଥିଲେ, ମେଣ୍ଟ ଯେଉଁ ଦଳଗୁଡ଼ିକ ସହିତ ହେଉ ପଛେ, କିନ୍ତୁ କେନ୍ଦ୍ରରେ କଂଗ୍ରେସ ହିଁ ମୁଖ୍ୟ ରହିବ ଏବଂ ଏହାର ନେତୃତ୍ୱ ରାହୁଲ ଗାନ୍ଧୀ ନେବେ। ଏହା ଉପରେ ବି କିଛି ସମୟ ଧରି ଚର୍ଚ୍ଚା ଚାଲିଥିଲା। ବୈଠକରେ ଉପସ୍ଥିତ ଦଳର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ଆତ୍ମପ୍ରଶଂସା ଏବଂ ମିଥ୍ୟା ପ୍ରତିଶ୍ରୁତି ଆଦିକୁ ସମାଲୋଚନା କରିବା ସହିତ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ କେନ୍ଦ୍ର ସରକାର ଚଳାଇଥିବା ଯୋଜନାକୁ ଖାରଜ କରିଥିଲେ। ସେ କହିଥିଲେ, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ହେଲେ କୃଷି ଅଭିବୃଦ୍ଧି ଅତିକମ୍‌ରେ ୧୪% ହେବା ଦରକାର। କିନ୍ତୁ ଏହା ଅସମ୍ଭବ ଲାଗୁଛି ବୋଲି ମନମୋହନ କହିଥିଲେ। ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୋଦୀ ସରକାରଙ୍କୁ ସମାଲୋଚନା କରିଥିଲେ। ମୋଦୀ ସରକାରଙ୍କ ଅବଗଣନା ଆରମ୍ଭ ହୋଇଗଲାଣି ବୋଲି ସେ କହିଥିଲେ। ବୈଠକରେ ରାହୁଲ ଗାନ୍ଧୀ ଦଳୀୟ ନେତାଙ୍କୁ ଭବିଷ୍ୟତ ପାଇଁ କିଛି ମନ୍ତ୍ର ଦେଇଥିଲେ। ସେ କହିଥିଲେ, ବର୍ତ୍ତମାନ ବିଜେପି ସରକାର ଦେଶର ଗରିବ ଓ ଦଳିତ ଲୋକଙ୍କ ଦମନ ଲୀଳା ଚଳାଇଛନ୍ତି। ତେଣୁ ଏଭଳି ପରିସ୍ଥିତିରେ ସେମାନଙ୍କ ପାଇଁ ଲଢ଼ିବାକୁ ସେ ନେତାମାନଙ୍କୁ କହିଥିଲେ।

ବୈଠକରେ ଦଳର ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ୱିବେଦୀ ଓ ଦିଗ୍‌ବିଜୟ ସିଂହ ଯୋଗଦେଇ ନ ଥିଲେ। ସେମାନଙ୍କୁ ସିଡବ୍ଲ୍ୟୁସିରେ ସାମିଲ କରାଯାଇ ନ ଥିବା ବେଳେ ଆଜିର ବୈଠକରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେମାନେ ଆସି ନ ଥିଲେ। ଏହାକୁ ନେଇ ଆଜି ଦିନସାରା ଚର୍ଚ୍ଚା ହୋଇଥିବା ଦେଖିବାକୁ ମିଳିଥିଲା। ସିଡବ୍ଲ୍ୟୁସି ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ସିଡବ୍ଲ୍ୟୁସି ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ ଏବଂ ଏଆଇସିସି ସମ୍ପାଦକ ଡଃ ବିଶ୍ୱରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର