ଟ୍ରେନ୍‌ରେ ବିନା ଟିକେଟରେ ଧରା ପଡ଼ିବା ପରେ ଯାତ୍ରୀ କହିଲେ, ମୋ ଆକାଉଣ୍ଟକୁ ୭୨,୦୦୦ଟଙ୍କା ଆସିଗଲେ ଜରିମାନା ଦେଇଦେବି

ଭୋପାଳ : ରତଲାମ ରେଳ ମଣ୍ଡଲ ଟିକେଟ ବିନା ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଦ୍ୱାରା ୩ଦିନରେ ୫୭୭ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥିବା ଜଣା ପଡ଼ିବା ସହ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆକାରରେ ଆଦାୟ କରାଯାଇଥିବା ଜଣାପଡ଼ିଛି । ତେବେ ଧରା ପଡ଼ିବା ସମୟରେ ଯାତ୍ରୀମାନେ କରୁଥିବା ଭିନ୍ନ ଭିନ୍ନ ବାହାନାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଅବଧ ଏକ୍ସପ୍ରେସରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠି ବିନା ଟିକେଟରେ ଯାତ୍ରା କରୁଥିବା ଜଣେ ଯୁବକ ଜରିମାନା ନ ଦେବା ପାଇଁ ଅଜବ ବାହାନା ବନାଇଥିଲେ, ଯାହା ଶୁଣି ଟିକେଟ ନିରୀକ୍ଷକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଟିକେଟ ନିରୀକ୍ଷକ ଅବଧ ଏକ୍ସପ୍ରେସର ଜେନେରାଲ କୋଚ୍‌ରେ ଚେକିଂ କରୁଥିଲେ । ଏହି ସମୟରେ ଜଣେ ଯୁବକ ବିନା ଟିକେଟରେ ଯାତ୍ରା କରୁଥିବା ଜଣା ପଡ଼ିଥିଲା । ଜରିମାନା ମଗାଯିବା ପରେ ବାହାନା କରି, ସାର୍‌ ମୋର ଆକାଉଣ୍ଟକୁ ୭୨,୦୦୦ଟଙ୍କା ଆସିବାର ଅଛି । ଆସିଯିବା ପରେ ମୁଁ ନିଜେ ଆପଣଙ୍କ ପାଖକୁ ଆସି ଜରିମାନା ଦେଇଯିବି ବୋଲି କହିଥିଲେ ଯୁବକ । ଏକଥା ଶୁଣି ଟିକେଟ ନିରୀକ୍ଷକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

oneindia.com

ସୂଚନା ମୁତାବକ, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ୫ କୋଟି ଗରିବ ପରିବାରକୁ ନ୍ୟୁନତମ ଆୟ ଗ୍ୟାରେଣ୍ଟି ଯୋଜନା ମାଧ୍ୟମରେ ୭୨,୦୦୦ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ଯାହା ପାଇଁ ଯୁବକଜଣଙ୍କ ଏପରି କହିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର