ସୀମାରେ ଭୟଙ୍କର ଗୁଳିବର୍ଷା:ପୁଣି ଖାଲି ହେଉଛି ଗାଁ

୮ ମାସର ଶିଶୁ ମୃତ,୭ ଆହତ : ରାଜନାଥଙ୍କ କଡ଼ା ଚେତାବନୀ

0 743

ଶ୍ରୀନଗର: ସୀମାରେ ପୁଣି ଭୟଙ୍କର ଗୁଳିବର୍ଷା ଯୋଗୁଁ ଭାରତ-ପାକ୍‌ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ରମଜାନ ପାଇଁ ଭାରତୀୟ ସେନା ପକ୍ଷରୁ ଅସ୍ତ୍ରବିରତି ଲାଗୁ କରାଯାଇଥିବା ବେଳେ ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା ଅଂଚଳରେ ପାକିସ୍ତାନ ସେନା ଏହାର ଉଲ୍ଲଂଘନ କରି ଆଜି ଭାରି ଯୁଦ୍ଧାସ୍ତ୍ର ଆକ୍ରମଣ କରିଛି। ଗତରାତିରୁ ଭାରତୀୟ ସେନାର ପୋଷ୍ଟ୍‍ ସମେତ ବିଭିନ୍ନ ଗ୍ରାମକୁ ଟାର୍ଗେଟ କରି ପ୍ରବଳ ମୋର୍ଟାର ମାଡ଼ ହୋଇଛି। ପାକିସ୍ତାନ ଶାନ୍ତି ପ୍ରୟାସକୁ ଭଣ୍ଡୁର କରୁଥିବାରୁ ଏହାର କଡ଼ା ଜବାବ୍‌ ଦେବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ବିଏସ୍‌ଏଫକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି। ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ସେନା ପାଖରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ରାଜନାଥ କହିଛନ୍ତି।
ଗତରାତିଠାରୁ ପାକିସ୍ତାନର ଏହି ଗୁଳିମାଡ଼ରେ ଆର୍ନିଆ, ଆର୍‌ଏସ୍‌ପୁରା, ରାମଗଡ଼ ଆଦି ସେକ୍ଟରରେ ବିଏସ୍‌ଏଫ୍‌ର ୩୦ଟି ପୋଷ୍ଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୬ଟି ଗାଁର ବାସିନ୍ଦା ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି। ଅଖନୁରର କେରିବତ୍ତଲ ସେକ୍ଟରରେ ପାକିସ୍ତାନର ଗୁଳିମାଡରେ ଜଣେ ୮ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଯବାନଙ୍କ ସହ ୭ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବିଏସ୍‌ଏଫ୍‌ ମଧ୍ୟ ଏହି ଆକ୍ରମଣର କଡ଼ା ଜବାବ ସମାନ ଅସ୍ତ୍ରରେ ଦେଇଛି। ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ସାମ୍ବା ସେକ୍ଟରରେ ଜଣେ ପାକ୍‌ ରେଞ୍ଜର୍ସ ନିହତ ହୋଇଥିବା ବେଳେ ଅନେକ ପୋଷ୍ଟ କ୍ଷତିଗ୍ରସ୍ତ ହୋଇଛି।
ସ୍ଥିତିରେ ସୁଧାର ନ ଆସିବା ଯାଏଁ ସୀମାନ୍ତ ଗ୍ରାମଗୁଡ଼ିକରେ ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ବିଶେଷକରି ଆର୍‌.ଏସ୍‌.ପୁରା ଓ ଅର୍ନିଆ ସେକ୍ଟରର ୫ଶହରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଏହି ଅଞ୍ଚଳର ସମସ୍ତ ସ୍କୁଲଗୁଡ଼ିକୁ ମଧ୍ୟ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। ପାକିସ୍ତାନୀ ସେନାର ଏଭଳି ଅସ୍ତ୍ର ବିରତି ଉଲ୍ଲଂଘନର କଡ଼ା ଜବାବ୍‌ ଦେଇ ବିଏସ୍‌ଏଫ୍‌ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ପାକ୍‌ ସେନା ଅସ୍ତ୍ରବିରତି ନେବା ପାଇଁ କହିଥିଲା। କିନ୍ତୁ ଭାରତୀୟ ସେନା ଶାନ୍ତ ହୋଇଯିବା ପରେ ପାକିସ୍ତାନ ପୁଣି ପ୍ରଚଣ୍ଡ ଗୁଳି ବର୍ଷା କରି ସୀମାରେ ଉତ୍ତେଜନା ବଢ଼ାଇ ଦେିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.