ମୁଁ ଜଣେ ସିଧାସାଧା ଲୋକ, କିନ୍ତୁ ସେ ଜଣେ ଉଗ୍ର ଆଧୁନିକା ଯୁବତୀ, ମନ ମିଶିଲା ନାହିଁ : ଛାଡପତ୍ର ସଂପର୍କରେ ମୁହଁ ଖୋଲିଲେ ତେଜପ୍ରତାପ

ପାଟନା : ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ସମ୍ପର୍କରେ ଆଜି ମୁହଁ ଖୋଲିଛନ୍ତି ଲାଲୁ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ । ସେ କହିଛନ୍ତି ଯେ ତାଙ୍କ ଇଚ୍ଛା ବିରୋଧରେ ଏହି ବିବାହ ହୋଇଥିଲା । ସେ ଜଣେ ସରଳ ସିଧାସାଧା ଲୋକ, କିନ୍ତୁ ତାଙ୍କ ପତ୍ନୀ ଏଶ୍ୱର୍ଯ୍ୟା ଜଣେ ଦିଲ୍ଲୀରେ ପଢିଥିବା ଆଧୁନିକା ସହରୀ ମହିଳା । ତାଙ୍କ ସହ ମନ ମିଳିପାରି ନଥିଲା । ଏଣୁ ସେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ଛାଡ଼ପତ୍ର ଆବେଦନକୁ ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି । ଆସନ୍ତା ୨୯ ତାରିଖରେ ଏହି ମାମଲାର ଶୁଣାଣି ହେବ ।
ମାତ୍ର ୬ ମାସ ତଳେ ବିବାହ କରିଥିବା ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବଡ଼ପୁଅ ତେଜପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଛାଡ଼ପତ୍ର ଦେବା ପାଇଁ ଗତକାଲି ଆବେଦନ କରିଥିଲେ । ପତ୍ନୀଙ୍କ ସହ ମନ ମିଶୁନଥିବାରୁ ସେ ତାଙ୍କଠାରୁ ଅଲଗା ହେବାପାଇଁ ଚାହୁଁଛନ୍ତି ବୋଲି କୋର୍ଟଙ୍କୁ ଜଣାଇଛନ୍ତି । ଉଭୟ ଗତ ମଇ ୧୨ ତାରିଖରେ ପାଟନାରେ ବିବାହ କରିଥିଲେ । ଏହି ବିବାହ ଉତ୍ସବରେ ବିହାର ରାଜ୍ୟପାଳ ସତ୍ୟପାଲ ମଲିକ, ମୁଖ୍ୟମନ୍ତ୍ରୀ ନିତିଶ କୁମାର, କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ଵାନ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର