ଟାର୍ଗେଟ୍‌ରେ କଶ୍ମୀର ଜନବସତି

ପାକ୍‌ ଗୁଳିରେ ୨ ସାଧାରଣ ନାଗରିକ ମୃତ, ୧୧ ଆହତ

ଶ୍ରୀନଗର: ପାକ୍‌ ରେଞ୍ଜର୍ସମାନେ ଆଜି ବି ଜମ୍ମୁ କଶ୍ମୀରରେ ଲଗାତାର ଅସ୍ତ୍ରବିରତି ଉଲ୍ଳଂଘନ ଜାରି ରଖିଛନ୍ତି। ପାକ୍‌ ଗୁଳିରେ ୨ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ସକାଳ ପାଖାପାଖି ସାଢ଼େ ୬ଟାରୁ ପାକ୍‌ ରେଞ୍ଜର୍ସମାନେ ଆରଏସ୍‌ ପୁରା, ଆର୍ନିଆ ଏବଂ ରାମ୍‌ଗଡ଼ ସବ୍‌ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ପ୍ରବଳ ଗୁଳିଗୋଳା ବର୍ଷଣ କରିଛନ୍ତି। ଏଥିରେ ଆର୍‌ଏସ୍‌ ପୁରା ସେକ୍ଟର ଅନ୍ତର୍ଗତ ସାଇ ଖୁର୍ଦର ବାସିନ୍ଦା ବଚ୍‌ନୋ ଦେବୀ ଏବଂ କୋରୋଟନାର ସୁନୀଲ କୁମାରଙ୍କର ମୃତ୍ୟୁ ହେବା ସହ ୪ ଜଣ ଆହତ ହୋଇଛନ୍ତି। ସେହିପରି କାଠୁଆର ହୀରାନଗର ସେକ୍ଟରରେ ପାକ୍‌ ଗୁଳିରେ ୫ ଜଣ ଏବଂ ରାମଗଡ଼ ସେକ୍ଟରରେ ମଧ୍ୟ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଅପରପକ୍ଷେ, ଭାରତୀୟ ସେନା ମଧ୍ୟ ପାକିସ୍ତାନ ଗୁଳିର ଉଚିତ୍‌ ଜବାବ ସ୍ୱରୂପ ପାଲଟା ଆକ୍ରମଣ ଜାରି ରଖିଛି। ଗତକାଲି ମଧ୍ୟ ପାକ୍‌ ରେଞ୍ଜର୍ସମାନେ ଆର୍‌ଏସ୍‌ ପୁରା, ଆର୍ନିଆ ଏବଂ ରାମଗଡ଼ ସେକ୍ଟରର ସୀମାନ୍ତ ଗାଁଗୁଡ଼ିକୁ ନିଶାଣ କରି ପ୍ରବଳ ଗୁଳିଗୋଳା ମାଡ଼ କରିଥିଲେ। ଏଥିରେ ଜଣେ ବିଏସ୍‌ଏଫ୍‌ ହେଡ୍‌ କନଷ୍ଟେବଳ ସହିଦ ହୋଇଥିବାବେଳେ ଜଣେ ସ୍ଥାନୀୟ କିଶୋରୀ ମଧ୍ୟ ଆଖି ବୁଜିଥିଲେ। ପାକିସ୍ତାର ଏପରି ଅସ୍ତ୍ରବିରତି ଉଲ୍ଲଂଘନକୁ ଦୃଷ୍ଟିରେ ରଖି ସତର୍କତା ପଦକ୍ଷେପମୂଳକ ସୀମା ନିକଟଗ୍ରାମ ଗୁଡ଼ିକରୁ ୧୦୦୦ରୁ ଅଧିକ ପରିବାରକୁ ସ୍ଥାନାନ୍ତର କରାଯାଇସାରିଛି। ଆର୍‌ଏସ୍‌ ପୁରା ଓ ଆର୍ନିଆ ସେକ୍ଟରରେ ସ୍କୁଲ୍‌ଗୁଡ଼ିକ ବନ୍ଦ ରହିଛି।

ସମ୍ବନ୍ଧିତ ଖବର