ନୂଆଦିଲ୍ଲୀ : ଇସ୍ରୋର ଦ୍ବିତୀୟ ମୁନ୍ ମିସନ୍ ‘ଚନ୍ଦ୍ରଯାନ-୨’ର ଆଜି ସଫଳ ଉତ୍କ୍ଷେପଣ ହୋଇଛି। ପ୍ରଥମ ଥର ପାଇଁ ଭାରତ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି। ତେବେ ‘ଚନ୍ଦ୍ରଯାନ-୨’କୁ ସଫଳତା ଦେବାପାଇଁ ମାସ ମାସ ଧରି କାର୍ଯ୍ୟ ଜାରି ରଖିଥିଲେ ଏକ ଟିମ୍। ଏହି ଟିମ୍ରେ ଉଭୟ ପୁରୁଷ ଏବଂ ମହିଳା ବୈଜ୍ଞାନିକମାନେ ସାମିଲ ଅଛନ୍ତି। ‘ଚନ୍ଦ୍ରଯାନ-୨’ ପାଇଁ କାମ କରିଥିବା ଦୁଇ ଜଣ ମହିଳା ମହିଳା ବୈଜ୍ଞାନିକ ହେଉଛନ୍ତି ମୁଥୟା ବନୀତା ଏବଂ ଋତୁ କରିଧାଲ୍। ଇସ୍ରୋରେ ୩୨ ବର୍ଷ କାର୍ଯ୍ୟ କରିଛନ୍ତି ବନୀତା। ସେ ଜଣେ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ୍ସ ଇଞ୍ଜିନିୟର। ଇସ୍ରୋରେ ଜଣେ କନିଷ୍ଠ ଯନ୍ତ୍ରୀ ଭାବେ କ୍ୟାରିୟର ଆରମ୍ଭ କରିଥିବା ବନୀତା ଚନ୍ଦ୍ରଯାନ-୨ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି। ସେ ଏବେ ଚନ୍ଦ୍ରଯାନ-୨ର ପ୍ରୋଜେକ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଋତୁ କରିଧାଲ ଜଣେ ଏରୋସ୍ପେସ୍ ଇଞ୍ଜିନିୟର। ଇସ୍ରୋରେ ୨୨ ବର୍ଷ ଅତିବାହିତ କରି ସାରିଛନ୍ତି। ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରୁ ସେ ଜଣେ ଗ୍ରାଜୁଏଟ୍। ଇସ୍ରୋର ମଙ୍ଗଳଯାନ ମିସନ୍ ସମୟରେ ମଧ୍ୟ ସେ ଗୁରୁ ଦାୟିତ୍ବ ନିର୍ବାହ କରିଥିଲେ। ଏବେ ସେ ଚନ୍ଦ୍ରଯାନ-୨ ପାଇଁ ମିସନ୍ ଡାଇରେକ୍ଟର ଭାବେ କାର୍ଯ୍ୟ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଜୁଲାଇ ୧୫ରେ ଚନ୍ଦ୍ରଯାନ-୨ର ଉତ୍କ୍ଷେପଣ ସମୟରେ ଯେଉଁ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ସେହି ତ୍ରୁଟିର ସମାଧାନ କରିଥିବା ଜଣେ ମେକାନିକାଲ ଇଂଜିନିୟର ହେଉଛନ୍ତି ଡ. ଏସ୍ ସୋମନାଥ। କ୍ରାୟୋଜେନିକ୍ ଇଂଜିନ୍ରେ ଥିବା ତ୍ରୁଟିକୁ ଡ. ସୋମନାଥ ଠାବ କରିବା ସହ ତାହାର ସମାଧାନ କରି ଖୁବ୍ ଶୀଘ୍ର ଚନ୍ଦ୍ରଯାନ-୨ର ସଫଳ ଉତ୍କ୍ଷେପଣ ପାଇଁ ବାଟ ଖୋଲିଥିଲେ।। ସେହିପରି ‘ଚନ୍ଦ୍ରଯାନ-୨’କୁ ଶେଷ ସ୍ପର୍ଶ ଦେଇଥିବା ବ୍ୟକ୍ତି ହେଉଛନ୍ତି ପି କୁନିକ୍ରୀଷ୍ଣନ୍। ସେ ଜଣେ ରକେଟ୍ ଇଂଜିନିୟରରୁ ସାଟେଲାଇଟ୍ ଫାବ୍ରିକେଟର ହୋଇଛନ୍ତି। ଇସ୍ରୋର ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟରରେ ସେ ନିର୍ଦ୍ଦେଶକ। ସେହିପରି ଇସ୍ରୋର ରକେଟ୍ ସ୍ପେସାଲିଷ୍ଟ୍ ଜେ ଜୟପ୍ରକାଶ ଏବଂ ରଘୁନାଥ ପିଲ୍ଲାଇ ଉତ୍କ୍ଷେପଣ ପାଇଁ ଜଣେ ଜଣେ ମିସନ୍ ନିର୍ଦ୍ଦେଶକ ଥିଲେ।