ପ୍ରଯୋଜକ ଯୌନ ଶୋଷଣ କରୁଥିବା ଅଭିଯୋଗ ଆଣି ସର୍ବସମ୍ମୁଖରେ ଉଲଗ୍ନ ହେଲେ ଅଭିନେତ୍ରୀ

ହାଇଦ୍ରାବାଦ: ଚଳଚ୍ଚିତ୍ର ଜଗତରେ ମହିଳା ଅଭିନେତ୍ରୀମାନଙ୍କୁ ଯୌନ ଶୋଷଣ କରାଯିବା ବା ସେମାନଙ୍କୁ ଯୌନ ନିର୍ଯାତନା ଦିଆଯିବା ଭାରତୀୟ ଚଳଚ୍ଚିତ୍ର ଜଗତ ପାଇଁ କୌଣସି ଏକ ନୂଆ କଥାନୁହେଁ। ବଲିଉଡ୍‌ ଠାରୁ କରି ଆଞ୍ଚଳିକ ସ୍ତରର ଚଳଚ୍ଚିତ୍ର କ୍ଷେତ୍ରରେ ଏପରି ଘଟଣାର ଅନେକ ନଜିର ରହିଛି।

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ତେଲଗୁ ଚଳଚ୍ଚିତ୍ରର ବେଶ୍‌ ଦବ୍‌ଦବା ରହିଛି। ତେବେ, ଆଜି ଜଣେ ତେଲଗୁ ଅଭିନେତ୍ରୀ ତାଙ୍କୁ କାମ କରିବା ପାଇଁ ସୁଯୋଗ ଦିଆଯିବା ପରିବର୍ତ୍ତେ ଯୌନ ଶୋଷଣ କରାଯାଉଛି ବୋଲି ଅଭିଯୋଗ ଆଣିବା ସହ ନିଜର ପିନ୍ଧାଲୁଗା ଖୋଲି ସର୍ବସମ୍ମୁଖରେ ଉଲଗ୍ନ ହେବା ଘଟଣା ଦେଶବ୍ୟାପି ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଚର୍ଚ୍ଚାର ବିଷୟ ପାଲଟିଛି।


ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଶନିବାର ପୂର୍ବାହ୍ନରେ ହାଇଦ୍ରାବାଦରେ ଥିବା ତେଲଗୁ ଫିଲ୍ମ ଚ୍ୟାମ୍ବର ଅଫ୍‌ କମର୍ସକୁ ଜନୈକା ତେଲଗୁ ଚଳଚ୍ଚିତ୍ର ଅଭିନେତ୍ରୀ ଆସିଥିଲେ। ପରେ ସେ ଫିଲ୍ମ ଚ୍ୟାମ୍ବର ଅଫ୍‌ କମର୍ସରେ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ଅଭିଯୋଗ କରି କହିଥିଲେ ଯେ ସେ ଏବେ ଯେଉଁ ଚଳଚ୍ଚିତ୍ର ପାଇଁ କାମ କରୁଛନ୍ତି, ସେଥିରେ ତାଙ୍କୁ ନର୍ଭୟରେ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେବା ପରିବର୍ତ୍ତେ ସଂପୃକ୍ତ ଚଳଚ୍ଚିତ୍ରର ପ୍ରଯୋଜକ ଓ ପ୍ରଯୋଜନା ସହ ସଂପୃକ୍ତ ଅନ୍ୟମାନେ ତାଙ୍କୁ ଯୌନ ଶୋଷଣ କରିବା ସହ ଯୌନ ନିର୍ଯାତନା ଦେଉଛନ୍ତି। ତେବେ, ଫିଲ୍ମ ଚ୍ୟାମ୍ବର ଅଫ୍‌ କମର୍ସର ଅଧିକାରୀମାନେ ସଂପୃକ୍ତା ଅଭିନେତ୍ରୀଙ୍କ ଅଭିଯୋଗ ପ୍ରତି କୌଣସି ଗୁରୁତ୍ୱ ନଦେବା କାରଣରୁ ସେ ଉତ୍‌କ୍ଷିପ୍ତ ହୋଇପଡ଼ିବା ସହ ସେମାନଙ୍କ ସମ୍ମୁଖରେ ସେ ପିନ୍ଧିଥିବା ଲୁଗାକୁ ଖୋଲି ପକାଇଥିଲେ। ତେବେ, ଏ ଘଟଣା ସଂପର୍କରେ ଫିଲ୍ମ ଚ୍ୟାମ୍ବର ଅଫ୍‌ କମର୍ସ ତରଫରୁ କୌଣସି ପ୍ରକାରର ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ପ୍ରକାଶ କରାଯାଇ ନାହିଁ।

ସମ୍ବନ୍ଧିତ ଖବର