ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ସପକ୍ଷରେ ଭୋଟ୍‌ ନଦେବାରୁ ପ୍ରତିଶୋଧ!

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପକୁର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ହାରିଯାଇଥିବା ଜଣେ ପ୍ରାର୍ଥିନୀଙ୍କ ସ୍ୱାମୀ ପ୍ରତିଶୋଧ ପରାୟଣ ହୋଇ ସପକ୍ଷରେ ଭୋଟ ଦେଇନଥିବା ସନ୍ଦେହରେ ଜଣଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ନିକଟ ଜଙ୍ଗଲରୁ ନାବାଳିକାର ମୃତଦେହକୁ ପୁଲିସ ଜବତ କରିିବା ସହ ଏକ ମାମଲା ରୁଜୁ କରି ଏହି ଘଟଣାରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି। ପୁଲିସ ସୂଚନାନୁଯାୟୀ, ଗିରଫ ମୁଖ୍ୟ ଅଭିଯୁକ୍ତ ପ୍ରେମଲାଲ୍‌ ହାଂସଦାର ପତ୍ନୀ ପକୁର ଜିଲ୍ଲା ଅନ୍ତର୍ଗତ ଲିଥିପରା ଥାନା ଅଧୀନରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ମୁଖିଆ ପଦବି ପାଇଁ ଲଢ଼ୁଥିଲା। ତେବେ ସେ ହାରିଯିବା ପରେ ଉକ୍ତ ନାବାଳିକାଙ୍କ ପରିବାର ତାଙ୍କୁ ଭୋଟ୍‌ ଦେଇନଥିବା ସେମାନେ ସନ୍ଦେହ କରିଥିଲେ। ଏଥିରେ ପ୍ରତିହିଂସା ପରାୟଣ ହୋଇ ପ୍ରେମଲାଲ୍‌ ନାବାଳିକାଙ୍କ ପରିବାର ଉପରେ ରାଗ ଶୁଝାଇବା ପାଇଁ ଷଡ଼ଯନ୍ତ୍ର କରିଥିଲା।

ଏଣେ ନାବାଳିକା ଜଣକ ଗତ ୮ ତାରିଖରେ ନିତ୍ୟକର୍ମ ସାରିବା ପାଇଁ ସକାଳ ୬ଟାରେ ଘରୁ ବାହାରକୁ ଯାଇ ଆଉ ଫେରିନଥିଲା। ପରିବାର ଲୋକ ଝିଅକୁ ଅନେକ ଖୋଜାଖୋଜି କରି ମଧ୍ୟ କିଛି ଖୋଜଖବର ପାଇନଥିଲେ। ଶେଷରେ ସେମାନେ ରାଞ୍ଚିଠାରୁ ୪୦୦ କିମି ଦୂର ଲିଥିପରା ଥାନାରେ ଏକ ନିଖୋଜ ମାମଲା ଦାଏର କରିଥିଲେ। ପରଦିନ ସକାଳେ ନିକଟ ବ୍ଲେଓ୍ଵାନ୍‌ ଜଙ୍ଗଲରୁ ନାବାଳିକାର ମୃତଦେହ ମିଳିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଥିଲା। ପଚରାଉଚୁରା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରେମଲାଲ୍‌ ନିର୍ବାଚନରେ ପତ୍ନୀଙ୍କ ପରାଜୟର ପ୍ରତିଶୋଧ ନେବା ପାଇଁ ସେ ଉକ୍ତ ନାବାଳିକାକୁ ଅପହରଣ କରିଥିଲା ଏବଂ ଗଣଦୁଷ୍କର୍ମ ପରେ ହତ୍ୟା କରିଥିଲା ବୋଲି ସ୍ୱୀକାର କରିଛି।

ସମ୍ବନ୍ଧିତ ଖବର