ବିଶ୍ୱ ହିନ୍ଦୁ ପରିଷଦ୍ ଦେଇଥିବା ମଡେଲ୍ ଅନୁଯାୟୀ ରାମ ମନ୍ଦିର ନିର୍ମାଣ ହେବ: ଚମ୍ପତ ରାୟ
ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ୍ ଦେଇଥିବା ମଡେଲ୍ ଅନୁଯାୟୀ ରାମ ମନ୍ଦିର ନିର୍ମାଣ ହେବ ବୋଲି ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ର ସାଧାରଣ ସଚିବ ଚମ୍ପତ ରାୟ କହିଛନ୍ତି। ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ପ୍ରାୟ ୩୦ ବର୍ଷ ତଳେ ବିଶ୍ୱ ହିନ୍ଦୁ ପରିଷଦ୍ ଏହି ମଡେଲ୍ ପ୍ରସ୍ତୁତ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ଦିନ ଟ୍ରଷ୍ଟ୍ର ଅଧ୍ୟକ୍ଷ ନୃତ୍ୟଗୋପାଳ ଦାସ କହିଥିଲେ ଯେ ଆସନ୍ତା ଛଅ ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ଆଶା କରାଯାଉଛି।
ଚମ୍ପତ ରାୟ କହିଛନ୍ତି ଯେ ମନ୍ଦିର ନିର୍ମାଣ ଆରମ୍ଭ ହେଲେ ରାମ ଲାଲାଙ୍କ ପ୍ରତିମାକୁ ଏକ ଫାଇବର୍ ମନ୍ଦିରକୁ ସ୍ଥାନାନ୍ତର କରାଯିବ। ଏହି ମନ୍ଦିର କୋଲ୍କାତାରେ ତିଆରି ହେଉଛି। ବୁଲେଟ୍ ନିରୋଧକ କାଚ ଦେଇ ଭକ୍ତମାନେ ରାମ ଲାଲାଙ୍କୁ ଦର୍ଶନ କରିବେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାମ ମନ୍ଦିର ମଡେଲ୍ରେ ପରିବର୍ତ୍ତନ କରାଗଲେ ମନ୍ଦିର ତିଆରିରେ ବିଳମ୍ବ ହେବ। ମଡେଲ୍ରେ ପରିବର୍ତ୍ତନ କରାଇବାକୁ ଚାହୁଁଥିବା ଲୋକେ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଚାହୁଁ ନାହାନ୍ତି।
ଖୁବ୍ ଶୀଘ୍ର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଖ ମଧ୍ୟ ଅଯୋଧ୍ୟା ଗସ୍ତରେ ଯିବେ। ସେଠାରେ ସେ ସାଧୁସନ୍ଥ ଓ ରାମ ଲାଲାଙ୍କୁ ଦର୍ଶନ କରିବେ। ଟ୍ରଷ୍ଟ୍ର ଅଧ୍ୟକ୍ଷ ନୃତ୍ୟଗୋପାଳ ଦାସଙ୍କୁ ମଧ୍ୟ ସେ ଭେଟିବାର କାର୍ଯ୍ୟକ୍ରମ ରହିଛି।