ବିଜେପି ନେତାଙ୍କ ପତ୍ନୀଙ୍କୁ ଗଣ ଦୁଷ୍କର୍ମ ପରେ ପଶ୍ଚିମବଙ୍ଗରେ ତୀବ୍ର ଉତ୍ତେଜନା

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଅନ୍ତର୍ଗତ ଖର୍ଦ୍ଦାରେ ଜନୈକ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ ପତ୍ନୀଙ୍କୁ ୪ ଜଣ ମୁଖାପିନ୍ଧା ଅଜ୍ଞାତ ଯୁବକ ଗଣ ଦୁଷ୍କର୍ମ କରିବା ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଏବେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣା ସଂପର୍କରେ ପୁଲିସ୍‌ରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଘଟଣାରେ ସଂପୃକ୍ତ କୌଣସି ଜଣେ ହେଲେ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ୍‌ ଏଯାବତ୍‌ ସମର୍ଥ ହୋଇପାରି ନାହିଁ। ଅନ୍ୟପକ୍ଷରେ ଏହି ଗଣଦୁଷ୍କର୍ମ ଶିକାର ହୋଇଥିବା ବିଜେପି ନେତାଙ୍କ ପତ୍ନୀ ଏବେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଖର୍ଦ୍ଦାର ସ୍ଥାନୀୟ ବିଜେପି ନେତାଙ୍କ ପତ୍ନୀ ଗତ ସନ୍ଧ୍ୟାରେ ତାଙ୍କ ପୁଅକୁ ଟ୍ୟୁସନ୍‌ରେ ଛାଡ଼ିବା ପାଇଁ ଯାଇଥିଲେ। ପୁଅକୁ ଟ୍ୟୁସନ୍‌ରେ ଛାଡ଼ି ଘରକୁ ଏକାକୀ ଫେରୁଥିବା ବେଳେ ଏକ ଅନ୍ଧାରିଆ ଜାଗାରେ ଦୁଇ ଜଣ ଯୁବକ ମୁହଁରେ ଗାମୁଛା ବାନ୍ଧି ଆସି ତାଙ୍କ ନିକଟରେ ପହଞ୍ଚିଥିଲେ। ସେ କିଛି ବୁଝିବା ପୂର୍ବରୁ ସଂପୃକ୍ତ ଦୁଇଜଣ ଯୁବକ ସେମାନଙ୍କ ହାତରେ ତାଙ୍କ ମୁହଁକୁ ମାଡ଼ି ବସିବା ସହ ତାଙ୍କୁ ଶୂନ୍ୟେ ଶୂନ୍ୟେ ସେଠାରୁ ଅଳ୍ପ ଦୂରରେ ଥିବା ଏକ ଅର୍ଦ୍ଧ ନିର୍ମିତ ଘର ମଧ୍ୟକୁ ଟେକି ନେଇଥିଲେ। ସେଠାରେ ପୂର୍ବରୁ ଆଉ ଦୁଇଜଣ ଯୁବକ ମୁଖାପିନ୍ଧି ରହିଥିଲେ। ପରେ ଚାରି ଜଣ ଯୁବକ ମହିଳାଙ୍କ ମୁହଁକୁ ଗାମୁଛା ସାହାଯ୍ୟରେ ବାନ୍ଧି ପକାଇବା ସହ ଜଣକ ପରେ ଜଣେ ତାଙ୍କୁ ଗଣଦୁଷ୍କର୍ମ କରି ସେଠାରୁ ଫେରାର ହୋଇ ଯାଇଥିଲେ। ଗଣଦୁଷ୍କର୍ମ ପରେ ଗୁରୁତର ହୋଇ ପଡ଼ିଥିବା ମହିଳା ଜଣକ ସେଠାରୁ ବହୁ କଷ୍ଟରେ ସେଇ ନିକଟରେ ରହୁଥିବା ଜଣେ ପଡ଼ୋଶୀଙ୍କ ଘରକୁ ଯାଇ ସେଠାରେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ପରେ ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଚିକିତ୍ସା ପାଇଁ ପାଣିହାତୀ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା।

ସମ୍ବନ୍ଧିତ ଖବର