ଲଢ଼ୁଆ ବିମାନ ତେଜସ୍‌ ରଚିଲା ନୂଆ ଇତିହାସ; ୨୦ ହଜାର ଫୁଟ ଉଚ୍ଚତାରେ ମଝି ଆକାଶରେ ଉଡ଼ନ୍ତା ଅବସ୍ଥାରେ ୧୯ ହଜାର କିଲୋ ଇନ୍ଧନ ଭରିଲା

ବେଙ୍ଗାଲୁରୁ: ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ବିମାନ ତେଜସ୍‌ ଆଜି (ସୋମବାର) ସଫଳତାର ସହ ଏକ ନୂଆ ସିଢ଼ି ଚଢ଼ିଛି। ମଝି ଆକାଶରେ ସମୁଦ୍ର ପତ୍ତନ ଠାରୁ ୨୦ ହଜାର ଫୁଟ ଉଚ୍ଚତାରେ ଉଡ଼ନ୍ତା ଅବସ୍ଥାରେ ଥିବାବେଳେ ତେଜସରେ ୧୯୦୦୦ କିଲୋ ଇନ୍ଧନ ସଫଳତାର ସହ ପକାଯାଇଛି। ଭାରତୀୟ ବାୟୁସେନାର ଏକ ଉଡ଼ନ୍ତା ରି-ଫୁଏଲିଂ ଟ୍ୟାଙ୍କରରୁ ୨୦ ହଜାର ଫୁଟ ଉଚ୍ଚତାରେ ଉଡ଼ୁଥିବା ତେଜସ୍‌ରେ ୧୯ ହଜାର କିଲୋ ଇନ୍ଧନ ପକା ଯାଇଥିଲା।

ତେଜସ୍‌ର ନିର୍ମାଣକାରୀ ସଂସ୍ଥା ହିନ୍ଦୁସ୍ତାନ୍‌ ଏରୋନଟିକ୍ସ ଲିମିଟେଡ୍‌ (ହାଲ) ପକ୍ଷରୁ କୁହାଯାଇଛି ଯେ ତେଜସ୍‌ ବିମାନଟି ମଝି ଆକାଶରେ ୨୭୦ ନଟସ୍‌ ବେଗରେ ଉଡ଼ୁଥିବା ସମୟରେ ଏଥିରେ ଏକ ଉଡ଼ନ୍ତା ରି-ଫୁଏଲିଂ ଟ୍ୟାଙ୍କରରୁ ୧୯ ହଜାର କିଲୋ ଇନ୍ଧନ ପକା ଯାଇଥିଲା। ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର ସିଦ୍ଧାର୍ଥ ସିଂହ ଗୋଓ୍ଵାଲିୟର ଏୟାର ବେସ୍‌ ଉପରେ ଏହି ତେଜସ୍‌ ବିମାନର ଉଡ଼ାଣ ଭରୁଥିବା ସମୟରେ ଆଜି ପୂର୍ବାହ୍ନ ୯ଟା ୩୦ ମିନିଟ ସମୟରେ ଏହି ସଫଳତା ହାସଲ କରାଯାଇଥିଲା। ହାଲ୍‌ର ଉଚ୍ଚ କର୍ତ୍ତୃପକ୍ଷ ଏହି ସମୟରେ ଗୋୟାଲିୟର ଏୟାରବେସ୍‌ରେ ଉପସ୍ଥିତ ରହି ପୂରା ପ୍ରକ୍ରିୟା ଉପରେ ନଜର ରଖିଥିଲେ।

ଏହି ସଫଳତା ହାସଲ କଲାପରେ ମଝି ଆକାଶରେ ଉଡ଼ନ୍ତା ବିମାନରେ ଉଡ଼ନ୍ତା ଟ୍ୟାଙ୍କରରୁ ତେଲ ପକାଇବାରେ ସଫଳତା ହାସଲ କରିଥିବା ସ୍ୱଳ୍ପ ବିଶ୍ୱର ଦେଶଗୁଡ଼ିକ ମଧ୍ୟରେ ଭାରତ ନିଜର ଏକ ସ୍ଥାନ ସୃଷ୍ଟି କରିବାରେ ସମର୍ଥ ହୋଇପାରିଛି ବୋଲି କହିଛନ୍ତି ହାଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଆର୍‌ ମାଧବନ୍‌।

ସମ୍ବନ୍ଧିତ ଖବର