ଜୁନ୍‌ ପହିଲାରୁ କର୍ଣ୍ଣାଟକରେ ପୁଣି ଖୋଲିବ ମନ୍ଦିର, ମସ୍‌ଜିଦ୍‌ ଓ ଗୀର୍ଜା: ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା

ବେଙ୍ଗାଲୁରୁ: କୋଭିଡ୍-୧୯ ଲକ୍‌ଡାଉନ୍‌ ଯୋଗୁଁ ଦୁଇ ମାସରୁ ଊର୍ଦ୍ଧ୍ବକାଳ ଧରି ବନ୍ଦ ରହିଥିବା କର୍ଣ୍ଣାଟକର ହଜାର ହଜାର ମନ୍ଦିର ଜୁନ୍ ପହିଲାରୁ ପୁଣି ଖୋଲିବ।

ଆଜି ଏ ସଂକ୍ରାନ୍ତରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ସର୍ବଦଳୀୟ ବୈଠକ ଡାକିବା ପୂର୍ବରୁ ସାମ୍ବାଦିକମାନଙ୍କୁ କହିଥିଲେ, ମନ୍ଦିର ସହ ମସ୍‌ଜିଦ୍ ଏବଂ ଗୀର୍ଜା ଖୋଲିପାରେ। ମଲ୍ ଖୋଲିବା ଭାରତ ସରକାରଙ୍କ ନିର୍ଦେଶ ଉପରେ ନିର୍ଭର କରେ।

ମଙ୍ଗଳବାର ଦିନ କର୍ଣ୍ଣାଟକ ମୁଜାରାଇ ମନ୍ତ୍ରୀ କୋଟା ଶ୍ରୀନିବାସ ପୂଜାରେ ସାମ୍ବାଦିକମାନଙ୍କୁ କହିଛନ୍ତି, ସାମାଜିକ ଦୂରତ୍ବ ଏବଂ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରି ଜୁନ୍ ୧ ତାରିଖ ପରେ ଆମେ ସମସ୍ତ ଦେବାଳୟ ଖୋଲିବାକୁ ସ୍ଥିର କରିଛୁ। ଧାର୍ମିକ ମେଳା ଓ ଉତ୍ସବ ଉପରେ କିନ୍ତୁ, ନିଷେଧାଦେଶ ବଳବତ୍ତର ରହିବ।

Image Source: India TV

ଜୁନ୍ ୧ ତାରିଖରୁ ମସ୍‌ଜିଦ୍ ଓ ଗୀର୍ଜା ସବୁ ମଧ୍ୟ ଖୋଲିପାରେ। ମୁଜରାଇ ବିଭାଗ ଅଧୀନରେ ମସ୍‌ଜିଦ୍ ଓ ଗୀର୍ଜା ସବୁ ଆସୁ ନ ଥିବାରୁ ଏ ସବୁ ପୁଣି ଖୋଲିବା ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ଗୁରୁବାର ଦିନ କ୍ୟାବିନେଟ୍ ବୈଠକ ବସିବାର ସମ୍ଭାବନା ରହିଛି। ଏଥିପାଇଁ ସଂଖ୍ୟାଲଘୁ ବିଭାଗ ବୁଧବାର ଦିନ ଧାର୍ମିକ ମୁଖ୍ୟମାନଙ୍କ ସହ ପରାମର୍ଶ କରି କ୍ୟାବିନେଟ୍‌କୁ ସୁପାରିସ କରିବେ।

ସେ ଯାହାହେଉ ନା କାହିଁକି, ଉପାସନାସ୍ଥଳ ସବୁ ପୁଣି ଖୋଲିବା ସଂକ୍ରାନ୍ତ ନିଷ୍ପତ୍ତି ଏ ମାସ ଶେଷରେ କେନ୍ଦ୍ର ଜାରି କରିବାକୁ ଥିବା ମାର୍ଗଦର୍ଶିକା ଉପରେ ନିର୍ଭର କରୁଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

 

 

ସମ୍ବନ୍ଧିତ ଖବର