ନାବାଳିକା ଛାତ୍ରୀକୁୁ ଗଣଦୁଷ୍କର୍ମ ପରେ ହତ୍ୟା

ବିଜୟପୁର: କର୍ଣ୍ଣାଟକର ବିଜୟପୁର ସହର ଅନ୍ତର୍ଗତ ମଞ୍ଜୁନାଥ ନଗର ସ୍ଥିତ ମଲିକାର୍ଜୁନ ସ୍କୁଲ୍‌ ନିକଟରେ ଜଣେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ଗତକାଲି ଦ୍ୱିପ୍ରହରେ ଏହି ଦଳିତ ଛାତ୍ରୀ(୧୫) ଜଣକ ସାନ ଭଉଣୀ ସହ ସ୍କୁଲ୍‌କୁ ଯାଉଥିବା ବେଳେ ୬ ଜଣ ଦୃର୍ବୃତ୍ତ ଏପରି ସର୍ବନାଶ କରିଛନ୍ତି।

ଦୁଇ ଭଉଣୀ ହସଖୁସିରେ କଥା ହୋଇ ହୋଇ ଯାଉଥିବା ବେଳେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୀଡ଼ିତାଙ୍କୁ ବାଟରେ ଅଟକାଇଥିଲା। ପରେ ଅନ୍ୟ ୫ ଜଣ ଯୁବକ ଆସି ତାଙ୍କୁ ବଳପୂର୍ବକ ନିକଟରେ ଥିବା ଏକ ଫାଙ୍କା ଘରକୁ ଟେକିନେଇଥିଲେ। ସେଠାରେ ସେମାନେ ଦୁଷ୍କର୍ମ କରିଥିଲେ। ତେବେ ପୀଡ଼ିତାଙ୍କ ସାନ ଭଉଣୀ ଉକ୍ତ ସ୍ଥାନରୁ ଖସି ଆସି ସ୍କୁଲ୍‌ ଶିକ୍ଷକଙ୍କୁ ସବୁକଥା ଜଣାଇବା ପରେ ଶିକ୍ଷକମାନେ ଉକ୍ତ ସ୍ଥାନକୁ ଯାଇଥିଲେ। କିନ୍ତୁ ସେତେବେଳକୁ ପୀଡ଼ିତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଆଦର୍ଶ ନଗର ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଛାନଭିନ ଚଳାଇଛି। ଅପରପକ୍ଷେ, ମୁଖ୍ୟ ଅଭିଯୁକ୍ତ ଚିହ୍ନଟ ହୋଇସାରିଛି ବୋଲି ପୁଲିସ କହିଛି। ଘଟଣା ଜଣାପଡ଼ିବା ପରେ ଗତକାଲି ରାତିରେ ପୀଡ଼ିତାଙ୍କ ପରିବାର ସହ ବିଭିନ୍ନ ଦଳିତ ଅନୁଷ୍ଠାନ ସ୍ଥାନୀୟ ଆମ୍ବେଦକର ଛକ ନିକଟରେ ଶବ ରଖି ଆନ୍ଦୋଳନ କରିଥିଲେ। ଆଜି ମଧ୍ୟ ବିଭିନ୍ନ ଅନୁଷ୍ଠାନ ଆନ୍ଦୋଳନ ଜାରି ରଖିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଘଟଣାଟିକୁ ଅତ୍ୟନ୍ତ ଅମାନବୀୟ ଏବଂ ଅକ୍ଷମଣୀୟ କହିବା ସହ ଦୋଷୀ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର