ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଏସ୍‌ପିଓ

୩ ଜଣଙ୍କୁ ଅପହରଣ ପରେ ହତ୍ୟା, ୫ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ୩ ଜଣ ସ୍ୱତନ୍ତ୍ର ପୁଲିସ ଅଫିସର୍‌ (ଏସ୍‌୍‌ପିଓ)ଙ୍କୁ ଗତକାଲି ଆତଙ୍କବାଦୀମାନେ ଅପହରଣ କରିନେଇ ହତ୍ୟା କରିବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପୁଲିସ ମହଲରେ ଭୟ ସଂଚାର କରିଥିବା ବେଳେ ଆତଙ୍କବାଦୀଙ୍କ ଧମକ ଯୋଗୁଁ ୭ ଜଣ ଏସ୍‌୍‌ପିଓ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଗତକାଲି ଅପରାହ୍ନାରେ ସେପିଆନ୍‌ରୁ ଏସ୍‌୍‌ପିଓ ନିସାର୍‌ ଅହମ୍ମଦ, ଫିର୍‌୍‌ଦୋସ୍‌ ଅହମ୍ମଦ ଏବଂ କୁଲ୍‌ଓ୍ଵନ୍ତ ସିଂହଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ଆଜି ଭୋର୍‌ ସମୟରେ ସେମାନଙ୍କ ଶବ ଉଦ୍ଧାର ହୋଇଛି । ତେବେ ଗୃହମନ୍ତ୍ରାଳୟ ଇସ୍ତଫା ଘଟଣାକୁ ଗୁଜବ ବୋଲି କହିଛି। ପୁଲିସର ମନୋବଳ ଭାଙ୍ଗିବାକୁ ଏହା ଅପପ୍ରଚାର ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ସୋପିଆନ୍‌ ଏବଂ ବାନ୍ଦିପୁରା ଜିଲ୍ଲାରେ ଆଜି ପୁଲିସ, ସେନା ଓ ସିଆର୍‌୍‌ପିଏଫ୍‌ର ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ୫ ଜଣ ଆତଙ୍କବାଦୀଙ୍କୁ ସେନା ଆଜି ନିପାତ କରିଥିବା ବେଳେ ପ୍ରାୟ ୬ ଜଣଙ୍କୁ ବିଭିନ୍ନ ସ୍ଥାନରେ ଘେରାବନ୍ଦୀରେ ରଖିଥିବା ଜଣାପଡ଼ିଛି। ଆତଙ୍କବାଦୀ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ଆଜି ସୁରକ୍ଷା ବାହିନୀରର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ରଣନୀତି ନିର୍ଦ୍ଧାରଣ କରାଯାଇଛି। ଅପରେସନ୍‌ ଅଲ୍‌ ଆଉଟ୍‌ର ସଫଳତା ସତ୍ତ୍ୱେ ପ୍ରତିଦିନ ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ୍‌ କରି ଚାଲିଛନ୍ତି। ପୁଲିସ ଉପରେ ଚାପ ସୃଷ୍ଟି କରିବାକୁ ପୁଲିସ କର୍ମୀଙ୍କୁ ଅପହରଣ କରି ହତ୍ୟା କରିବା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ କରିବାକୁ ଲସ୍କର ଓ ହିଜବୁଲ୍‌ ଆତଙ୍କବାଦୀ ସଂଗଠନ ନିର୍ଦ୍ଦେଶନାମା ଜାରି କରିଛି । ସୋପିଆନ ଅଂଚଳରେ ୫୦ରୁ ଅଧିକ ସ୍ଥାନରେ ସୁରକ୍ଷା ବାହିନୀର ତଲାସି ଅଭିଯାନ ଚାଲିଛି।

ସମ୍ବନ୍ଧିତ ଖବର