ଜମି ବିବାଦରୁ ମାରଧର: ମହିଳାଙ୍କୁ ଗୋଇଠା ମାରିଲେ ଆଞ୍ଚଳିକ ପରିଷଦ୍‌ର ଅଧ୍ୟକ୍ଷ

ହାଇଦ୍ରାବାଦ: ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଜମିବାଡ଼ି ବିବାଦ ମାମଲାରେ ଶାସକ ତେଲଙ୍ଗାନା ରାଷ୍ଟ୍ର ସମିତିର ଜଣେ ଜନପ୍ରତିନିଧି ଜଣେ ମହିଳାଙ୍କୁ ଗୋଇଠା ମାରୁଥିବାର ଭିଡିଓ ଭାଇରାଲ୍‌ ହୋଇଛି।

ଭିଡିଓରେ ଦେଖାଯାଉଛି ଗ୍ରାମୀଣ ଆଞ୍ଚଳିକ ପରିଷଦ୍‌ ‘ଧରପାଳି ମଣ୍ଡଳ’ର ଅଧ୍ୟକ୍ଷ ଇମ୍ମାଦି ଗୋପୀ ଜଣେ ମହିଳାଙ୍କୁ ଗୋଇଠା ମାରୁଛନ୍ତି। ଅବଶ୍ୟ ମହିଳା ଜଣକ ପ୍ରଥମେ ତାଙ୍କୁ ଚପଲରେ ପିଟିଛନ୍ତି ଏବଂ ମହିଳାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ପେଲି ତଳେ ପକାଇ ଦେଇଛନ୍ତି।

ଜମି ବିକ୍ରି ଜନିତ ଘଟନା ସହ ମାମଲାଟି ଜଡ଼ିତ ଥିବା କଥା ପୁଲିସ କହିଛି।

ମହିଳାଙ୍କ ଅଭିଯୋଗ ଆଧାରରେ ଗୋପୀଙ୍କ ବିରୋଧରେ ଆଇପିସି ସେକ୍‌ସନ୍‌ ୩୫୪, ୩୨୩ ଏବଂ ୫୦୬ ଧାରାରେ ମାମଲା ରୁଜୁ କରାଯାଇଛି।

ଗୋପୀ ମଧ୍ୟ ଏହାକୁ ଚାଲେଞ୍ଜ୍‌ କରି ସେ ମହିଳାଙ୍କ ବିରୋଧରେ ପାଲଟା ମାମଲା ରୁଜୁ କରିଛନ୍ତି। ମହିଳାଙ୍କର କେତେକ ଆତ୍ମୀୟ ତାଙ୍କ ଘରେ ପଶି ଭଙ୍ଗାରୁଜା କରିଥିବା କଥା ମଧ୍ୟ ସେ କହିଛନ୍ତି।

ଅଭିଯୋଗରେ ମହିଳା ଦର୍ଶାଇଛନ୍ତି ଯେ ଗତବର୍ଷ ଗୋପୀ ତାଙ୍କୁ ୩୩. ୭୨ ଲକ୍ଷ ଟଙ୍କା ମୂଲ୍ୟର ଘର ଥିବା ଏକ ପ୍ଲଟ୍‌ ବିକ୍ରୟ କରିଥିଲେ। ସେଥିପାଇଁ ମହିଳାଙ୍କ ନାମରେ ରେଜିଷ୍ଟ୍ରେସନ୍‌ କରାଯାଇଥିଲା।

ସେ ଅଞ୍ଚଳରେ ଜମିମୂଲ୍ୟ ବୃଦ୍ଧି ପାଇଥିବାରୁ ଗୋପୀ ତାଙ୍କୁ ଆହୁରି ୫୦ ଲକ୍ଷ ଟଙ୍କା ମାଗିଥିଲେ ବୋଲି ପୁଲିସ କହିଛି।

ଏ ପର୍ଯ୍ୟନ୍ତ ଗୋପୀ ସେ ମହିଳାଙ୍କୁ ଜାଗା ନ ଦେଇ ଓଲଟି ଧମକ ଦେଉଥିଲେ ବୋଲି ପୁଲିସ କହିଛି।

ଆଜି ସେ ମହିଳା ନିଜ ଆତ୍ମୀୟଙ୍କୁ ଧରି ଗୋପୀଙ୍କ ଘରକୁ ଯାଇ ଜାଗା ତାଙ୍କୁ ହସ୍ତାନ୍ତର କରାଯାଉ ବୋଲି ଦାବି କରିଥିଲେ। ଯୁକ୍ତିତର୍କ ବଢ଼ିବାରୁ ମହିଳା ଜଣକ ଗୋପୀଙ୍କୁ ଚପଲରେ ପିଟିଥିଲେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର