ଟାର୍ଗେଟ୍‌ରେ ସେନା ଶିବିର

ସ୍ୱାଧୀନତା ଦିବସରେ ଆତଙ୍କୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖ ସ୍ୱାଧୀନତା ଦିବସରେ ଲସ୍କର ଓ ଜୈସ୍‌ ଆତଙ୍କବାଦୀମାନେ ଏକ ବଡ଼ଧରଣର ଆକ୍ରମଣ ଘଟାଇବାକୁ ପ୍ରସ୍ତୁତିରେ ଲାଗିଛନ୍ତି। ବିଭିନ୍ନ ସେନା ଶିବିର ଉପରେ ଆକ୍ରମଣ ପାଇଁ ସେମାନଙ୍କ ଯୋଜନା ରହିଛି। ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ଏଭଳି ରିପୋର୍ଟ ଦେଇଛନ୍ତି। ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‌ ଖାନ୍‌ ଆସନ୍ତା ୧୪-୧୫ ତାରିଖରେ ଶପଥ ନେବାକୁ ଯାଉଥିବା ବେଳେ ଦେଶର ଆତଙ୍କବାଦୀମାନେ ସେହି ସମୟରେ ଭାରତ ଉପରେ ଆକ୍ରମଣ ଭିଆଇବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏହି ଦୁଇଦିନ ମଧ୍ୟରେ ସେନା ଶିବିରରେ ବଡ଼ଧରଣର ଆକ୍ରମଣ ଆଶଙ୍କା ଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏକ ରିପୋର୍ଟରୁ ଜଣାଯାଇଛି ଯେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏବଂ ଜୈସ୍‌-ଏ-ମହମ୍ମଦର ୨୦ ଆତଙ୍କବାଦୀ ଜମ୍ମୁ-କଶ୍ମୀର ସୀମା ସଂଲଗ୍ନ ଅଞ୍ଚଳଗୁଡ଼ିକରେ ପଇଁତରା ମାରୁଛନ୍ତି। କେଉଁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କୋହଳ ରହିଛି, ତାହାର ଯାଞ୍ଚ କରୁଛନ୍ତି। ଏମିତି କି ନିୟନ୍ତ୍ରଣ ରେଖାରେ ମଧ୍ୟ ବହୁ ପୂର୍ବରୁ କିଛି ଆତଙ୍କବାଦୀ ଲୁଚିରହିଛନ୍ତି। ସେମାନଙ୍କୁ ଭାରତୀୟ ସେନା ଶିବିର ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ରହିଛି। ସେମାନେ ପ୍ରତି ମୁହୂର୍ତ୍ତରେ ସୀମାରେ ଘଟୁଥିବା ଘଟଣା ଉପରେ ନଜର ରଖି ଆତଙ୍କବାଦୀ ସଂଗଠନ ମୁଖ୍ୟଙ୍କୁ ସୂଚନା ଦେଉଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ମଧ୍ୟ ଉଭୟ ଆତଙ୍କବାଦୀ ଗୋଷ୍ଠୀର ଅନବରତ ଯୋଗାଯୋଗ ଚାଲିଛି। ଟଙ୍ଗଧାର କ୍ଷେତ୍ରରେ ଥିବା ଭାରତୀୟ ସେନା ଶିବିର ଉପରେ ଆକ୍ରମଣ ପାଇଁ ଲସ୍କର ଆତଙ୍କବାଦୀ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ବାରାମୂଳା ଇଲାକାରେ ଆକ୍ରମଣ ନିମନ୍ତେ ଜୈସ୍‌ ଆତଙ୍କବାଦୀମାନଙ୍କୁ ପଠାଯାଇଛି। ପଟ୍ଟନ୍‌ ଓ ବାରାମୂଳା ସହର ମଧ୍ୟବର୍ତ୍ତୀ ଇଲାକାରେ ସେମାନେ ଆକ୍ରମଣ କରିପାରନ୍ତି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର