ଟାର୍ଗେଟ୍‌ରେ ଚୀନ୍‌: ହାତ ମିଳାଇଲେ ଭାରତ-ଫ୍ରାନ୍ସ

ସାମରିକ ସହଯୋଗ ସମେତ ୧୪ ଚୁକ୍ତି ସ୍ୱାକ୍ଷର କଲେ ମାକ୍ରନ୍‌

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ସମ୍ପ୍ରତି ଭାରତ ଗସ୍ତରେ ଆସିଥିବା ବେଳେ ଦୁଇ ଦେଶ ମଧ୍ୟରେ ସାମରିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଆଜି ଆଉ ଏକ ମୂଳଦୁଆ ପଡ଼ିଛି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପରିବର୍ତ୍ତନଶୀଳ ସୁରକ୍ଷା ପ୍ରକ୍ରିୟାରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ସମେତ ପ୍ରତିରକ୍ଷା, ସୁରକ୍ଷା, ଆଣବିକ ଶକ୍ତି ଏବଂ ବର୍ଗୀକୃତ ସୂଚନା ସୁରକ୍ଷା ଆଦି ୧୪ଟି ରାଜିନାମା ଶନିବାର ସ୍ୱାକ୍ଷରିତ ହୋଇଛି। ସେହିପରି ଆତଙ୍କବାଦ ବିରୋଧୀ ଅଭିଯାନରେ ଦୁଇ ଦେଶର ମିଳିତ ଉଦ୍ୟମ ଜାରି ରହିବ ବୋଲି ମଧ୍ୟ ରାଷ୍ଟ୍ରପତି ମାକ୍ରନ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ବିବୃତିରେ କହିଛନ୍ତି। ଅନ୍ୟ ରାଜିନାମାଗୁଡ଼ିକ ମଧ୍ୟରେ ରେଳବାଇ, ପରିବେଶ, ସୌର ଶକ୍ତି, ସାମୁଦ୍ରିକ ସଚେତନତା ଆଦି ପ୍ରସଙ୍ଗ ରହିଥିବୈା ବେଳେ ବିଶେଷ କରି ଦକ୍ଷିଣ ଚୀନ୍‌ ସାଗରକୁ କବ୍‌ଜା କରିବା ପରେ ଭାରତ ମହାସାଗରରେ ଚୀନ୍‌ର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବକୁ ଦୃଷ୍ଟିରେ ରଖି ମୋଦି-ମାକ୍ରନ୍‌ ଆଜି ସ୍ୱାକ୍ଷର କରିଥିବା ସାମରିକ ସହଯୋଗ ସମ୍ପର୍କିତ ରାଜିନାମା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଆଜି ସ୍ୱାକ୍ଷରିତ ହୋଇଥିବା ରାଜିନାମା ଦ୍ୱାରା ଦୁଇ ଦେଶର ସେନାବାହିନୀ ମଧ୍ୟରେ ସାମରିକ ଜ୍ଞାନକୌଶଳର ଆଦାନପ୍ରଦାନ ହୋଇପାରିବ। ସେହିପରି କୌଣସି ବର୍ଗୀକୃତ ସୂଚନା ପ୍ରଘଟ ନକରିବା ପାଇଁ ମଧ୍ୟ ଦୁଇଦେଶ ରାଜି ହୋଇଛନ୍ତି। ସମ୍ପ୍ରତି ଫ୍ରାନ୍ସ ସହ ବହୁ କୋଟିର ରାଫେଲ୍‌ ଯୁଦ୍ଧ ବିମାନ କିଣା ଚୁକ୍ତିକୁ ନେଇ ଭାରତ ସରକାର ବିରୋଧୀ ଦଳର ଆକ୍ଷେପର ଶିକାର ହୋଇଥିବା ବେଳେ ସରକାର ସେ ସଂକ୍ରାନ୍ତ କୌଣସି ସୂଚନା ଦେଉନାହାନ୍ତି। ଏପରି ସ୍ଥଳେ ଏହି ଚୁକ୍ତି ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ରାଷ୍ଟ୍ରପତି ମାକ୍ରନ୍‌ କହିବା ସହ ଭାରତୀୟ ନୌବାହିନୀ ପାଇଁ ସ୍କୋର୍ପିନ୍‌ ବୁଡ଼ାଜାହାଜ ପ୍ରକଳ୍ପ ଏବଂ ବାୟୁସେନା ପାଇଁ ଲଢ଼ୁଆ ଜେଟ୍‌ ରାଫେଲ୍‌ କିଣା ଉଭୟଙ୍କ ପାଇଁ ମଙ୍ଗଳକର ବୋଲି କହିଛନ୍ତି। ସେପଟେ ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର ଏକଚାଟିଆ ଆଧିପତ୍ୟ ପଡ଼ୋଶୀ ତଟରାଷ୍ଟ୍ରଗୁଡ଼ିକ ସମେତ ସାରା ବିଶ୍ୱର ଚିନ୍ତା ବଢ଼ାଇ ଦେଇଥିବା ବେଳେ ଭାରତ ମହାସାଗରରେ ମଧ୍ୟ ଚୀନ୍‌ ଅନୁରୂପ ପ୍ରଭାବ ବିସ୍ତାର ପାଇଁ ମନ ବଳାଇଛି। ଗତବର୍ଷ ପୂର୍ବ ଆଫ୍ରିକାର ଦିବୌତି ଠାରେ ଏକ ନୌଘାଟି ଏବଂ ପାକିସ୍ତାନରେ ଗ୍ଵାଦର ବନ୍ଦର ନିର୍ମାଣ କରିବା ଘଟଣା ଚୀନ୍‌ର ଭାରତମହାସାଗର ଦଖଲକୁ ଇଙ୍ଗିତ କରୁଛି। ତେବେ ସୁଏଜ୍‌ କେନାଲ୍‌ ଠାରୁ ମଲାକ୍କା ପ୍ରଣାଳୀ ଯାଏ ବ୍ୟାପିଥିବା ଏହି ବିଶାଳ ଭାରତ ମହାସାଗରୀୟ ଇଲାକାରେ କୌଣସି ବାହୁବଳୀ ରାଷ୍ଟ୍ରର ଦାଦାଗିରିକୁ ବରଦାସ୍ତ କରାଯିବନି ବୋଲି ପରୋକ୍ଷରେ ଚୀନ୍‌କୁ ଇଙ୍ଗିତ କରି ମାକ୍ରନ୍‌ କହିଛନ୍ତି। ଏ ପ୍ରସଙ୍ଗରେ ଶନିବାର ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସ୍ୱାକ୍ଷରିତ ସାମରିକ ସହଯୋଗ ରାଜିନାମା ଭାରତ ମହାସାଗରରେ ଭାରତର ପ୍ରଭାବକୁ ସମ୍ପ୍ରସାରିତ କରିବ ବୋଲି ଆଶାକରାଯାଉଛି। ସାମୁଦ୍ରିକ ଅଞ୍ଚଳରେ ଉଭୟ ଭାରତ ଓ ଫ୍ରାନ୍ସର ପୃଥକ୍‌ ନିରୀକ୍ଷଣ ପ୍ରଣାଳୀ ରହିଥିବା ବେଳେ ଏଣିକି ଏ କ୍ଷେତ୍ରରେ ଉଭୟ ପରସ୍ପରର ସହଯୋଗ ଲୋଡ଼ିପାରିବେ। ଉଭୟ ଦେଶର ନୌବାହିନୀ ଏଣିକି ଆବଶ୍ୟକ ସ୍ଥଳେ ପ୍ରତିପକ୍ଷର ସୂଚନା ଜ୍ଞାନକୁ ବିନିଯୋଗ କରିପାରିବା ସହ ନୌଘାଟିକୁ ମଧ୍ୟ ବ୍ୟବହାର କରିପାରିବେ। ଭାରତ ହିଁ ଫ୍ରାନ୍ସର ପ୍ରଥମ ସାମରିକ ଅଂଶୀଦାର ହେବାକୁ ମାକ୍ରନ୍‌ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର