ସୀମାରେ ଉତ୍ତେଜନା : ତିବ୍ଦତରେ ଚୀନ ସେନାର ସମରାଭ୍ୟାସ, ପିଓକେ ଲଞ୍ଚପ୍ୟାଡ୍‌ରେ ୪୫୦ ଆତଙ୍କବାଦୀ

ନୂଆଦିଲ୍ଲୀ : ଦୁଇ ପଡ଼ୋଶୀ ରାଷ୍ଟ୍ର ଚୀନ୍‌ ଓ ପାକିସ୍ତାନ ଏବେ ସୀମାରେ ପୁଣି ବଡ଼ଧରଣର ଉତ୍ତେଜନା ସୃଷ୍ଟି କରିଛନ୍ତି। ଭାରତ-ଚୀନ୍‌ ମଧ୍ୟରେ ଡୋକ୍‌ଲାମ୍‌କୁ ନେଇ ବିବାଦ ହେବା ପରେ ପ୍ରଥମ ଥର ପାଇଁ ବିବାଦୀୟ ତିବ୍ଦତରେ ଚୀନ୍‌ ସେନା ସମରାଭ୍ୟାସ କରିଛି। ସମ୍ବେଦନଶୀଳ ହିମାଳୟ ଉପତ୍ୟକା ଅଞ୍ଚଳରେ ନିଜର ସୈନ୍ୟ କ୍ଷମତା ବୃଦ୍ଧି, ବିଭିନ୍ନ ଅସ୍ତ୍ର ଓ ଗୁଳିଗୋଳାର ପରୀକ୍ଷଣ ପାଇଁ ଚୀନ ଏହି ସମରାଭ୍ୟାସ କରିଥିବାବେଳେ ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ଅଂଚଳରେ ୪୫୦ ଆତଙ୍କବାଦୀଙ୍କୁ ଭାରତରେ ପ୍ରବେଶ କରାଇବା ପାଇଁ ପାକ୍‌ ସେନା ପ୍ରୟାସ ଚଳାଇଛି। ପାକିସ୍ତାନ ସେନା ଓ ଆଇଏସ୍‌ଆଇ ସହାୟତାରେ ଲସ୍କର ଏବଂ ଜୈଶ୍‌ର ୪୫୦ ଆତଙ୍କବାଦୀ ୧୧ଟି ଲଞ୍ଚପ୍ୟାଡ୍‌ରେ ମହଜୁଦ ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଏହି ଆତଙ୍କବାଦୀଙ୍କ ତାଲିମ ପ୍ରକ୍ରିୟା ଶେଷ ହୋଇଛି ଏବଂ ସେମାନଙ୍କୁ ପୁଂଚ, ଉରି, ନୌସେରା ଓ ରାଜୌରି ସେକ୍ଟର ଦେଇ ଭାରତରେ ଅନୁପ୍ରବେଶ କରାଇବାକୁ ବ୍ୟାପକ ଯୋଜନା କରଯାଇଛି। ଏଥିପାଇଁ ବିନା କାରଣରେ ଭାରତୀୟ ଆଗୁଆ ପୋଷ୍ଟ୍‍ଗୁଡ଼ିକୁ ପାକ୍‌୍‌ ରେଂଜର୍ସ ଟାର୍ଗେଟ୍‌ କରି ଗୁଳି ବର୍ଷା କରୁଛନ୍ତି। ନିକଟରେ ୨ ଶହ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ମଉକା ଅପେକ୍ଷାରେ ଥିବା ଗୁଇନ୍ଦା ରିପୋର୍ଟ ମିଳିଥିବାବେଳେ ଏବେ ସେମାନଙ୍କ ସଂଖ୍ୟା ୪୫୦ରେ ପହଞ୍ଚିଥିବାରୁ ସେନା ସର୍ବାଧିକ ଆଲର୍ଟରେ ରହିଛି। ସମସ୍ତ ସମ୍ଭାବ୍ୟ ପ୍ରବେଶ ପଥଗୁଡ଼ିକୁ ସିଲ୍‌ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଚାଲିଛି । ଏଲ୍‌୍‌ଓସି ନିକଟରେ ପାକିସ୍ତାନ ସେନା ସୁରକ୍ଷାରେ ଚାଲିଥିବା ୧୭ଟି ଲଞ୍ଚ ପ୍ୟାଡ୍‌ରୁ ୧୧ଟିରେ କେବଳ ଜୈଶର ୩ ଶହରୁ ଅଧିକ ଆତଙ୍କବାଦୀ ରହିଥିବାରୁ ଜମ୍ମୁ କଶ୍ମୀରରେ ଭୟଙ୍କର ସ୍ଥିତି ସୃଷ୍ଟି କରିବାକୁ ପାକିସ୍ତାନ ଯୋଜନା କରୁଥିବା ଜଣାପଡ଼ିଛି। ତାଲିମ ନେଇଥିବା ଲସ୍କର ଆତଙ୍କବାଦୀଙ୍କ ଭିତରେ ଦକ୍ଷିଣ କଶ୍ମୀରର ଅନେକ ଯୁବକ ରହିଥିବା ଜଣାପଡ଼ିଛି। ଭାରତୀୟ ସେନା ଶିବିରଗୁଡ଼ିକରେ ଆତ୍ମଘାତୀ ଆକ୍ରମଣ ପାଇଁ ଅନେକ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।

ଅନ୍ୟପଟେ ଡୋକ୍‌ଲାମ ବିବାଦ ପରେ ଚୀନ୍‌ ଏବେ ସୀମାରେ ନିଜର ଶକ୍ତି ବଢ଼ାଇ ଭାରତକୁ ଡରାଇବାକୁ ଉଦ୍ୟମ କରୁଛନ୍ତି। ଚୀନ୍‌ ସରକାର ଆଜି ଆନୁଷ୍ଠାନିକ ଭାବେ ତିବ୍ଦତ ସମରାଭ୍ୟାସ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସମରାଭ୍ୟାସ ଦେଶ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ଚୀନ୍‌ ସରକାରୀ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ କରାଯାଇଛି। ତିବ୍ଦତର ପଠାର କ୍ଷେତ୍ରରେ ବିଷମ ଜଳବାୟୁ ଓ ଜଟିଳ ଭୌଗଳିକ ସ୍ଥିତି ସତ୍ତ୍ୱେ ଏହି ସମରାଭ୍ୟାସ ସଫଳ କରାଯାଇଥିବା ଚୀନ୍‌ ସେନା କହିଛି। ଉଲ୍ଲେଖଯୋଗ୍ୟ, ୧୯୬୨ ମସିହା ଭାରତ-ଚୀନ୍‌ ଯୁଦ୍ଧ ସମୟରେ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ଅଭାବରୁ ଓ ଏହି ଅଞ୍ଚଳର ଦୁର୍ଗମ ସ୍ଥିତି ଯୋଗୁଁ ଚୀନ୍‌ ବିଜୟ ଲାଭ କରିପାରିନଥିଲା। ତେବେ ସେଭଳି ପରିସ୍ଥିତି ଉପୁଜିଲେ କିଭଳି ଭାବେ ମୁକାବିଲା କରାଯିବ ସେନେଇ ଚୀନ୍‌ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି। ଗତବର୍ଷ ଅଗଷ୍ଟରେ ତିବ୍ଦତର ୪୬୦୦ ଫୁଟ ଉଚ୍ଚତାରେ ଚୀନ୍‌ ସେନା ଦୀର୍ଘ ୧୩ ଘଣ୍ଟା ଧରି ସମରାଭ୍ୟାସ କରିଥିଲା।

ସମ୍ବନ୍ଧିତ ଖବର