ଛାତ୍ରୀଙ୍କ ପ୍ରତିବାଦ ପରେ ‘କୋରାନ ବାଣ୍ଟିବା’ ରାୟକୁ ଫେରାଇ ନେଲେ ଅଦାଲତ

ରାଞ୍ଚି : ଗତ ଜୁଲାଇ ୧୨ ତାରିଖରେ ଗିରଫ ହୋଇଥିବା ବିକମ୍ ଛାତ୍ରୀ ରିଚା ଭାରତୀଙ୍କ ମାମଲାରେ ତାଙ୍କୁ କୋରାନ ବାଣ୍ଟିବା ରାୟକୁ ଫେରାଇ ନେଇଛନ୍ତି ରାଞ୍ଚି ନ୍ୟାୟାଳୟ । ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ନିବେଦନ ପରେ କୋର୍ଟ ନିଜ ରାୟକୁ ଫେରାଇ ନେଇଛନ୍ତି । ସୂଚନାଯୋଗ୍ୟ ଯେ ରିଚା ଭାରତୀ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ସେଆର୍ କରିବା ମାମଲାରେ ରାଞ୍ଚିର ଅଦାଲତ ଏକ ଅଜବ ପ୍ରକାର ସର୍ତ୍ତ ରଖି ଜାମିନ ପ୍ରଦାନ କରିଥିଲେ ।

କୋର୍ଟ ଜାମିନ ଦେଇ ସର୍ତ୍ତ ରଖିଥିଲେ ଯେ ରିଚାଙ୍କୁ ୧୫ଦିନ ମଧ୍ୟରେ ୫ଟି କୋରାନ ବାଣ୍ଟିବାକୁ ପଡିବ । । କୋର୍ଟଙ୍କ ଏହି ଆଦେଶକୁ ରିଚା ମାନିବାକୁ ରାଜି ହୋଇ ନଥିଲେ । ରିଚା ପ୍ରତିକ୍ରିୟା ଦେଇ କହିଥିଲେ ଯେ ଆଜି କୋର୍ଟ କୋରାନ ବାଣ୍ଟିବାକୁ କହୁଛନ୍ତି, କାଲି ମୁସଲମାନ ଧର୍ମ ଆପଣାଇବାକୁ କୁହାଯାଇପାରେ । ରିଚା କୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ କୋର୍ଟ କେବେ କୌଣସି ଅଭିଯୁକ୍ତଙ୍କୁ ରାମାୟଣ କିମ୍ୱା ଶ୍ରୀମଦ୍ ଭଗବତ ଗୀତା ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି କି ? ଏବେ ରାଞ୍ଚି କୋର୍ଟ ନିଜ ନିଷ୍ପତ୍ତି ଫେରାଇ ନେଇଛନ୍ତି ।

photo-ndtv

ରାଞ୍ଚିର ଆଇନଜୀବୀମାନେ ମଧ୍ୟ ଏହି ରାୟର ବିରୋଧ କରିଥିଲେ । ଦେଶର ଅନେକ ଆଇନଜୀବୀ ମଧ୍ୟ ରିଚାଙ୍କୁ ସହାୟତା ଦେବାକୁ ପ୍ରସ୍ତୁତ ହୋଇଥିଲେ । ରିଚାଙ୍କ ଘରେ ହିନ୍ଦୁ ଧର୍ମର ଅନେକ ନେତା ବି ଆସି ପହଞ୍ଚିଥିଲେ । ଏହି ବିବାଦ ପରେ ରାଞ୍ଚି ନ୍ୟାୟାଳୟ ପୂର୍ବ ରାୟକୁ ଫେରାଇ ନେଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର