ଲଦାଖ ଓ ଉତ୍ତର ସିକ୍କିମ ସୀମାରେ ଉତ୍ତେଜନା, ଭାରତ ଓ ଚୀନ୍‌ ପକ୍ଷରୁ ସେନା ମୁତୟନ

ନୂଆଦିଲ୍ଲୀ: ଲଦାଖ ଓ ଉତ୍ତର ସିକ୍କିମ୍‌‌ ସୀମାରେ ବହୁ ସଂଖ୍ୟାରେ ଭାରତୀୟ ଏବଂ ଚୀନ୍‌ ସେନା ଠୁଳ ହେବା କାରଣରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି। ଚିହ୍ନଟ ହୋଇ ନଥିବା ଚୀନ୍‌-ଭାରତ ସୀମାରେ ଉଭୟ ପକ୍ଷ ବହୁ ସଂଖ୍ୟାରେ ସେନା ଠୁଳ କରିବାରେ ଲାଗିପଡିଛନ୍ତି। ଦୁଇ ଥର ଏଠାରେ ଉଭୟ ସେନା ମୁହାଁମୁହିଁ ହୋଇ ସାରିଲେଣି। ଉଭୟ ଭାରତ ଓ ଚୀନ୍‌ ପକ୍ଷରୁ ଡେମ୍‌ଚୋକ୍‌, ଦୌଲତବେଗ୍‌ ଓଲ୍‌ଡି, ଗଲ୍‌ୱାନ ନଦୀ ଉପତ୍ୟକା ଅଞ୍ଚଳ ଏବଂ ପୋଙ୍ଗଙ୍ଗ୍‌ ସୋ ଲେକ୍‌ ନିକଟରେ ଆବଶ୍ୟକତା ଠାରୁ ଅଧିକ ସେନା ଏକତ୍ରିତ ହେବାପରେ ଏଭଳି ପରିସ୍ଥିତି ଉପୁଜିଛି। ଗଲ୍‌ୱାନ ନଦୀ ଉପତ୍ୟକା ଅଞ୍ଚଳରେ ଚୀନ୍‌ ବ୍ୟାପକ ସଂଖ୍ୟାରେ ସେନା ଶିବିର ନିର୍ମାଣ କରିଛି।

ଭାରତ ପକ୍ଷରୁ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସୂଚନାଯୋଗ୍ୟ, ଗତ ମେ ୫ ତାରିଖରେ ପୋଙ୍ଗଙ୍ଗ୍‌ ସୋ ଲେକ୍‌ ଅଞ୍ଚଳରେ ଉଭୟ ପକ୍ଷର ସେନା ଲୁହା ରଡ୍‌ ଏବଂ ପଥରରେ ପରସ୍ପରକୁ ଆକ୍ରମଣ କରିଥିଲେ ଏବଂ ଧସ୍ତାଧସ୍ତି ଫଳରେ ଉଭୟ ପକ୍ଷରୁ ସୈନିକ ଆହତ ହୋଇଥିଲେ। ସେହିଭଳି ଗତ ମେ ୯ ତାରିଖରେ ସିକିମ୍‌ର ନାକୁ ଲା ପାସ୍‌ ନିକଟରେ ଦେଢଶହରୁ ବେଶି ଭାରତୀୟ ଓ ଚୀନ୍‌ ସୈନ୍ୟ ମୁହାଁମୁହିଁ ହୋଇଥିଲେ। ଏଥିରେ ଉଭୟ ପକ୍ଷରୁ ୧୦ ସୈନ୍ୟ ଆହତ ହୋଇଥିଲେ। ଚୀନ୍‌ ସେନା ଅଯଥା ଉତ୍ତେଜନା ସୃଷ୍ଟି ନକରୁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କହାଯାଇଛି। ଗଲ୍‌ୱାନ ନଦୀ ଉପତ୍ୟକା ଅଞ୍ଚଳରେ ଭାରତ ପକ୍ଷରୁ ବେଆଇନ ନିର୍ମ‌ାଣ କରାଯାଉଥିବା ନେଇ ଚୀନ୍‌ ସେନା ଉତ୍ତେଜିତ ଥିବା ବେଳେ ଭାରତ ତାହାକୁ ଖଣ୍ଡନ କରିଛି।

ସମ୍ବନ୍ଧିତ ଖବର