ନୂଆ ସାଂସଦଙ୍କ ରହଣି ପାଇଁ ଅସ୍ଥାୟୀ ବ୍ୟବସ୍ଥା : ୮୦.୫ କୋଟି ବ୍ୟୟରେ ନିର୍ମାଣ ହୋଇଛି ଗେଷ୍ଟହାଉସ୍

ନୂଆଦିଲ୍ଲୀ : ଆସନ୍ତା ମେ’ ୨୩ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବ। ଏହାପରେ ଦେଶର ବିଭିନ୍ନ ରାଜ୍ୟରୁ ନବନିର୍ବାଚିତ ସାଂସଦମାନେ ଦିଲ୍ଲୀ ଯି‌େବ। ତେବେ ଏହାର ଯଥେଷ୍ଟ ଅବ୍ୟବହିତ ପୂର୍ବରୁ ସେମାନଙ୍କ ଅସ୍ଥାୟୀ ରହଣି ପାଇଁ ଲୋକସଭା ସଚିବାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୧୭ତମ ଲୋକସଭାରେ ନବନିର୍ବାଚିତ ସାଂସଦମାନଙ୍କୁ ଏଥର ଦିଲ୍ଲୀର ଜନପଥ ସ୍ଥିତ ୱେଷ୍ଟର୍ଣ୍ଣ କୋର୍ଟରେ ଅସ୍ଥାୟୀ ଭାବେ ରହିବାର ବ୍ୟବସ୍ଥା କରାଯାଉଛି। ଗତବର୍ଷ ଏପ୍ରିଲ ୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ୱେଷ୍ଟର୍ଣ୍ଣ କୋର୍ଟ ଆନେକ୍ସି ଭବନ ବିଲ୍ଡିଂର ଉଦ୍‌ଘାଟନ କରାଯାଇଥିଲା। ଆନେକ୍ସି ଭବନ ବିଲ୍ଡିଂରେ ସାଂସଦମାନଙ୍କ ରହିବା ପାଇଁ ୧୬୪ଟି ରୁମ୍‌ ରହିଛି। ୩୯୧ଟି କାର୍ ପାର୍କିଂ କରାଯିବାର ବ୍ୟବସ୍ଥା ମଧ୍ୟ ବେସ୍‌ମେଣ୍ଟରେ ରହିଛି। ପୁରୁଷ ଓ ମହିଳାଙ୍କ ପାଇଁ ଜିମ୍‌ର ବ୍ୟବସ୍ଥା କରାଯାଇଛି।

ଉଲ୍ଲେଖଯୋଗ୍ୟ ନବ ନିର୍ବା‌ଚିତ ସାଂସଦମାନଙ୍କର ଦିଲ୍ଲୀରେ ଅସ୍ଥାୟୀ ରହଣି ପାଇଁ ଲୋକସଭା ସଚିବାଳୟ ପକ୍ଷରୁ ଆଇଟିଡିସି ଅନ୍ତର୍ଗତ ହୋଟେଲ ମାନଙ୍କରେ ରହିବାର ବ୍ୟବସ୍ଥା କରାଯାଇଥାଏ। ୨୦୧୪ ଲୋକସଭା ନିର୍ବାଚନରେ ପ୍ରଥମଥର ପାଇଁ ୩୩୦ ସାଂସଦ ଜିତି ଦିଲ୍ଲୀ ଆସିଥିଲେ। ଏମାନଙ୍କ ପାଇଁ ଅଶୋକ ହୋଟେଲ, ସମ୍ରାଟ ହୋଟେଲ ଓ ଜନପଥ ହୋଟେଲ ତଥା ରାଜ୍ୟ ସରକାରଙ୍କ ଗେଷ୍ଟ ହାଉସ୍‌ମାନଙ୍କରେ ଅସ୍ଥାୟୀ ରହଣିର ବ୍ୟବସ୍ଥା କରାଯାଇଥିଲା। ହେଲେ ସାଂସଦମାନଙ୍କର ଏହି ରହଣି ବାବଦରେ ସରକାରଙ୍କୁ ହୋଟେଲ୍‌ ବିଲ୍ ବାବଦରେ ପାଖାପାଖି ୩୫ କୋଟି ଟଙ୍କା ନିଜ ରାଜସ୍ବରୁ ବହନ କରିବାକୁ ପଡ଼ିଥିଲା। ଏହା ଏକ ଚର୍ଚ୍ଚାର ଖବର ପାଲଟିଥିଲା ଏବଂ ଏହାକୁ ନେଇ ବିଭିନ୍ନ ମହଲ‌ରେ ତମ୍ବିତୋଫାନ ହୋଇଥିଲା। ସେହି ସମୟରେ ନବନିର୍ବାଚିତ ସାଂସଦମାନଙ୍କର ସ୍ଥାୟୀ ଆବାସ ଆବଣ୍ଟନ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ରହଣି ବାବଦରେ କିଛି ବିକଳ୍ପ ବ୍ୟବସ୍ଥା ପାଇଁ ବିଚାରବିମର୍ଶ କରାଯାଇଥିଲା। ୱେଷ୍ଟର୍ଣ୍ଣ କୋର୍ଟରେ ଅତିରିକ୍ତ ରୁମ୍‌ ନିର୍ମାଣ କରିବା ପାଇଁ ଲୋକସଭା ସଚିବାଳୟ ପକ୍ଷରୁ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଣଳୟକୁ ପତ୍ର ଲେଖା ଯାଇଥିଲା। ଏପ୍ରିଲ ୨୦୧୬ରେ ମନ୍ତ୍ରାଳୟ ଦ୍ବାରା ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରି ପ୍ରଦାନ କରାଯାଇଥିଲା। ତେବେ ୬ ମାସର ଧାର୍ଯ୍ୟ ସମୟ ପୂର୍ବରୁ ସିପିଡବ୍ଲ୍ୟୁଡି ଦ୍ବାରା ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଥିଲା। ପ୍ରକଳ୍ପ ପାଇଁ ୮୦.୫ କୋଟି ଟଙ୍କା ବ୍ୟୟ କରାଯାଇଥିଲା।

ସଂସଦର ନିୟମା‌ବଳୀ ଅନୁଯାୟୀ ସାଂସଦମାନଙ୍କ ପାଇଁ ଆବାସ ଆବଣ୍ଟନ କରାଯାଇଥାଏ। ବର୍ତ୍ତମାନ ଦିଲ୍ଲୀର ନର୍ଥ ଏଭିନ୍ୟୁ ଓ ସାଉଥ୍ ଏଭିନ୍ୟୁରେ ପାଖାପାଖି ୪୦୦ଟି ଫ୍ଲାଟ୍ ଉପଲବ୍ଧ ରହିଛି। ଯଦିଓ ୱେଷ୍ଟର୍ଣ୍ଣ କୋର୍ଟର ଆବାସିକ ଗେଷ୍ଟହାଉସ୍‌ରେ ୧୬୪ଟି ରୁମ୍‌ର ବ୍ୟବସ୍ଥା କରାଯାଇଛି ଆବଶ୍ୟକ ହେଲେ ସାଂସଦମାନଙ୍କୁ ରାଜ୍ୟ ସରକାରଙ୍କ ଗେଷ୍ଟହାଉସ୍‌ରେ ମଧ୍ୟ ରହିବାର ବ୍ୟବସ୍ଥା କରାଯିବ। ନବ ନିର୍ବାଚିତ ସାଂସଦଙ୍କ ସଂଖ୍ୟା କେତେ ହେବ ତାହା ନିର୍ବାଚନ ଫଳାଫଳ ପରେ ହିଁ ଜଣାପଡ଼ିବ।

ସମ୍ବନ୍ଧିତ ଖବର