ନାବାଳିକାଙ୍କୁ ଗଣଦୁଷ୍କର୍ମ: ବହୁ ରାଜନେତା, ପୁଲିସ ଏବଂ ବିଲ୍ଡର ସାମିଲ୍‌

ରାଞ୍ଚି: ଝାଡ଼ଖଣ୍ଡରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ବହୁ ରାଜନେତା, ବିଲ୍ଡର ଏବଂ ଦୁଇଜଣ ପୁଲିସ ଅଧିକାରୀ ଏହି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ସେମାନେ କେବଳ ନାବାଳିକାଙ୍କୁ ଦୁଷ୍କର୍ମ କରିନାହାନ୍ତି ବରଂ ବଳପୂର୍ବକ ଦେହ ବେପାରରେ ମଧ୍ୟ ଲଗାଇଛନ୍ତି। ଘଟଣା ସମ୍ପର୍କରେ ନାବାଳିକା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ରାଞ୍ଚିରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସହ ସିଧା କଥା କାର୍ଯ୍ୟକ୍ରମରେ ପୀଡ଼ିତା ଜଣକ ଏ ନେଇ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରତି ମଙ୍ଗଳବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟା ଶୁଣି ଉତ୍ତର ରଖିଥାନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ପ୍ରତି ହୋଇଥିବା ଅତ୍ୟାଚାର ଘଟଣା ସମ୍ପର୍କରେ ଜଣାଇବା ଲାଗି ପୀଡ଼ିତା ନାବାଳିକାଙ୍କୁ ସୁଯୋଗ ମିଳିଥିଲା। ସେ ଅଭିଯୋଗ କରିଥିଲେ ଯେ ତାଙ୍କୁ ବଳପୂର୍ବକ ଗୋଟିଏ ବର୍ଷ ହେବ ଦେହ ବେପାରରେ ସାମିଲ କରାଯାଇଛି। ବହୁ ରାଜନେତା, ବିଲ୍ଡର ଏବଂ ପୁଲିସ ଅଧିକାରୀ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ପୀଡ଼ିତାଙ୍କଠାରୁ ଏହା ଶୁଣିବା ପରେ ମୁଖ୍ୟମନ୍ତ୍ରୀ ସ୍ତବ୍ଧ ହୋଇଯାଇଥିଲେ। ତୁରନ୍ତ ଉକ୍ତ ଘଟଣାର ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏମିତି କି ମାସେ ମଧ୍ୟରେ ରିପୋର୍ଟ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଝାଡ଼ଖଣ୍ଡ ମାନବାଧିକାର କମିସନ୍‌ ମୁଖ୍ୟ ମନୋଜ ମିଶ୍ର ଏହି ମାମଲାରେ ଅଭିଯୋଗ ଦାଏର କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୀଡ଼ିତାଙ୍କ ମା’ ଗତ ମାର୍ଚ୍ଚ ୧୩ ତାରିଖରେ ଉକ୍ତ ଘଟଣାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରିଥିଲେ। ପୂର୍ବରୁ ମଧ୍ୟ ତଦନ୍ତ ସମୟରେ ପୀଡ଼ିତା ୧୬ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ମାନବାଧିକାର କମିସନ ମୁଖ୍ୟ ମିଶ୍ର ମଧ୍ୟ ନିଜେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯେ ନାବାଳିକା ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ତାଙ୍କୁ ବଳପୂର୍ବକ ଦେହ ବେପାରରେ ନିୟୋଜିତ କରାଯାଇଛି। ଦୁଇଜଣ ପୁଲିସ ଅଧିକାରୀ, ବହୁ ରାଜନେତା ଏବଂ ବିଲ୍ଡର ଏଥିରେ ସାମିଲ ଅଛନ୍ତି। ତେବେ ତଦନ୍ତ ପ୍ରକ୍ରିୟାରେ ବହୁ ତ୍ରୁଟି ରହିଛି ବୋଲି ମାନବାଧିକାର କମିସନର ମୁଖ୍ୟ ଅଭିଯୋଗ କରିଥିଲେ। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରି ଜେଲ୍‌କୁ ପଠାଇ ସାରିଛନ୍ତି। ତେବେ ପୀଡ଼ିତାଙ୍କ ମୁହଁ ବନ୍ଦ କରିବା ପାଇଁ ୨୩ ଲକ୍ଷ ଟଙ୍କା ଯାଚିଥିବାର ଏକ ଅଡିଓ କ୍ଲିପ୍‌ ମଧ୍ୟ ଏବେ ଚର୍ଚ୍ଚାରେ ରହିଛି ।

ସମ୍ବନ୍ଧିତ ଖବର