ଆତଙ୍କବାଦୀ ଆକ୍ରମଣ ୪ ଯବାନ ସହିଦ

ହିଜବୁଲ୍‌ କମାଣ୍ଡର ଅତ୍‌ଲାଫ ଓ ସହଯୋଗୀ ନିପାତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ସୋପିଆନ୍‌ ଜିଲ୍ଲାରେ ଆଜି ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଯାଇଛନ୍ତି। ସୋପିଆନ୍‌ ବନଗାମ୍‌ ଅଞ୍ଚଳସ୍ଥ ଅରହମା ଗ୍ରାମରେ ଆତଙ୍କବାଦୀମାନେ ଡିଏସ୍‌ପି ମୁଖ୍ୟାଳୟର ଏକ ପାଟ୍ରୋଲିଂ ଟିମ୍‌ ଉପରକୁ ଅତର୍କିତ ଗୁଳି ଚାଳନା କରିଥିଲେ। ଫଳରେ ୪ ଜଣ ଯବାନ ସହିଦ ହୋଇ ଯାଇଛନ୍ତି। ସହିଦ ଯବାନମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଲେ ଜାଭେଦ ଅହମ୍ମଦ, ମହମ୍ମଦ ଇକ୍‌ବାଲ୍‌, ଅଦିଲ୍‌ ଏବଂ ଇସ୍‌ଫାକ୍‌। ଆତଙ୍କବାଦୀମାନେ ଯବାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେଇ ଚମ୍ପଟ ମାରିଥବା ଜଣାପଡ଼ିଛି। ସୂଚନାନୁଯାୟୀ, ଏହି ଯବାନ ଗାଡ଼ି ମରାମତି ପାଇଁ ଯାଇଥିବା ସମୟରେ ସେମାନଙ୍କ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସମ୍ପୃକ୍ତ ଅଞ୍ଚଳକୁ ଏବେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଶ୍ରୀନଗର : ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲ୍ଲାରେ ଆଜି ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷାବାହିନୀ ହିଜବୁଲ୍‌ ମୁଜାହିଦ୍ଦିନ୍‌ର ଶୀର୍ଷ କମାଣ୍ଡର ଅତ୍‌ଲାଫ ଅହମ୍ମଦ ଦାର ଏବଂ ତା’ର ସହଯୋଗୀ ଉମର ରଶିଦ ଓ୍ଵାନିକୁ ନିପାତ କରିଛି। ଦକ୍ଷିଣ କଶ୍ମୀରରେ ସେନା ଦ୍ୱାରା ଆରମ୍ଭ ହୋଇଥିବା ଆତଙ୍କବାଦୀ ନିପାତ ଅଭିଯାନରେ ଏହା ଏକ ବଡ଼ ସଫଳତା। ଅନନ୍ତନାଗର ଖନ୍‌ଓ୍ଵାଲ୍‌ ଅଞ୍ଚଳର ମୁନିଓ୍ଵାଡ୍‌ରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ୬ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା ଏବଂ ଶେଷରେ ଏହି ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁଯାୟୀ ଆଜି ବିନ୍‌ପୋରା ଗ୍ରାମରେ ଏହି ହିଜ୍‌ବୁଲ କମାଣ୍ଡର ଲୁଚି ରହିଥିବା ଖବର ପାଇ ସେନା, ସିଆର୍‌ପିଏଫ୍‌ ଏବଂ ସ୍ଥାନୀୟ ପୁଲିସର ଏକ ବଡ଼ ଟିମ୍‌ ସମ୍ପୃକ୍ତ ଗ୍ରାମକୁ ଭୋର ୫ଟାରୁ ଘେରି ଯାଇ ତଲାସୀ ଚଳାଇଥିଲେ। ଆତଙ୍କବାଦୀ ଲୁଚି ରହିଥିବା ଘର ଠାବ ହେବାପରେ ଉଭୟପଟୁ ପ୍ରବଳ ଗୁଳିବର୍ଷା ହୋଇଥିଲା। ନିହତ ୨ ଆତଙ୍କବାଦୀଙ୍କ ସହ ସେମାନଙ୍କ ଅସ୍ତ୍ରଶସ୍ତ୍ର ଉଦ୍ଧାର ହୋଇଛି। ଉଲ୍ଲେଖଯୋଗ୍ୟ, ହିଜବୁଲ୍‌ ଶୀର୍ଷ କମାଣ୍ଡର ଅତ୍‌ଲାଫ ହେଉଛି କୁଲଗାମ୍‌ ଜିଲ୍ଲା ରେଡ଼୍‍ଓ୍ଵାନି ବାସିନ୍ଦା। ୨୦୦୭ ମସିହାରୁ ସେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା। ତା’ର ମୁଣ୍ଡ ପାଇଁ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର