ଶିକ୍ଷକଙ୍କୁ ମୃତ୍ୟୁଦଣ୍ଡ

କୋଲକାତା : ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ହେଲେ ଶିକ୍ଷକ ପଶ୍ଚିମ ମେଦିନିପୁରର ସହିଦ ମାତଙ୍ଗିନୀ ବ୍ଲକରେ ଥିବା ଛତ୍ର କୁଞ୍ଜରାଣୀ ହାଇସ୍କୁଲର ଶିକ୍ଷକ ପ୍ରଣବ ରାୟ(୩୯)। ଘଟଣାର ୬ ବର୍ଷ ପରେ ଆଜି ଅତିରିକ୍ତ ଜିଲ୍ଲା ଜଜ୍‌ ସଞ୍ଚିତା ସରକାର ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରଣବଙ୍କ ଘର ତମଳୁକ ସହରର ଶାଳଗଛିଆରେ। ସେ ଛତ୍ର କୁଞ୍ଜରାଣୀ ହାଇସ୍କୁଲରେ ଶିକ୍ଷକତା କରୁଥିଲେ। ୨୦୧୨ ମସିହା ମେ ମାସ ୨୩ ତାରିଖରେ ତାଙ୍କ ଘରେ କାମ କରୁଥିବା ଜଣେ ୧୩ ବର୍ଷୀୟା ନାବାଳିକାକୁ ସେ ଦୁଷ୍କର୍ମ କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ତମଳୁକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାର ମୃତ୍ୟୁ ହୋଇଥିଲା। ମୃତା ନାବାଳିକାର ବାପା ଥାନାରେ ପ୍ରଣବଙ୍କ ନାମରେ ଅଭିଯୋଗ କରିଥିଲେ। ଦୀର୍ଘ ୬ ବର୍ଷ ପରେ ଏହି ମାମଲାର ଶୁଣାଣି କରି ବିଚାରପତି ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର